ସାନ୍ତାଳୀ ଭାଷାରେ ରଚିତ ଲେଖା ଲକ୍ଷଲକ୍ଷ ଲୋକଙ୍କ ନିକଟରେ ପହଞ୍ଚିପାରୁଛି: ମୋଦୀ

ଭୁବନେଶ୍ବର: ମୋର ପ୍ରିୟ ବନ୍ଧୁଗଣ, ମୁଁ ଯଦି ପଚାରିବି କୌଣସି ଶିଶୁ କେଉଁ ଭାଷାରେ ସବୁଠୁ ସହଜରେ ଓ ଶୀଘ୍ର ଶିଖିପାରିବ-ତେବେ ଆପଣଙ୍କ ଉତ୍ତର ହେବ ‘ମାତୃଭାଷା’। ଆମ ଦେଶରେ ପ୍ରାୟ କୋଡ଼ିଏ ହଜାର ଭାଷା ଏବଂ ଉପଭାଷା ରହିଛି ଏସବୁ କାହାର ନା କାହାର ମାତୃଭାଷା। ଏପରି କେତେକ ଭାଷା ଅଛି, ଯାହାର ବ୍ୟବହାରକାରୀଙ୍କ ସଂଖ୍ୟା ବହୁତ କମ୍‌, କିନ୍ତୁ ଆପଣ ଜାଣି ଖୁସି ହେବେ ଯେ ସେହି ଭାଷାଗୁଡ଼ିକର ସୁରକ୍ଷା ପାଇଁ ବର୍ତ୍ତମାନ ନିଆରା ପ୍ରୟାସ କରାଯାଉଛି। ଏପରି ଏକ ଭାଷା ହେଉଛି ଆମର ‘ସାନ୍ତାଳୀ’ ଭାଷା। ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହା କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ‘ମନ୍‌ କି ବାତ୍‌’ର ୧୦ ବର୍ଷ ପୂର୍ତ୍ତି ଅବସରରେ ସାସ୍ତାଳୀ ଭାଷାକୁ ପ୍ରଶଂସା କରିଛନ୍ତି। ସାନ୍ତାଳୀକୁ ଡିଜିଟାଲ୍‌ ନବସୃଜନ ସାହାଯ୍ୟରେ ନୂଆ ପରିଚୟ ଦେବାର ଅଭିଯାନ ଆରମ୍ଭ କରାଯାଇଛି ବୋଲି କହିଛନ୍ତି। ଆମ ଦେଶର ଅନେକ ରାଜ୍ୟରେ ରହୁଥିବା ସାନ୍ତାଳ ଜନଜାତି ସମ୍ପ୍ରଦାୟର ଲୋକେ ସାନ୍ତାଳୀ ଭାଷା କହନ୍ତି। ଭାରତ ବ୍ୟତୀତ ବାଂଲାଦେଶ, ନେପାଳ ଓ ଭୂଟାନରେ ମଧ୍ୟ ସାନ୍ତାଳୀ ଭାଷା କହୁଥିବା ଆଦିବାସୀ ସମ୍ପ୍ରଦାୟ ଅଛନ୍ତି। ସାନ୍ତାଳୀ ଭାଷାର ଅନଲାଇନ ପରିଚୟ ପ୍ରସ୍ତୁତ କରିବା ପାଇଁ ଓଡ଼ିଶାର ମୟୂରଭଞ୍ଜର ରାମଜୀତ ଟୁଡୁ ଏକ ଅଭିଯାନ ଚଳାଇଛନ୍ତି। ରାମଜୀତ ଜୀ ଏପରି ଏକ ଡିଜିଟାଲ୍‌ ପ୍ଲାଟଫର୍ମ ତିଆରି କରିଛନ୍ତି, ଯେଉଁଥିରେ ସାନ୍ତାଳୀ ଭାଷାର ସାହିତ୍ୟକୁ ପଢ଼ିହେବ ଏବଂ ସାନ୍ତାଳୀ ଭାଷାରେ ଲେଖାଯାଇପାରିବ। ପ୍ରକୃତରେ କିଛିବର୍ଷ ତଳେ ଯେତେବେଳେ ରାମଜୀତ ଜୀ ମୋବାଇଲ୍‌ ଫୋନ୍‌ ବ୍ୟବହାର ଆରମ୍ଭ କଲେ, ସେ ଦୁଃଖିତ ହେଲେ ଯେ ଏଥିରେ ନିଜ ମାତୃଭାଷାରେ ସେ ବାର୍ତ୍ତା ପଠାଇପାରୁନାହାନ୍ତି। ଏହାପରେ ସେ ‘ସାନ୍ତାଳୀ ଭାଷା’ର ଲିପି ‘ଅଲ୍‌ଚିକି’କୁ ଟାଇପ୍‌ କରିବାର ସମ୍ଭାବନାଗୁଡ଼ିକୁ ଖୋଜିବାକୁ ଲାଗିଲେ। ନିଜର କିଛି ବନ୍ଧୁଙ୍କ ସହାୟତାରେ ସେ ‘ଅଲ୍‌ଚିକି’ରେ ଟାଇପ୍‌ କରିବାର ପ୍ରଯୁକ୍ତି ବିକଶିତ କରିପାରିଲେ। ଆଜି ତାଙ୍କ ପ୍ରଚେଷ୍ଟାରେ ସାନ୍ତାଳୀ ଭାଷାରେ ରଚିତ ଲେଖା ଲକ୍ଷ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚିପାରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆଜିର ଅଧ୍ୟାୟ ମୋତେ ଭାବପ୍ରବଣ କରୁଛି, ମୋତେ ଅନେକ ପୁରୁଣା ସ୍ମୃତିଗର୍ଭକୁ ନେଇଯାଉଛି, କାରଣ ଏହା ଯେ, ‘ମନ୍ କି ବାତ୍’ର ଆମର ଏହି ଯାତ୍ରା ୧୦ ବର୍ଷ ପୂରଣ କରିଛି। ୧୦ ବର୍ଷ ପୂର୍ବେ ‘ମନ୍ କି ବାତ୍’ର ଶୁଭାରମ୍ଭ ଅକ୍ଟୋବର ୩ ତାରିଖ ବିଜୟାଦଶମୀ ଦିନ ହୋଇଥିଲା ଏବଂ ଏହା ମଧ୍ୟ ଏକ ପବିତ୍ର ସଂଯୋଗ ଯେ, ଏ ବର୍ଷ ଅକ୍ଟୋବର ୩ ତାରିଖ ଦିନ ‘ମନ୍ କି ବାତ୍’କୁ ୧୦ ବର୍ଷ ପୂରଣ ହେଉଥିବାବେଳେ ନବରାତ୍ରର ପ୍ରଥମ ଦିନ ହୋଇଥିବ।କାର୍ଯ୍ୟକ୍ରମ ଆରମ୍ଭରୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ କହିଥିଲେ ‘ମନ୍ କି ବାତ୍’ରେ ପୁଣିଥରେ ଆମମାନଙ୍କୁ ଏକାଠି ହେବାର ସୁଯୋଗ ମିଳିଛି। ‘ମନ୍ କି ବାତ୍’ର ଏହି ସୁଦୀର୍ଘ ଯାତ୍ରାର ଏଭଳି ଅନେକ ପର୍ଯ୍ୟାୟ ରହିଛି, ଯାହାକୁ ମୁଁ କେବେହେଲେ ଭୁଲିପାରିବି ନାହିଁ। ‘ମନ୍ କି ବାତ୍’ର କୋଟି କୋଟି ଶ୍ରୋତା ଆମର ଏହି ଯାତ୍ରାର ଏଭଳି ସାଥି, ଯେଉଁମାନଙ୍କ ଠାରୁ ମୋତେ ନିରନ୍ତର ସହଯୋଗ ମିଳିଛି। ଦେଶର କୋଣ-ଅନୁକୋଣରୁ ସେମାନେ ତଥ୍ୟ ଉପଲବ୍ଧ କରାଇଛନ୍ତି। ‘ମନ୍ କି ବାତ୍’ର ଶ୍ରୋତାମାନେ ହିଁ ହେଉଛନ୍ତି ଏହି କାର୍ଯ୍ୟକ୍ରମର ପ୍ରକୃତ ସୂତ୍ରଧର ।

Leave a Reply

Your email address will not be published. Required fields are marked *