
ନୂଆଦିଲ୍ଲୀ : ଦିଲ୍ଲୀର ଜବାହାର ଲାଲନେହରୁ ୟୁନିଭର୍ସିଟି(ଜେଏନୟୁ)ର ପୂର୍ବତନ ଛାତ୍ରସଂଘ ଅଧ୍ୟକ୍ଷ କହ୍ନେୟା କୁମାରଙ୍କ ଉପରେ ଚାଲିବ ରାଷ୍ଟ୍ରଦୋହ ମାମଲା । ଦିଲ୍ଲୀର କେଜ୍ରିଓ୍ବାଲ ସରକାର ଏହାକୁ ମଞ୍ଜୁରୀ ଦେଇଛନ୍ତି। ଏହାପରେ ଏବେ କହ୍ନେୟାଙ୍କ ଉପରେ ରାଷ୍ଟ୍ରଦ୍ରୋହ ମାମଲା ଚାଲିବ। ସ୍ପେଶାଲ ସେଲକୁ ଏହି ମାମଲାରେ ମଞ୍ଜୁରୀ ଦେବାର ଫାଇଲ ଖୁବ୍ ଦୀର୍ଘ ସମୟ ହେବ ଲଟିକିକି ରହିଛି। ଏହାପରେ ଏବେ ଦିଲ୍ଲୀ ସରକାରଙ୍କ ମଞ୍ଜୁରୀ ପରେ ଏବେ କହ୍ନେୟା କୁମାରଙ୍କ ଉପରେ ରାଷ୍ଟ୍ରଦ୍ରୋହର ଧାରା ଅନୁସାରେ ମାମଲା ଚାଲିବ। ଏହି ମାମଲାରେ ଦିଲ୍ଲୀ ସରକାର ଉମର ଖାଲିଦ, ଅନିର୍ବାନ, ଆକିବ ହୁସେନ୍, ମୁଜିବ୍, ଉମର ଗୁଲ୍, ବସରତ୍ ଅଲ୍ଲୀ ଓ ଖାଲିଦ ବସିରଙ୍କ ଉପରେ ରାଷ୍ଟ୍ରଦ୍ରୋହ ମାମଲା ଚଲାଇବାର ମଞ୍ଜୁରୀ ଦେଇଛନ୍ତି।
ନିକଟରେ ଦିଲ୍ଲୀର ପଟିୟାଲା ହାଉସକୋର୍ଟରେ ମାମଲାର ଶୁଣାଣୀ ବେଳେ ଦିଲ୍ଲୀ ପୋଲିସ କହିଥିଲା ଯେ, ଏପର୍ଯ୍ୟନ୍ତ ଦିଲ୍ଲୀ ସରକାରଙ୍କଠାରୁ ରାଷ୍ଟ୍ରଦ୍ରୋହ ମାମଲା ଚଳାଇବାର ଅନୁମତି ମିଳିନଥିଲା। ଯାହାପରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ନିର୍ଦେଶ ଦିଆଯାଇଥିଲା ସେ ଦିଲ୍ଲୀ ସରକାରଙ୍କୁ ଚିଠି ଲେଖି ଏହା ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। ଉଲ୍ଲେଖନୀୟ ଯେ, ୯ ଫେବୃଆରୀ ୨୦୧୬ରେ ଜେଏନୟୁରେ ପରିସରରେ ଦେଶବିରୋଧୀ ସ୍ଲୋଗାନ ଦେଉଥିବାର ଭିଡିଓ ଆସିଥିଲା। ଏହାପରେ କହ୍ନେୟାଙ୍କ ସହ ଉମର ଖାଲିଦ, ଅନିର୍ବାନ, ଆକିବ ହୁସେନ୍, ମୁଜିବ୍, ଉମର ଗୁଲ୍, ବସରତ୍ ଅଲ୍ଲୀ ଓ ଖାଲିଦ ବସିରଙ୍କ ଉପରେ ରାଷ୍ଟ୍ରଦ୍ରୋହ ମାମଲା ରୁଜୁ ହୋଇଥିଲା। ଏବେ କହ୍ନେୟା ସିପିଆଇ ନେତା ଅଛନ୍ତି।