
ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ୮୦ ବର୍ଷ ବା ତା’ଠାରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ଓ ୮୦ ପ୍ରତିଶତ ବା ତଦୂର୍ଦ୍ଧ୍ବ ଭିନ୍ନକ୍ଷମ ହିତାଧିକାରୀ ମାସକୁ ୩୫୦୦ ଟଙ୍କା ପେନ୍ସନ୍ ପାଇବେ । ଏହା ବୁଧବାର ଠାରୁ ଲାଗୁ ହୋଇଛି। ପୂର୍ବରୁ ସେମାନେ ୧୨୦୦ ଟଙ୍କା ପେନସନ୍ ପାଉଥିଲେ । ଏଥିରେ ରାଜ୍ୟ ସରକାର ୨୩୦୦ ଟଙ୍କା ବୃଦ୍ଧି କରି ତାହାକୁ ୩୫୦୦ ଟଙ୍କା କରିଛନ୍ତି।ରାଜ୍ୟରେ ବର୍ଦ୍ଧିତ ଭତ୍ତା ଲାଗୁ ହେବା ଦ୍ବାରା ଭଞ୍ଜନଗର ଉପଖଣ୍ଡ ଅଧିନ ୮ ଟି ବ୍ଲକ ଓ ୫ଟି ଏନଏସି ର ୯ ହଜାର ୯ ଶହ ୧୮ ଜଣ ହିତାଧିକାରୀ ଉପକୃତ ହେବେ।ଚଳିତ ମାସ ଠାରୁ ସେମାନଙ୍କୁ ପ୍ରତି ମାସରେ ୩୫୦୦ ଟଙ୍କା ମିଳିବ। ଭଞ୍ଜନଗର ବ୍ଲକ ଓ ଏନଏସିରେ ଆୟୋଜିତ ପୃଥକ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ କରିଛନ୍ତି।
୬୦ ବର୍ଷରୁ ଊର୍ଦ୍ଧ୍ବ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗମାନଙ୍କୁ ସରକାର ମାସିକ ଭତ୍ତା ଦେଉଥିଲେ। ଏହି କ୍ରମରେ ଭଞ୍ଜନଗର ଉପଖଣ୍ଡରେ ରାଜ୍ୟ ସରକାରଙ୍କ ମଧୁବାବୁ ପେନ୍ସନ୍ ଯୋଜନାରେ ୧ ଲକ୍ଷ ୪ ହଜାର ୮୧୬ ଓ କେନ୍ଦ୍ର ସରକାରଙ୍କ ଇନ୍ଦିରା ଗାନ୍ଧୀ ଜାତୀୟ ଭତ୍ତା ଯୋଜନାରେ ୫୦ ହଜାର ୧୫ ଜଣ(ମୋଟ ୧,୫୪,୮୩୧ ଜଣ) ହିତାଧିକାରୀ ଭତ୍ତା ପାଉଥିଲେ। ତେବେ ଚଳିତ ମାସଠାରୁ ସରକାର ୮୦ବର୍ଷ ବୟସରୁ ଅଧିକ ହୋଇଥିବା ବୃଦ୍ଧବୃଦ୍ଧାମାନଙ୍କ ପେନ୍ସନ୍ ଟଙ୍କା ବୃଦ୍ଧି କରି ସାଢ଼େ ୩ହଜାର ଟଙ୍କା କରିଛନ୍ତି। ସେହିଭଳି ଦିବ୍ୟାଙ୍ଗମାନଙ୍କ ମଧ୍ୟରୁ ଯେଉଁମାନେ ୮୦ ପ୍ରତିଶତ ଦିବ୍ୟାଙ୍ଗରେ ପରିଗଣିତ ହେଉଛନ୍ତି ସେମାନଙ୍କୁ ମଧ୍ୟ ସାଢେ ୩ହଜାର ଟଙ୍କା ପେନ୍ସନ୍ ମିଳିବ। ଉପଖଣ୍ଡ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗରୁ ମିଳିଥିବା ସୁଚନାନୁସାରେ, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭତ୍ତା ଯୋଜନାରେ ଆସିକା ବ୍ଲକର ୧୫୩୮ ଓ ଏନଏସିର ୮୫ ଜଣ,ବେଲଗୁଣ୍ଠା ବ୍ଲକର ୬୩୫ ଓ ଏନଏସିର ୮୨ ଜଣ,ଭଞ୍ଜନଗର ବ୍ଲକର ୧୩୧୧ ଓ ଏନଏସିର ୧୦୬ ଜଣ,ବୁଗୁଡା ବ୍ଲକର ୭୧୮ ଓ ଏନଏସିର ୫୭ ଜଣ,ସୋରଡା ବ୍ଲକର ୧୩୭୬ ଓ ଏନଏସିର ୭୦ ଜଣ,ଧରାକୋଟ ବ୍ଲକର ୩୦୫ ଜଣ,ଜଗନ୍ନାଥପ୍ରସାଦ ବ୍ଲକର ୨୫୪୨ ଜଣ ଓ ଶେରଗଡ ବ୍ଲକର ୧୦୯୩ ଜଣ ହିତାଧିକାରୀ ଙ୍କୁ ଏହି ବର୍ଦ୍ଧିତ ଭତ୍ତା ମିଳିଛି।