ଭତ୍ତା ପାଇଁ କାକୁତି ମିନତି; ୪ ମାସ ହେଲା ମିଳୁନାହିଁ ବାର୍ଦ୍ଧକ୍ୟ ଭତ୍ତା

ଭଞ୍ଜନଗର ୨୧/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଆଖି କୁ ଦେଖା ଯାଉନି, ଅଣ୍ଟା ଲଇଁ ପଡୁଛି, ହାତରେ ବାଡ଼ି ଧରି ଚାଲି ଚାଲି ଥକି ପଡୁଛନ୍ତି।ପେଟରେ ଭୋକ ଓ କାଣିଚାଏ ସ୍ୱପ୍ନ ନେଇ ଧାଇଁ ଆସିଛନ୍ତି ସରକାରୀ ବାବୁଙ୍କୁ ଗୁହାରି କରିବା ପାଇଁ ଯେ ତାଙ୍କ ଭତ୍ତା ଟଙ୍କା କେବେ ଓ କେମିତି ମିଳିବ।

କିଏ କାନ୍ଦି କାନ୍ଦି କହୁଛି ମୁ ହାତ ବାକି କରି ଅଟୋରେ ଆସିଛି,ତ କିଏ କହୁଛି ପୁଅ ବହୁ ଭତ୍ତା ଟଙ୍କା ନ ଆଣିଲେ ଖାଇବାକୁ ଦେବେନି କହୁଛନ୍ତି, ତ କିଏ କହୁଛି ଔଷଧ କିଣିବାକୁ ପଇସା ନାହିଁ।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ବୃଦ୍ଧ, ଭିନ୍ନକ୍ଷମ ଏବଂ ଅସହାୟ ହିତାଧିକାରୀମାନଙ୍କୁ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ସାମାଜିକ ସୁରକ୍ଷା ଭତ୍ତା ଗତ ୪ ମାସ ହେଲା ବନ୍ଦ ରହିଥିବା ଅଭିଯୋଗ ହୋଇଛି।
​ପ୍ରାପ୍ତ ସୂଚନା ଅନୁଯାୟୀ, ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଦୋମୁହାଣୀ ଗ୍ରାମପଞ୍ଚାୟତ ଏବଂ ସମଗ୍ର ବ୍ଲକର ବିଭିନ୍ନ ପଞ୍ଚାୟତରେ ଦୀର୍ଘ ୪ ମାସ ଧରି ଭତ୍ତା ଟଙ୍କା ନ ମିଳିବା କାରଣରୁ ବହୁ ସଂଖ୍ୟାରେ ବୃଦ୍ଧ ଓ ଅସହାୟ ଲୋକେ ଦାରୁଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିତିଦିନିଆ ଖର୍ଚ୍ଚ ତଥା ଜୀବନର ଅପରିହାର୍ଯ୍ୟ ଔଷଧପତ୍ର କିଣିବା ପାଇଁ ମଧ୍ୟ ସେମାନଙ୍କ ପାଖରେ କୌଣସି ସାଧନ ନାହିଁ।
​”ଏହି ଭତ୍ତା ବନ୍ଦ ସମସ୍ୟା କେବଳ ଗୋଟିଏ ଦୋମୁହାଣୀ ଗ୍ରାମପଞ୍ଚାୟତ ମଧ୍ୟରେ ସୀମିତ ନୁହେଁ, ବରଂ ସମ୍ପୂର୍ଣ୍ଣ ଭଞ୍ଜନଗର ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହି ଗମ୍ଭୀର ଅସୁବିଧା ଦେଖାଦେଇଛି। ସମାଜସେବୀ ଶ୍ରୀ ଜବାହାରଲାଲ ସାହୁ ଆଜି ପ୍ରଶାସନ କୁ ଅନୁରୋଧ କରିଛନ୍ତି ଯେପରି ହିତାଧିକାରୀମାନେ ବିନା କୌଣସି ଅସୁବିଧାରେ ସେମାନଙ୍କର ବକେୟା ଭତ୍ତା ପାଇପାରିବେ ଓ ଆସନ୍ତା ୭ ଦିନ ଭିତରେ ବନ୍ଦ ଥିବା ସମସ୍ତ ଭତ୍ତା ଟଙ୍କା ତୁରନ୍ତ ପ୍ରଦାନ ପାଇଁ ସୁବନ୍ଦୋବସ୍ତ କରିବା ପାଇଁ ଅନୁରୋଧ କରିଛନ୍ତି।
​ପ୍ରଶାସନିକ ଦାୟିତ୍ୱରେ ଥିବା ଉପଜିଲ୍ଲାପାଳ ଓ ବିଡ଼ିଓ ସ୍ତରରୁ ଗ୍ରାମସେବକମାନଙ୍କୁ କ୍ଷେତ୍ରସ୍ତରୀୟ ତଦନ୍ତ ଓ ସମାଧାନ ପାଇଁ ତ୍ୱରିତ ନିର୍ଦ୍ଦେଶ ଦିଆଯାଉ।
​ଯଦି ନିର୍ଦ୍ଧାରିତ ୭ ଦିନ ଭିତରେ ଏହି ସମସ୍ୟାର ସମାଧାନ ନହୁଏ, ତେବେ ଜନସାଧାରଣଙ୍କୁ ସାଙ୍ଗରେ ନେଇ ଏକ ବୃହତ ଆନ୍ଦୋଳନ କରାଯିବ ବୋଲି ଯୁବ ନେତା ତଥା ସମାଜ ସେବୀ ଜବାହାରଲାଲ ସାହୁ ପ୍ରକାଶ କରିଛନ୍ତି।
​କିନ୍ତୁ ଏହିପରି ସ୍ଥଳରେ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି।ତେଣୁ ଦେଖିବାକୁ ବାକି ରହିଲା କେବେ ମିଳିବ ଭତ୍ତା ଓ କେବେ ପାଇବେ ସାମାଜିକ ସୁରକ୍ଷା।