ବିଲୁପ୍ତ ପଥରେ ବାଇ ଚଢେଇ ବସା; ହଜିଯିବ ପୃଥିବୀ ର ପ୍ରଥମ ସିଭିଲ ଇଞ୍ଜିନିୟର

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଆଉ ଦେଖିବାକୁ ମିଳୁନାହିଁ ପୃଥ‌ିବୀର ପ୍ରଥମ ସିଭିଲ ଇଞ୍ଜିନିୟର ‘ବାଇ ଚଢେଇ’ର ବାୟାବସା। ଆଉ ଶୁଭୁ ନାହିଁ ତା’ର କିଚିରି ମିଚିରି ଶବ୍ଦ। ଆଜିର ଏହି ଆଧୁନିକ ଚାକଚକ୍ୟ କଂକ୍ରିଟ ଦୁନିଆର ଧ୍ବଂସାଭିମୁଖୀ ଅସନ୍ତୁଳିତ ପରିବେଶରେ ବିଲୁପ୍ତ ହେବାକୁ ବସିଛି ଏହି ବିରଳ ପକ୍ଷୀ । ଗୋଟିଏ ଛୋଟ ପକ୍ଷୀ ବାଇ ଚଢେଇ ତିଆରି କରିଥିବା ବସା ଆଜିର ସମାଜକୁ ଅନେକ କିଛି ଶିକ୍ଷା ଦେଇଥାଏ। ମଣିଷ ଜୀବନର ପ୍ରତିଟି ପାହାଚରେ ବାଇ ଚଢେଇର ଉଦାହରଣ ପରିଲକ୍ଷିତ ହୁଏ । ଏଥିସହ ବର୍ଷା ଆଗମନର ସୂଚନା ମଧ୍ୟ ଏହି ଦେଇଥାଏ ଏହି ଚଢେଇ। ବାଇଚଢେଇର ଜୀବନଶୈଳୀ ମଣିଷ ସମାଜ ପାଇଁ ସବୁ ପ୍ରତିକୂଳ ପରିସ୍ଥିତିକୁ ମୁକାବିଲା କରିବାକୁ ପ୍ରେରଣା ଯୋଗାଇ ଆସୁଥିବା ବେଳେ ଆଜି ଏହି ଚଢେଇ ବିଲୁପ୍ତ ହେବାକୁ ବସିଛି।ବାୟା ଚଢେଇ ବିଶେଷକରି ଜଳଉତ୍ସ ନିକଟରେ ଥିବା ତାଳ ଗଛ,ନଡ଼ିଆ ଗଛ,ଖଜୁରୀ ଗଛ ଓ ଚାଷ ଜମି ନିକଟରେ ଥିବା ଗଛରେ ବସା ବାନ୍ଧିଥାଏ। କୁନି ଥଣ୍ଟରେ ଲମ୍ବା ଘାସ,ତାଳ,ଖଜୁରି ଓ ନଡିଆପତ୍ର, କୁଟାକାଠି ଆଦି ସଂଗ୍ରହକରି ପୁରୁଷ ଚଢେଇ ଏକାଧିକ ବସା ନିର୍ମାଣ କରିଥାଏ। ଋତୁଚକ୍ରର ପରିବର୍ତ୍ତନ ଅନୁଯାୟୀ ଏହି ଚଢେଇ ତା’ର ବାୟା ବସା ପରିବର୍ତ୍ତନ କରିଥାଏ। ପୂର୍ବରୁ ଭଞ୍ଜନଗର ତ‌ଥା ଆଖପାଖ ଅଞ୍ଚଳରେ ବିଶେଷକରି ତାଳଗଛ ଗୁଡିକରେ ଅନେକ ଗୁଡିଏ ଏହି ଚଢେଇର ବସା ଦେଖ‌ିବାକୁ ମିଳୁଥିଲା। କିନ୍ତୁ ଏବେ ତାହା ଅଦୃଶ୍ୟ ହେବା ସ୍ଥିତିକୁ ଆସିଗଲାଣି। କାରଣ ଧିରେ ଧିରେ ତାଳଗଛ ସଂଖ୍ୟା ହ୍ରାସ ପାଇବା ଓ ଆଧୁନିକ ମଣିଷର ବିକାଶ ଭିତରେ ବିଗିଡି ପଡିଥ‌ିବା ପରିବେଶରେ ଖାପ ଖୁଆଇ ନ ପାରି ବାଇ ଚଢେଇଙ୍କ ସତ୍ତା ହଜିବାକୁ ବସିଲାଣି ।

ତଥାପି ଭଞ୍ଜନଗର ସହର ୯ ନମ୍ବର ୱାର୍ଡ଼ରେ ଥିବା ଏକ ଖଜୁରିଗଛ ବାଇଚଢ଼େଇଙ୍କ ପାଇଁ ଅନେକବର୍ଷ ହେଲା ନିର୍ଭୟ ଆଶ୍ରା ପାଲଟିଛି। ଏହି ଗଛରେ ଏବେ ଏକାଧିକ ବାଇଚଢ଼େଇ ବସା ଦେଖିବାକୁ ମିଳିଛି। ଫଳରେ ଉକ୍ତ ରାସ୍ତା ଦେଇ ଯାଉଥିବା ଲୋକେ କ୍ଷଣିକ ପାଇଁ ଅଟକିବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ ଏଠାରେ ବାଇଚଢ଼େଇ ବର୍ଷ ବର୍ଷ ଧରି ନିର୍ଭୟରେ ବସାବାନ୍ଧି ରହିବା ପଛରେ କାରଣ ହେଉଛି, ସ୍ଥାନୀୟ ସାହି ବାସିନ୍ଦା ଏମାନଙ୍କୁ କେବେ କୌଣସି କ୍ଷତି ପହଞ୍ଚାଇ ନାହାନ୍ତି।ହେଲେ ଏବେ ତାହା ଇତିହାସ ପାଲଟିବାକୁ ଯାଉଛି। ଗୋଟିଏ ପଟେ ମଣିଷ ବିଜ୍ଞାନ ବଳରେ ଚନ୍ଦ୍ରପୃଷ୍ଠରେ ପହଞ୍ଚି ସାରିଥିବା ବେଳେ ଅନ୍ୟପଟେ ପ୍ରକୃତିର ଏହି ବିରଳ ପକ୍ଷୀ ବିଲୁପ୍ତ ହେବା ଦିଗକୁ ଯାଉଛି। ଏବେ ଏମାନଙ୍କ ସୁରକ୍ଷା ପାଇଁ ସାମାଜିକ ସଚେତନ‌ତା ସୃଷ୍ଟି କରାଯିବା ଅପରିହାର୍ଯ୍ୟ ହୋଇପଡିଛି । ବନ ବିଭାଗ ଓ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ ଏଥିପ୍ରତି ଆଗ୍ରହ ପ୍ରକାଶକରି ବାଇ ଚଢେଇ ବଂଶ ବୃଦ୍ଧି ଓ ସୁରକ୍ଷା ପାଇଁ ଯୋଜନା ପ୍ରସ୍ତୁତ ନକଲେ ଆଗାମୀ ଦିନରେ ଏମାନେ ସମ୍ପୂର୍ଣ୍ଣ ଲୋପ ପାଇଯିବେ। ଏହା ସହ ଏମାନଙ୍କ ବିଷୟରେ ପିଲାମାନେ କେବଳ ସ୍କୁଲ ବହିରେ ପଢିବେ ବୋଲି ଅଞ୍ଚଳର ପ୍ରକୃତିପ୍ରେମୀ ମାନେ କହୁଛନ୍ତି।ଖୋଲାସ୍ଥାନ, ନଦୀନାଳ ତଟରେ ଅଧିକ ମାତ୍ରାରେ ତାଳଚାରା ରୋପଣକୁ ବନବିଭାଗ ଗୁରୁତ୍ବଦେବାକୁ ଦାବି ହେଉଛି। ଏହାଦ୍ୱାରା ବାୟା ଚଢେଇ ବଂଶବୃଦ୍ଧି ସହ ବଜ୍ରପାତ କ୍ଷୟକ୍ଷତି କିଛି ମାତ୍ରାରେ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ମତପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *