ଖୋଲିଲା ହୀରାକୁଦର ଆଉ ୮ଟି ଗେଟ୍

ସମ୍ବଲପୁର (ଓଡ଼ିଶା ଟୁଡେ) : ଖୋଲିଲା ହୀରାକୁଦର ଆଉ ୮ଟି ଗେଟ୍ । ବର୍ତ୍ତମାନ୍ ମୋଟ୍ ୧୪ଟି  ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ତେବେ ଉତ୍ତର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଜାରି ରହିଛି। ତେଣୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ ଏବଂ କେନ୍ଦୁଝର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଅନ୍ୟପଟେ ମୟୁରଭଞ୍ଜ, ବାଲେଶ୍ଵର , ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ , କନ୍ଧମାଳ, ବୌଦ୍ଧ ଆଦି ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହୋଇପାରେ। ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିବାର ଆଶଙ୍କା ରହିଛି। ସହରାଞ୍ଚଳ ନାଳ ଗୁଡିକରେ ପାଣି ନିଷ୍କାସିତ ହେବାରେ ସମସ୍ୟା ଆସିପାରେ ବୋଲି ପାଣିପାଗ ବିଭାଗ ପରାମର୍ଶ ଦେଇଛି। ତେଣୁ ସତର୍କ ରହିବାକୁ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *