
ଭୁବନେଶ୍ୱର : ଖାଦ୍ୟଭିତ୍ତିକ ରିୟଲିଟି ସୋ’ ମାଷ୍ଟରସେଫ୍-୬ର ବିଜେତା ହୋଇଛନ୍ତି ଓଡ଼ିଆ ପୁଅ ଅବିନାଶ ନାୟକ । ୨୭ ବର୍ଷୀୟ ଅବିନାଶଙ୍କ ଘର ବ୍ରହ୍ମପୁରରେ । ମାଷ୍ଟରସେଫ୍ ସୋ’ରେ ଭାଗ ନେବା ଓ ଜିତିବାରେ ଅବିନାଶ ହେଉଛନ୍ତି ପ୍ରଥମ ଓଡ଼ିଆ । ପୁରସ୍କାର ଭାବେ ତାଙ୍କୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।
ସୋ’ରେ ପ୍ରବେଶ ପର ଠାରୁ ଅବିନାଶଙ୍କ ଖାଦ୍ୟ ପ୍ରସ୍ତୁତି ଦେଖି ବିଚାରକମଣ୍ଡଳୀ ଓ ଦର୍ଶକ ବେଶ୍ ଲୋକପ୍ରିୟ ହୋଇଥିଲେ। ସୋ’ରେ ସେ ‘ଚିକେନ୍ ବେସର’ ପ୍ରସ୍ତୁତ କରି ବିଚାରକମାନଙ୍କୁ ପରଷିଥିଲେ । ଏଥିରେ ବିଚାରକମଣ୍ଡଳୀ ବେଶ୍ ପ୍ରଭାବିତ ହୋଇଥିଲେ । ଅବିନାଶଙ୍କ ଇନ୍ଷ୍ଟାଗ୍ରାମ୍ ପ୍ରୋଫାଇଲ୍ରେ ଥିବା ପଖାଳ ଭାତ, ପାନପତ୍ରରେ ଚିକେନ୍ କବାବ ଫଟୋ ଲକ୍ଷ ଲକ୍ଷ ଅନୁଗାମୀ ସୃଷ୍ଟି କରିଛି ।
ଅବିନାଶ ରାଜଗାଙ୍ଗପୁରସ୍ଥିତ ଶ୍ରୀ ଅରବିନ୍ଦ ଇଣ୍ଟ୍ରିଗାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ ସେଣ୍ଟରରୁ ସ୍କୁଲ୍ ଶିକ୍ଷା ଶେଷ କରିଥିଲେ। ଏହାପରେ ସେ ଭୁବନେଶ୍ୱରସ୍ଥିତ ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନାଲୋଜି ଆଡଭାନ୍ସମେଣ୍ଟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏବେ ସେ ହାଇଦ୍ରାବାଦସ୍ଥିତ ଇନ୍ଫୋସିସ୍ରେ ସିନିୟର୍ ସିଷ୍ଟମ ଇଞ୍ଜିନିୟର ଭାବେ କାର୍ଯ୍ୟରତ ।
ଖାଦ୍ୟ ପ୍ରେମୀ ଇଞ୍ଜିନିୟର୍ ଭାବେ ପରିଚିତ ଅବିନାଶ ୨୦୧୯ରେ ମାଷ୍ଟରସେଫ୍ ଲୋକିକୁକ୍ ଫେଲୋସିପ୍ ପୁରସ୍କାର ଲାଭ କରିଥିଲେ । ବିଶ୍ୱର ୩୯୦ ପ୍ରତିଯୋଗୀଙ୍କ ମଧ୍ୟରୁ ସେ ବିଜୟୀ ହୋଇ ୫ ହଜାର ଡଲାର୍ ଲାଭ କରିଥିଲେ । ୨୦୧୮ରେ ସେ ‘ହଙ୍ଗ୍ରି ଫର୍ ହଳଦୀରାମ’ ପୁରସ୍କାର ବିଜୟୀ ହୋଇଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ଚଳିତ ସିଜିନ୍ ମାଷ୍ଟରସେଫ୍ର ବିଚାରକ ଥିଲେ ସେଲିବ୍ରିଟି ସେଫ୍ ବିକାଶ ଖାନ୍ନା, ରଣବୀର ବ୍ରାର ଓ ବିନୀତ ଭାଟିଆ ।