
ଚୌଦ୍ୱାର (ଶିବବ୍ରତ ଦାସ ) ମହାନଦୀରେ କ୍ରମାଗତ ଭାବେ ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀକୂଳବର୍ତ୍ତୀ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି। ଏପରି ପରିସ୍ଥିତିରେ ଚୌଦ୍ୱାର-କଟକର ପ୍ରାକ୍ତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଆଜି ନଦୀକୂଳ ଅଞ୍ଚଳ ଗୁଡ଼ିକ ଗସ୍ତ କରି ସ୍ଥିତିର ସମୀକ୍ଷା କରିଥିଲେ। ଜଳଘେରରେ ଥିବା ଗ୍ରାମଗୁଡ଼ିକରେ ପହଞ୍ଚି ସେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା ଓ ଅସୁବିଧା ବିଷୟରେ ପଚାରି ବୁଝିଥିଲେ। ଗସ୍ତ ସମୟରେ ପ୍ରଭାତ ରଞ୍ଜନ ବିଶ୍ୱାଳ ଲୋକଙ୍କୁ ଅଫବାହରୁ ଦୂରେ ରହି ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ସୂଚନାକୁ ଅନୁସରଣ କରିବା ସହ ସମ୍ପୂର୍ଣ୍ଣ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ବିଶେଷ କରି ଶିଶୁ, ବୃଦ୍ଧ ଓ ମହିଳାମାନଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ସହିତ ଆବଶ୍ୟକ ପଡ଼ିଲେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହେବାକୁ ସେ ଅନୁରୋଧ କରିଥିଲେ। ଏହି ପାଣିଘେରରେ ରହିଥିବା ଅନେକ ପରିବାରଙ୍କ ନିକଟରେ ଶୁଖିଲା ଖାଦ୍ୟ, ପିଇବା ପାଣି ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇଥିଲେ। ସ୍ଥାନୀୟ ଲୋକଙ୍କ ସମସ୍ୟା ଶୁଣି ସେ କହିଥିଲେ ଯେ, ବିପଦ ସମୟରେ ଲୋକଙ୍କ ପାଖରେ ଛିଡ଼ା ହେବା ସମସ୍ତଙ୍କ ଦାୟିତ୍ୱ ଓ ପ୍ରଭାବିତ ପରିବାରମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ। ଗସ୍ତ ସମୟରେ ସେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନକୁ ସର୍ବଦା ପ୍ରସ୍ତୁତ ରହିବା ସହ ରିଲିଫ୍ ସାମଗ୍ରୀ, ଚିକିତ୍ସା ସେବା ଓ ଉଦ୍ଧାରକାର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ସ୍ଥାନୀୟ ଅଞ୍ଚଳର ପ୍ରକୃତ ସ୍ଥିତି ସମ୍ପର୍କରେ ସେ ଅବଗତ ହେବା ସହିତ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ସହଯୋଗ ଜାରି ରହିବ ବୋଲି ଆଶ୍ୱାସନ ଦେଇଥିଲେ। ପ୍ରାକ୍ତନ ବିଧାୟକଙ୍କ ଏହି ଗସ୍ତ ସମୟରେ ବହୁ ସମାଜସେବୀ ଓ କର୍ମୀମାନେ ଉପସ୍ଥିତ ରହିଥିଲେ। ନଦୀକୂଳ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପରେ ସେ ନଜର ରଖିଥିବା ବେଳେ ଆବଶ୍ୟକ ପଡ଼ିଲେ ଆଗାମୀ ଦିନରେ ମଧ୍ୟ ଲୋକଙ୍କ ପାଖରେ ପହଞ୍ଚି ସମ୍ଭବପର ସହଯୋଗ ଜାରି ରଖିବେ ବୋଲି ପ୍ରକାଶ କରିଥିଲେ।