କେନ୍ଦ୍ର ସରକାର ବଢାଇଲେ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ

ନୂଆଦିଲ୍ଲୀ : ଶ୍ରମିକ ବିଶେଷ କରି ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ସହାୟତା କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି କେନ୍ଦ୍ର ସରକାର ଭେରିଏବଲ୍ ମହଙ୍ଗା ଭତ୍ତା (ଭିଡିଏ)ରେ ସଂଶୋଧନ କରି ସର୍ବନିମ୍ନ ମଜୁରି ହାର ବୃଦ୍ଧି ଘୋଷଣା କରିଛନ୍ତି। ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଗୁରୁବାର ଏକ ବିଜ୍ଞପ୍ତିରେ କହିଛି ଯେ ଏହି ବୃଦ୍ଧିର ଉଦ୍ଦେଶ୍ୟ ହେଉଛି ଶ୍ରମିକମାନଙ୍କୁ ବଢୁଥିବା ଜୀବନଧାରଣ ଖର୍ଚ୍ଚର ମୁକାବିଲା କରିବାରେ ସାହାଯ୍ୟ କରିବା । ନିମ୍ନରେ ଜାଣନ୍ତୁ ପ୍ରତ୍ୟେକ ବର୍ଗର ଶ୍ରମିକଙ୍କୁ କେତେ ଦରମା ବୃଦ୍ଧି ଦିଆଯିବ ।

ଅଣକୁଶଳୀ କାମ ପାଇଁ ସର୍ବନିମ୍ନ ମଜୁରି ଦୈନିକ ୭୮୩ ଟଙ୍କା ରହିବ। ଅର୍ଦ୍ଧକୁଶଳୀ କାମ ପାଇଁ ସର୍ବନିମ୍ନ ମଜୁରି ଦୈନିକ ୮୬୮ ଟଙ୍କା (ମାସକୁ ୨୨,୫୬୮ ଟଙ୍କା) ରହିବ। କୁଶଳୀ ଶ୍ରମିକ, କିରାଣୀ ଏବଂ ନିରସ୍ତ୍ର ସୁରକ୍ଷା କର୍ମୀଙ୍କ ପାଇଁ ସର୍ବନିମ୍ନ ମଜୁରି ଦୈନିକ ୯୫୪ ଟଙ୍କା (ମାସକୁ ୨୪,୮୦୪ ଟଙ୍କା) ରହିବ। ଉଚ୍ଚ କୁଶଳୀ ଏବଂ ସଶସ୍ତ୍ର ସୁରକ୍ଷା କର୍ମୀଙ୍କ ପାଇଁ ସର୍ବନିମ୍ନ ମଜୁରି ଦୈନିକ ୧,୦୩୫ ଟଙ୍କା (ମାସିକ ୨୬,୯୧୦ ଟଙ୍କା) ହେବ।କେନ୍ଦ୍ରୀୟ ପ୍ରତିଷ୍ଠାନ ଅଧୀନରେ କୋଠା ନିର୍ମାଣ, ଲୋଡିଂ ଓ ଅନଲୋଡିଂ, ଘଣ୍ଟା ଓ ୱାର୍ଡ, ଝାଡ଼ୁ, ସଫେଇ, ଗୃହରକ୍ଷଣ, ଖଣି ଓ କୃଷି ସମେତ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନେ ସଂଶୋଧିତ ମଜୁରି ହାରବୃଦ୍ଧି ଦ୍ୱାରା ଉପକୃତ ହେବେ। ନୂଆ ମଜୁରି ହାର ୨୦୨୪ ଅକ୍ଟୋବର ପହିଲାରୁ ଲାଗୁ ହେବ। ପୂର୍ବରୁ ୨୦୨୪ ଏପ୍ରିଲରେ ସଂଶୋଧନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *