
ପୋଲସରା- ୨୯/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) : ଗଞ୍ଜାମ ଜିଲ୍ଲା ପୋଲସରା ଥାନାରେ ଗତ ଚାରି ମାସ ପୂର୍ବରୁ ବିଭିନ୍ନ ଗ୍ରାମରୁ ବନ୍ଦ ଘରୁ ଚୋରି ହୋଇଥିବା ଘଟଣାରେ ପୋଲସରା ଥାନାରେ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ପୋଲସରା ପୋଲିସକୁ ଏକ ପ୍ରକାର ଚ୍ୟାଲେଞ୍ଜ୍ ସମ୍ମୁଖୀନ ହେବାକୁ ପଡ଼ିଥିଲା । ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୋଲସରା ପୋଲିସ ଏକ ଟିମ୍ ଗଠନ କରି ଘଟଣାର ତଦନ୍ତ ଜାରି ରଖିଥିଲା । କୌଣସି ସୁତ୍ରରୁ ଖବର ପାଇ ପୋଲସରା ଥାନା ପୋଲିସ ଗରେଇଝୁଳି ପାହାଡ଼ରେ ସଂଗ୍ଦିଧ ମାନେ ରହୁଥିବା ଖବର ପାଇ ଅତର୍କିତ ଚଢ଼ାଉ କରିଥିଲା । ଧରପଗଡ଼ ସମୟରେ ୩ ଜଣକୁ ଗିରଫ କରାଯାଇଛି । ଏନେଇ ସୋମବାର ପୋଲସରା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ସୂଚନା ପ୍ରଦାନ କରିଛନ୍ତି ପୁରଷୋତ୍ତମପୁର ଏସ୍.ଡି.ପି.ଓ ସୁଜିତ କୁମାର ନାୟକ । ଗିରଫ ଅଭିଯୁକ୍ତ ମାନେ ହେଲେ ଗରେଇଝୁଳି ଗ୍ରାମର ରାଜିବ ପାତ୍ର( ୩୨), ରଞ୍ଜିତ ନାହାକ (୨୭), ଓଡ଼ଗାଁ ଥାନାର ଗଜେନ୍ଦ୍ର ପଲ୍ଲୀ ଗ୍ରାମର ଜିତୁ ପ୍ରଧାନ (୩୩) । ଏସବୁ ସୁନା କିଣାବିକାରେ ସଂପୃକ୍ତ ଥିବା ସୁନା ଦୋକାନୀ ବାଲିପଦର ଜି. ଅରବିନ୍ଦ ପାତ୍ରଙ୍କୁ ମଧ୍ୟ ଜେରା କରାଯାଇଥିବା ସୂଚନା ପ୍ରଦାନ କରିଥିଲେ । ସଂପୃକ୍ତ ଅଭିଯୁକ୍ତଙ୍କ ନିକଟରୁ ୧୧୨ ଗ୍ରାମ୍ ସୁନା , ୨୫୬ ଗ୍ରାମ୍ ରୁପା ସହ ନଗଦ ୩ ହଜାର ୫ ଶହ ଟଙ୍କା , ଗୋଟିଏ ବାଇକ୍, ମୋବାଇଲ୍ ସହ ଚୋରିରେ ବ୍ୟବହୃତ ସରଞ୍ଜାମ ଜବତ ହୋଇ ଥିବା ବେଳେ ୩ ଜଣ ଦୁର୍ବୁତ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ପ୍ରଦାନ କରିଛନ୍ତି ପୁରଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ ।