ଶ୍ୱଶୁର ଓ ଦିଅର ଙ୍କ ନିର୍ଯ୍ୟାତନାରେ ଅତିଷ୍ଟ ମହିଳା ଥାନାର ଦ୍ୱାରସ୍ଥ

ଚୌଦ୍ୱାର (ଶିବବ୍ରତ ଦାସ ) ଚୌଦ୍ୱାର ଥାନା ଅନ୍ତର୍ଗତ କରଞ୍ଜି ପଞ୍ଚାୟତ ହରିଡାପାଳ ଅଞ୍ଚଳରେ ଘଟିଥିବା ଏହି ଘଟଣା କେବଳ ଜଣେ ବ୍ୟକ୍ତିଙ୍କ ଦୁଃଖ କଥା ନୁହେଁ, ବରଂ ପ୍ରଶାସନୀୟ ସମ୍ବେଦନଶୀଳତାର ଆଇନାକୁ ମଧ୍ୟ ଫାଟିଯିବାକୁ ବାଧ୍ୟ କରୁଛି। ଅଭିଯୋଗକାରୀ ନ୍ୟାୟ ଆଶାରେ ଥାନାର ଦ୍ବାରସ୍ଥ ହେଲେ, କିନ୍ତୁ ଦୁଃଖର ବିଷୟ ଥାନାର ଦ୍ୱାର ଥିଲା, କିନ୍ତୁ ଶୁଣିବାକୁ କାନ ନଥିଲା। ଘଟଣାର ବିବରଣୀ ଦେଖିଲେ ପ୍ରକାଶ ପାଉଛି ଯେ ଅଭିଯୋଗ ଗୁରୁତର ଥିଲା, ପ୍ରମାଣ ଓ ପରିସ୍ଥିତି ସ୍ପଷ୍ଟ ଥିଲା। ତଥାପି କାର୍ଯ୍ୟାନୁଷ୍ଠାନର ଗତି ଏମିତି ଧୀର ଯେ ମନେ ହୁଏ ନ୍ୟାୟ ବୋଧେ ଛୁଟିରେ ଯାଇଛି। ପ୍ରଶ୍ନ ଉଠୁଛି—ଆମ ସମାଜରେ ସାଧାରଣ ନାଗରିକଙ୍କ ଆବାଜ କେତେ ହାଲୁକା ଯେ ସେଥିପାଇଁ ଆଇନର କାନ ପହଞ୍ଚୁନାହିଁ?
ଅଭିଯୋଗକାରୀ ଦାବି କରୁଛନ୍ତି ଯେ ସେମାନେ ପୁନଃପୁନଃ ଅନୁରୋଧ କଲେ, ଲିଖିତ ଭାବରେ ଜଣାଇଲେ, ତଥାପି ଯଦି ନ୍ୟାୟ ଅପେକ୍ଷାରେ ଅଟକି ରହିଯାଏ, ତେବେ ଏହା କେବଳ ଅଲସତା ନୁହେଁ କି? ନା କି ଆମ ପ୍ରଶାସନୀୟ ବ୍ୟବସ୍ଥାର ଏକ ପ୍ରଚଳିତ ଅଭ୍ୟାସ?
ନ୍ୟାୟ ଯଦି ସମୟରେ ନମିଳେ, ସେହି ନ୍ୟାୟ ଅନ୍ୟାୟ ସମାନ। ଏହି ଘଟଣାରେ ମଧ୍ୟ ସେଇ ପ୍ରଶ୍ନ ଉଠୁଛି—ଅଭିଯୋଗକୁ କାଗଜରେ ରଖି ଦେବାରେ କାହାର ସୁବିଧା? ଏବଂ ଏହି ନିରବତାର ଲାଭ କାହାକୁ? ସମାଜ ଆଜି ଜାଗୃତ। ସୋସିଆଲ ମିଡ଼ିଆ ଓ ସାମ୍ବାଦିକତାର ଆଲୋକ ଅନ୍ଧକାର କୋଣକୁ ମଧ୍ୟ ଉଜାଗର କରୁଛି। ତେଣୁ ପ୍ରଶାସନଙ୍କ ପାଇଁ ଏହା ଚେତାବନୀ—ଦାୟିତ୍ୱରୁ ପଳାଇବାର ଦିନ ଶେଷ। ନାଗରିକଙ୍କ ଅଧିକାର କୌଣସି ଦୟା ନୁହେଁ, ସେହିଟା ସଂବିଧାନିକ ଅଧିକାର। ଏହି ଘଟଣା କେବଳ ଜଣେ ବ୍ୟକ୍ତିଙ୍କ ନୁହେଁ, ସମଗ୍ର ପ୍ରଣାଳୀର ପରୀକ୍ଷା। ଏବେ ଦେଖିବାକୁ ଅଛି—ନ୍ୟାୟର ତରାଜୁ ସମତଳ ରହିବ, ନା ପ୍ରଭାବ ଓ ପରିଚୟର ଭାରରେ ଏକ ପାର୍ଶ୍ୱକୁ ଝୁଲିଯିବ?