ନିଯୁକ୍ତି ପରୀକ୍ଷାରେ ଅନିୟମିତତା ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ସରକାର

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ବୁଧବାର ସନ୍ଧ୍ୟାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଅନେକ ବିଭାଗ ଓ କାର୍ଯ୍ୟଶୈଳୀ ଉପରେ ସମୀକ୍ଷା ହୋଇଥିଲା। ଏଥିରେ ନିଯୁକ୍ତି ପରୀକ୍ଷା ସଂପର୍କିତ ଆଲୋଚନା ମଧ୍ୟ ସାମିଲ ଥିଲା ।

ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ନିଯୁକ୍ତି ପରୀକ୍ଷା ସଂପର୍କିତ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। ସରକାରୀ ଚାକିରି ନିଯୁକ୍ତି ପରୀକ୍ଷାରେ ଅନିୟମିତତା କଲେ ଜେଲ୍‌ ଓ ଜରିମାନା ହେବ। -ମନୋଜ ଆହୁଜା, ମୁଖ୍ୟ ଶାସନ ସଚିବ ।

କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇ କହିଛନ୍ତି, ସରକାରୀ ଚାକିରି ନିଯୁକ୍ତି ପରୀକ୍ଷାରେ ଅନିୟମିତତା କଲେ ଜେଲ୍‌ ଓ ଜରିମାନା ହେବ। ଦୋଷୀଙ୍କୁ ୫ ବର୍ଷ ପାଇଁ ଜେଲ୍‌ ପଠାଯିବ। ସେହିପରି ଦୋଷୀଙ୍କୁ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ହେବ। ଅନ୍ୟପଟରେ ପରୀକ୍ଷା କରୁଥିବା ସର୍ଭିସ ପ୍ରୋଭାଇଡରଙ୍କୁ ବି ଜରିମାନା ହେବ। ସର୍ଭିସ ପ୍ରୋଭାଇଡରଙ୍କୁ ୧ କୋଟି ଟଙ୍କା ଜରିମାନା କରାଯିବ। ଏହି ନିୟମ ଓପିଏସ୍‌ସି, ଓଏସ୍‌ଏସ୍‌ସି, ଓଏସ୍‌ଏସ୍‌ଏସ୍‌ସି ଆଦି ପରୀକ୍ଷା ପାଇଁ ଲାଗୁ ହେବ ।

ଶ୍ରୀ ଆହୁଜା କହିଛନ୍ତି, ରାଜ୍ୟ ସରକାର ଗୋମାତା ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ପ୍ରାଣୀମାନଙ୍କ ପାଇଁ ଟିକା ଉତ୍ପାଦନ, ଭ୍ରାମ୍ୟମାଣ ଚିକିତ୍ସା ସେବ ସୁବିଧା କରିବେ। ଆଗାମୀ ୩ ବର୍ଷରେ ଏଥି ପାଇଁ ୩୪୨ କୋଟି ଟଙ୍କା ଖର୍ଚ୍ଚ ହେବ ।

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ହଜାର ହଜାର ପଦବି ଖାଲି ପଡ଼ିଛି। ଏହି ପଦବିଗୁଡ଼ିକ ପୂରା କରିବା ପାଇଁ ସରକାର ପର୍ଯ୍ୟାୟ କ୍ରମେ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛନ୍ତି। ସରକାରୀ ଚାକିରି ପାଇବା ପାଇଁ ଲକ୍ଷଲକ୍ଷ ପ୍ରାର୍ଥୀ ମଧ୍ୟ ଅପେକ୍ଷା କରିଛନ୍ତି। ଚାକିରି ଆଶାୟୀମାନେ ଅଭିଯୋଗ କରନ୍ତି ଯେ, ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ହେଉଛି। ଯୋଗ୍ୟ ପ୍ରାର୍ଥୀଙ୍କୁ ଚାକିରି ମିଳୁ ନାହିଁ। ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ଚାକିରି ଆଶାୟୀଙ୍କ ମଧ୍ୟରେ ଖୁସି ଆଣିଛି ।

Leave a Reply

Your email address will not be published. Required fields are marked *