ଭଞ୍ଜନଗର : କଠୋର ହେଲା ବନ୍ୟପ୍ରାଣୀ ଆଇନ ଏଣିକି ଲେଖା ହେବ କେଶ ଡ଼ାଇରୀ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ) : ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ବୁଧବାର ତମାମ ବନ୍ୟପ୍ରାଣୀ ଏବଂ ଜଙ୍ଗଲ ଆଇନ ଉପରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। କର୍ମଚାରୀମାନେ ମାମଲାଗୁଡ଼ିକୁ କିଭଳି ପରିଚାଳନା କରିବେ ଶିବିରର ମୂଳ ଲକ୍ଷ୍ୟ। ଏଥିରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅଶୋକ କୁମାର ପଟ୍ଟନାୟକ ତାଲିମଦାତା ଭାବେ ଯୋଗଦେଇ ନୂଆ ବନ୍ୟପ୍ରାଣୀ ନିୟମାବଳୀ ଉପରେ କହିଥିଲେ।କେନ୍ଦ୍ର ସରକାର ୨୦୨୨ରେ ବନ୍ୟପ୍ରାଣୀ ଆଇନକୁ ସଂଶୋଧନ କରିଥିଲେ। ଏହାପରେ ରାଜ୍ୟ ସରକାର ୧୯୭୪ରେ ହୋଇଥିବା ବନ୍ୟପ୍ରାଣୀ ଆଇନକୁ ଇତିମଧ୍ୟରେ ସଂଶୋଧନ କରିଛନ୍ତି। ନୂଆ ନିୟମାବଳୀ ଗତ ଏପ୍ରିଲ ୩୦ରୁ ରାଜ୍ୟରେ ଲାଗୁ ହୋଇଛି। ତେଣୁ ନୂଆ ନିୟମାବଳୀ ଉପରେ କର୍ମଚାରୀଙ୍କୁ ସଚେତନ କରାଯାଉଛି ବୋଲି ପଟ୍ଟନାୟକ କହିଥିଲେ। ପୂର୍ବାପେକ୍ଷା ନୂଆ ନିୟମାବଳୀ ଆହୁରି କଠୋର ହୋଇଛି ।

ଏଣିକି ବନ୍ୟପ୍ରାଣୀ ମାମଲାରେ ବନ କର୍ମଚାରୀ କେସ ଡାଏରୀ ଲେଖିବେ। ମାଲଖନା, ଅଭିଯୋଗ ଫର୍ମ, ଅପରାଧ ବିବରଣୀ ଫର୍ମ ନୂଆ ନିୟମାବଳୀରେ ରହିଛି। ପୂର୍ବରୁ ସିଆରପିସିରେ ଥିବା ନିୟମାବଳୀ ବର୍ତ୍ତମାନ ବନବିଭାଗରେ ଲାଗୁହେବ। ଆହୁରି ନୂଆ ନିୟମାବଳୀରେ ବ୍ୟାଘ୍ର ଅଭୟାରଣ୍ୟରେ କୌଣସି ଅଭିଯୁକ୍ତ ଧରାପଡ଼ି ଦଣ୍ଡିତ ହେଲେ ତାଙ୍କୁ ସର୍ବନିମ୍ନ ୫ ଲକ୍ଷ ରୁ ସର୍ବାଧିକ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ପଡ଼ିବ। ଏଥିସହ ସର୍ବନିମ୍ନ ୩ ବର୍ଷରୁ ସର୍ବାଧିକ ୭ ବର୍ଷ ଜେଲ ଦଣ୍ଡ ହେବ। ଜଙ୍ଗଲ ଆଇନରେ ଏଣିକି ଅଭିଯୁକ୍ତଙ୍କୁ ସର୍ବନିମ୍ନ ୨୫ ହଜାର ଟଙ୍କା ଏବଂ ସର୍ବାଧିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ପଡ଼ିବ।୨୦୨୩ରେ ଲାଗୁ ହୋଇଥିବା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ସାକ୍ଷ୍ୟ ଅଧିନିୟମ ମଧ୍ୟ ବନ ବିଭାଗରେ ଲାଗୁହେବ ବୋଲି ଆଇନଜୀବୀ ପଟ୍ଟନାୟକ କହିଥିଲେ। ପୂର୍ବରୁ ଅଭିଯୁକ୍ତମାନେ ଅନେକ ଗଳାବାଟ ଦେଇ ଖସିଯାଉଥିଲେ। ନୂଆ ନିୟମାବଳୀ କଠୋର ହେବାପରେ ଆସାମୀ ମାନକୁ ଦଣ୍ଡିତ କରିବା ସହଜ ହେବ। ତେଣୁ କର୍ମଚାରୀମାନେ ନିୟମାବଳୀକୁ ଠିକ୍‌ ଭାବେ ବୁଝି ତାକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ। ତାହେଲେ ଯାଇ ଅଭିଯୁକ୍ତମାନେ ଦଣ୍ଡିତ ହୋଇପାରିବେ। ଏଥିପ୍ରତି କର୍ମଚାରୀମାନେ ସଚେତନ ହେବାର ଆବଶ୍ୟକତା ରହିଛି। ତାହାହେଲେ ଯାଇ ଆଜିର ଶିବିରର ଲକ୍ଷ୍ୟ ସାଧନ ହୋଇପାରିବ ବୋଲି ଅନ୍ୟତମ ସାଧନ ବ୍ୟକ୍ତି ଭାବେ ଯୋଗଦେଇ ଭଞ୍ଜନଗର କୋର୍ଟର ସରକାରୀ ଓକିଲ ରାଜେନ୍ଦ୍ର ପ୍ରଧାନ ତାହା କହିଛନ୍ତି ।

Leave a Reply

Your email address will not be published. Required fields are marked *