
ଭୁବନେଶ୍ବର: ଆଜି ବିଶ୍ୱ ହସ୍ତୀ ଦିବସ । ପ୍ରତିବର୍ଷ ଅଗଷ୍ଟ 12 ତାରିଖକୁ ବିଶ୍ୱ ହାତୀ ଦିବସ ଭାବରେ ପାଳନ କରାଯାଇଥାଏ । ହାତୀ ଏକ ଶାନ୍ତିପ୍ରିୟ ତଥା ନୀରିହ ପ୍ରାଣୀ । ଆଜିକାଲି ସହରୀକରଣ ଯୋଗୁଁ ଏହାର ବସତି ବିପର୍ଯ୍ୟସ୍ତ ହୋଇପଡ଼ିଛି । ଜଙ୍ଗଲରେ ଖାଦ୍ୟାଭାବ ଯୋଗୁଁ ସହରମୁହାଁ ହେଉଛି ଗଜରାଜ । ଫଳରେ ମଣିଷ- ହାତୀ ମୁହାଁମୁହିଁରେ ବଳି ପଡୁଛନ୍ତି ଉଭୟ ପ୍ରାଣୀ । ଏହା ସହିତ ଚୋର ତସ୍କରଙ୍କ ଲୋଲୁପ ଦୃଷ୍ଟିରୁ ମଧ୍ୟ ନିସ୍ତାର ପାଇନାହିଁ ହାତୀ । ବନବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଚେତୁନାହିଁନ୍ତି ମାଫିଆ । ଫଳରେ ଏହି ନିଷ୍କପଟ ପ୍ରାଣୀର ଅସମୟରେ ମୃତ୍ୟୁ ବୃଦ୍ଧି ପାଉଛି ।ଅନେକ ଧର୍ମ ଏବଂ ସଂସ୍କୃତିରେ, ହାତୀକୁ ଏକ ଶୁଭ ପ୍ରାଣୀ ଭାବରେ ବିବେଚନା କରାଯାଏ । ଏହା ଆମ ଇତିହାସ, ପରମ୍ପରା ଓ ଐତିହ୍ୟ ସହିତ ଘନିଷ୍ଠ ଭାବରେ ଜଡିତ । ରାଜାଙ୍କ ସେନାର ସାମର୍ଥ୍ୟ ଦିନେ ହସ୍ତୀ ସଂଖ୍ୟାରୁ ବିବେଚନା କରାଯାଉଥିଲା । ଚାଲନ୍ତୁ ଜାଣିବା ଏହି ବିଶାଳକାୟ ପ୍ରାଣୀ ସମ୍ପର୍କରେ କିଛି ବିଶେଷ ତଥ୍ୟ ।
ହାତୀଙ୍କ ବିଷୟରେ କିଛି ରୋଚକ ତଥ୍ୟ:ହାତୀମାନେ ସର୍ବଦା ଦଳରେ ରହିବାକୁ ପସନ୍ଦ କରନ୍ତିହାତୀମାନଙ୍କ ମସ୍ତିଷ୍କ ବହୁ ବଡ଼ ହୋଇଥାଏ, ଯାହା ଦ୍ବାରା ସେମାନଙ୍କ ସ୍ମରଣଶକ୍ତି ଖୁବ ତୀକ୍ଷ୍ଣ ହୋଇଥାଏଆକାରରେ ଆଫ୍ରିକୀୟ ହାତୀ, ଏସୀୟ ହାତୀଙ୍କ ଠାରୁ ବଡ଼ ହୋଇଥାନ୍ତିଏସୀୟ ହାତୀଙ୍କ ସର୍ବାଧିକ ଆୟୁ 48ବର୍ଷ ହୋଇଥିବା ବେଳେ ଆଫ୍ରିକୀୟ ହାତୀଙ୍କ ସର୍ବାଧିକ ଆୟୁ 70 ବର୍ଷ ହୋଇଥାଏଆଫ୍ରିକୀୟ ହାତୀମାନଙ୍କ ଓଜନ 6 ଟନ ହୋଇଥିବା ବେଳେ ଏସୀୟ ହାତୀଙ୍କ ଓଜନ ପାଖାପାଖି 4 ଟନ ହୋଇଥାଏଭାରତର ଜାତୀୟ ଐତିହ୍ୟ ପ୍ରାଣୀ:ହାତୀକୁ ଭାରତର ଜାତୀୟ ଐତିହ୍ୟ ପ୍ରାଣୀ ଭାବରେ ସ୍ୱୀକୃତି ଦିଆଯାଇଛି । ପ୍ରତିବର୍ଷ ଅଗଷ୍ଟ 12 ତାରିଖକୁ ବିଶ୍ୱ ହାତୀ ଦିବସ ଭାବରେ ପାଳନ କରାଯାଇଥାଏ । ସାରା ବିଶ୍ୱରେ ହାତୀଙ୍କ ସୁରକ୍ଷା ଏବଂ ସଂରକ୍ଷଣର ବାର୍ତ୍ତା ସହିତ ଏ ବିଷୟରେ ସଚେତନତା ସୃଷ୍ଚି ପାଇଁ ଏହି ଦିବସ ପାଳନ କରାଯାଇଥାଏ ।
ବିଶ୍ୱରେ ହାତୀଙ୍କର 3ଟି ପ୍ରମୁଖ ପ୍ରଜାତି ରହିଛି ।ଏସିୟ ହାତୀ,ଆଫ୍ରିକୀୟ ସାଭାନା ହାତୀ,ଆଫ୍ରିକୀୟ ଜଙ୍ଗଲୀ ହାତୀ
ଓଡିଆ ସଂସ୍କୃତିରେ ହାତୀ:ପ୍ରଭୁ ଶ୍ରୀଜଗନ୍ନାଥ ହାତୀ ବେଶରେ ସ୍ନାନପୂର୍ଣ୍ଣିମାରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ଏପରିକି ମାଘ ପୂର୍ଣ୍ଣିମା ତିଥିରେ ଗଜ ଉଦ୍ଧାରଣ ବେଶ ଧାରଣ କରନ୍ତି ମହାପ୍ରଭୁ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଥିବା 4 ପ୍ରମୁଖ ଦ୍ବାର ମଧ୍ୟରେ ହାତୀ ଦ୍ୱାର ରହିଛି । କେବଳ ଜଗନ୍ନାଥ ମନ୍ଦିର ନୁହେଁ ଓଡ଼ିଶାର ଅନ୍ୟାନ୍ୟ ମନ୍ଦିରରେ ଏପରି ଅନେକ ଅନନ୍ୟ ବୈଶିଷ୍ଟ୍ୟଗୁଡ଼ିକ ହାତୀ ସହିତ ଆମର ସ୍ଥାୟୀ ସମ୍ପର୍କକୁ ପ୍ରତିଫଳିତ କରିଥାଏ ।
ରଥଯାତ୍ରା ସମୟରେ ରଥ ଟାଣୁଥିଲେ ହସ୍ତୀ:ପୂରାତନ ସମୟରେ ତାଲିମପ୍ରାପ୍ତ ହାତୀମାନେ ମନ୍ଦିର ରୀତିନୀତି ଏବଂ ଶୋଭାଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଥିଲେ । ବିଶେଷକରି ରଥଯାତ୍ରା ସମୟରେ ହସ୍ତୀ ରଥ ଟାଣୁଥିଲେ । ଧଉଳିର ମହାନ ପଥର-କଟା ହାତୀ ମୂର୍ତ୍ତିଠାରୁ ଆରମ୍ଭ କରି କୋଣାର୍କର ଜଟିଳ କାରୁକାର୍ଯ୍ୟ ଏବଂ ଜଗନ୍ନାଥ ପୂଜାରେ ହାତୀମାନଙ୍କର ଦିବ୍ୟ ସାଜସଜ୍ଜା ପର୍ଯ୍ୟନ୍ତ, ଓଡ଼ିଶାର ଐତିହ୍ୟରେ ହାତୀଙ୍କ ସ୍ଥାନ ଅଦ୍ବିତୀୟ ।ମହାଲକ୍ଷ୍ମୀଙ୍କ ବାହନ:ଆମ ଇତିହାସ ଓ ପରମ୍ପରାରେ ହାତୀମାନେ ଗଭୀର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସ୍ଥାନ ବଜାୟ ରଖିଛନ୍ତି । ଏପରି କି ହାତୀମାନଙ୍କୁ ଧନ ଏବଂ ସମୃଦ୍ଧିର ଦେବୀ ମହାଲକ୍ଷ୍ମୀଙ୍କ ବାହନ ବା ଦିବ୍ୟ ବାହକ ଭାବରେ ବିବେଚନା କରାଯାଏ । ଏପରି ଦେବରାଜ ଇନ୍ଦ୍ରଙ୍କ ବାହାନ ଥିଲା ଐରାବତ ନାମକ ଏକ ଦିବ୍ୟ ହସ୍ତୀ । ହିନ୍ଦୁ ଧର୍ମରେ ଦେବତାଙ୍କ ସହିତ ହାତୀର ଏକ ଗଭୀର ଆଧ୍ୟାତ୍ମିକ ସମ୍ପର୍କ ବହୁ ପୁରାତନ କାଳରୁ ରହିଆସିଛି
ଭାରତରେ ଏସିୟ ହାତୀଙ୍କ ସଂଖ୍ୟା:ବିଶ୍ୱରେ ପ୍ରାୟ ୫୦ ହଜାର ଏସିୟ ହାତୀ ଅଛନ୍ତି । ଯେଉଁଥିରୁ ଭାରତରେ ହାତୀ ସଂଖ୍ୟା ପ୍ରାୟ ୩୦ ହଜାର । ଭାରତରେ ଥିବା ହାତୀ ସଂଖ୍ୟା ବିଶ୍ୱର ଏସିୟ ହାତୀ ଜନସଂଖ୍ୟାର 60 ପ୍ରତିଶତ । ଏସିୟ ହାତୀ ସମଗ୍ର ଏସିଆର 13ଟି ଦେଶରେ ଦେଖାଯାଆନ୍ତି ।
ଓଡିଶାରେ ହାତୀଙ୍କ ସଂଖ୍ୟା:ଓଡ଼ିଶା, ଭାରତର ପୂର୍ବ-ମଧ୍ୟ ଅଞ୍ଚଳରେ ଅବସ୍ଥିତ । ଯାହା ଏସୀୟ ହାତୀଙ୍କ ପାଇଁ ଏକ ପ୍ରମୁଖ ବାସସ୍ଥଳୀ ଅଟେ । ଜାତୀୟ ହାତୀ ସଂଖ୍ୟାର ପ୍ରାୟ 6.6 ପ୍ରତିଶତ ଓଡ଼ିଶାରେ ବାସ କରନ୍ତି ।ଆମ ରାଜ୍ୟରେ ହାତୀ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିଛି । ୨୦୨୪ ମସିହାରେ ହୋଇଥିବା ହାତୀ ଗଣନା ଅନୁଯାୟୀ, ୨୮ଟି ଜିଲ୍ଲାର ୪୮ଟି ବନ ଡିଭିଜନରେ ମୋଟ ୨୦୯୮ ହାତୀ ରହିଛନ୍ତି । ୨୦୧୭ ମସିହାରେ ହୋଇଥିବା ପୂର୍ବ ଗଣନା ସମୟରେ ହାତୀ ସଂଖ୍ୟା ଥିଲା ୧୯୩୮ । ରାଜ୍ୟରେ ହାତୀ ସଂଖ୍ୟା ବୃଦ୍ଧି ପାଇଛି । ମୋଟ ୨୦୯୮ ହାତୀ ମଧ୍ୟରୁ ୧୦୩୦ଟି ମାଈ ହାତୀ ରହିଥିବା ବେଳେ ୪୭୪ଟି ପୁରୁଷ ହାତୀ ଏବଂ ୫୯୪ଟି ଛୁଆ ହାତୀ ରହିଛନ୍ତି । ବିଶେଷ କରି ଅନୁଗୋଳ, ଆଠଗଡ଼, ଢେଙ୍କାନାଳ, ବାରିପଦା, ଚନ୍ଦକା, ଖୋର୍ଦ୍ଧା, ବୋନାଇ ଏବଂ କେନ୍ଦୁଝର ଆଦି ସ୍ଥାନରେ ହାତୀମାନେ ଅଧିକ ଦେଖିବାକୁ ମିଳନ୍ତି ।ଏହି ସ୍ଥାନରେ ହାତୀସଂଖ୍ୟାରେ ହ୍ରାସ ଘଟିଛି:ତେବେ ହାତୀ ଗଣନାରେ ଶିମିଳିପାଳ ଉତ୍ତର, ଶିମିଳିପାଳ ଦକ୍ଷିଣ, ବାଲେଶ୍ଵର ବନ୍ୟପ୍ରାଣୀ ଡିଭିଜନ, ରାଇରଙ୍ଗପୁର, ବଲାଙ୍ଗୀର ଏବଂ ପାରଳାଖେମୁଣ୍ଡି ଭଳି ନିର୍ଦ୍ଦିଷ୍ଟ ଅଞ୍ଚଳରେ ହାତୀଙ୍କ ହ୍ରାସ ପାଇଥିବା ଜଣାପଡିଛି । ଏହା ସହିତ ଓଡ଼ିଶାର ଜଙ୍ଗଲର ହାତୀ ବହନ କ୍ଷମତା ୧୭୦୦ ରୁ ୧୮୦୦ ହାତୀ ରହିବାର କ୍ଷମତା ରହିଛି । ଓଡିଶାରେ ଏପରି 14 ଟି ପାରମ୍ପରିକ ହାତୀ କରିଡର ଚିହ୍ନଟ କରାଯାଇଛି ।
କଣ ରହିଛି ଯୋଜନା:ଆମ ରାଜ୍ୟରେ ତିନୋଟି ଅଧିସୂଚିତ ହାତୀ ସଂରକ୍ଷଣ ସ୍ଥାନ ରହିଛି । ଯଥା – ମହାନଦୀ ହାତୀ ସଂରକ୍ଷଣ କ୍ଷେତ୍ର, ସମ୍ବଲପୁର ହାତୀ ସଂରକ୍ଷଣ କ୍ଷେତ୍ର ଏବଂ ମୟୂରଭଞ୍ଜ ହାତୀ ସଂରକ୍ଷଣ କ୍ଷେତ୍ର । ଏଗୁଡ଼ିରର ମୋଟ କ୍ଷେତ୍ରଫଳ ରହିଛି 8508.95 ବର୍ଗ କିଲୋମିଟର । ବିଶେଷ କରି ମହାନଦୀ ଏବଂ ସମ୍ବଲପୁରରେ ହାତୀ ସଂରକ୍ଷଣ କ୍ଷେତ୍ରକୁ 2513.36 ବର୍ଗ କିଲୋମିଟରକୁ ସମ୍ପ୍ରସାରଣ କରିବାର ଯୋଜନା କରାଯାଉଛି ।