
ନୂଆଦିଲ୍ଲୀ: ଗତବର୍ଷ ୨୦୧୯ ଫେବ୍ରୁଆରି ୧୪ ତାରିଖ ଦିନ ପୁଲଓ୍ଵାମାରେ ହୋଇଥିବା ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଘଟଣାରେ ସାମିଲ ଥିବା ଜଣେ ପିତା ଓ ତାଙ୍କ ଝିଅଙ୍କୁ ମଙ୍ଗଳବାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଜମ୍ମୁ-କଶ୍ମୀରର ଲେଥପୋରାରୁ ଗିରଫ କରିଛି।
ପ୍ରକାଶିତ ରିପୋର୍ଟ ମୁତାବକ, ଏନ୍ଆଇଏ ମଙ୍ଗଳବାର ଗିରଫ କରିଥିବା ଏହି ବାପ-ଝିଅ ଦୁହେଁ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିଲେ। ସୂଚନା ଅନୁସାରେ, ସିଆରପିଏଫ୍ ଯବାନଙ୍କ ଗାଡ଼ି ଉପରେ ଏମାନେ ନଜର ରଖିବା ସହିତ ଆକ୍ରମଣରେ ବ୍ୟବହୃତ ବୋମା ସଂଗ୍ରହ କରିବାରେ ସାହାଯ୍ୟ କରିଥିଲେ। ଏଯାବତ୍ ଏହି ଘଟଣାର ଯାଞ୍ଚ ଜାରି ରହିଛି। ନିକଟରେ ଏନ୍ଆଇଏ ଏହି ଆତଙ୍କବାଦୀ ଆକ୍ରମଣରେ ଜଡ଼ିତ ଥିବା ଜୈସ୍-ଏ-ମହମ୍ମଦର ୨୨ବର୍ଷୀୟ ଶାକିର ବରୀରକୁ ଗିରଫ କରିଥିଲା।
ପୁଲଓ୍ଵାମାରେ ଯବାନଙ୍କ ଗାଡ଼ି ଉପରେ ଆତ୍ମଘାତୀ ଆକ୍ରମଣ କରିଥିବା ଆତଙ୍କବାଦୀ ଅହମ୍ମଦ ଦାର ବୋଲି ଏନ୍ଆଇଏ ସ୍ପଷ୍ଟ କରିଥିଲା। ତେବେ ତାର ମୃତ୍ୟୁ ହେବା ପରେ ଯାଞ୍ଚକୁ ଆଗକୁ ବଢ଼ାଇବାରେ ବହୁ ଅସୁବିଧା ହୋଇଥିଲା। ତେବେ ଏହି ଘଟଣାରେ ଜଡ଼ିତ ଥିବା ଅନେକ ସନ୍ଦିଗ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କେତେକ ପାକିସ୍ତାନରେ ଥିବା ଅନୁମାନ କରାଯାଉଛି।
ଆକ୍ରମଣରେ ପରେ ସୁରକ୍ଷାବଳ ଆତ୍ମଘାତୀ ଆକ୍ରମଣରେ ବ୍ୟବହୃତ ହୋଇଥିବା ଗାଡ଼ିର ମାଲିକର ପରିଚୟ ପାଇଥିଲେ। କିନ୍ତୁ ଏକ ଗୁଳିବିନିମୟରେ ତାର ବି ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଥିଲା। ତେବେ ମଙ୍ଗଳବାର ଏନ୍ଆଇଏ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ବାପା-ଝିଅକୁ ଗିରଫ କରିବା ଏକ ବଡ଼ ସଫଳତା ବୋଲି କୁହାଯାଉଛି। କାରଣ ଏହି ବାପା-ଝିଅ ଆକ୍ରମଣ ନେଇ ଅନେକ ରହସ୍ୟ ଉପରୁ ଫରଦା ଉଠାଇ ପାରନ୍ତି।