“ଫିଙ୍ଗରପ୍ରିଣ୍ଟ ଫେଲ୍, ଭତ୍ତା ଅଟକିଗଲା: ୮୦ ବର୍ଷୀୟ ବୃଦ୍ଧାଙ୍କ ଅସହାୟ ଆକୁଳ ଆବେଦନ

ନୂଆପଡା (ପରମେଶ୍ୱର ମେହେର )
ନୂଆପଡା ଜିଲ୍ଲାର ସିନାପାଲି ବ୍ଲକ ଅନ୍ତର୍ଗତ ଖରସେଲ ପଂଚାୟତର ବୈଗାପଡା ଗ୍ରାମର ଏକ କୋଣେ ନିରବ ଭାବେ କାଟୁଛି ଏକ ବୃଦ୍ଧାଙ୍କ ଜୀବନ। ସେହି ବୃଦ୍ଧା ହେଲେ ବିଧବା ଶ୍ରୀମତୀ ଅଲେଁ ବେମାଲ—ବୟସ ୮୦ ବର୍ଷ ଉର୍ଦ୍ଧ। ଜୀବନର ସେହି ସମୟରେ, ଯେଉଁଠାରେ ଦରକାର ଥାଏ ସହାରା, ସ୍ନେହ ଓ ଶାନ୍ତି, ସେଠାରେ ସେ ଆଜି ଯନ୍ତ୍ରଣା ଓ ଅସହାୟତାରେ ଡୁବି ରହିଛନ୍ତି।
ତାଙ୍କର ଏକମାତ୍ର ଭରସା ହେଉଛି ସରକାରୀ ବୃଦ୍ଧାଭତ୍ତା। ସେହି କିଛି ଟଙ୍କାରେ ସେ ଚଲନ୍ତି ତାଙ୍କ ଦୈନନ୍ଦିନ ଜୀବନ—ଦୁଇ ମୁହଁ ଖାଦ୍ୟ, କିଛି ଔଷଧ, ଓ ଜୀବନ ଚାଲାଇବାର ଅଳ୍ପ ସାହାରା। କିନ୍ତୁ ଦୁଃଖର କଥା, ସେହି ଭତ୍ତା ତାଙ୍କ ଏକାଉଣ୍ଟକୁ ଯାଉଥିଲେ ମଧ୍ୟ, ସେ ତାହା ଉଠାଇପାରୁନାହାନ୍ତି।
କାରଣ—ତାଙ୍କ ଆଙ୍ଗୁଠି ଏବେ ମେସିନ୍‌ରେ ଚିହ୍ନି ହେଉନାହିଁ। ବୟସର ଭାରରେ ତାଙ୍କ ଫିଙ୍ଗରପ୍ରିଣ୍ଟ ମେଳ ଖାଉନାହିଁ। ପ୍ରତିଥର CSP କେନ୍ଦ୍ରରେ ତାଙ୍କ ପକ୍ଷରୁ ଚେଷ୍ଟା ହେଉଥିଲେ ମଧ୍ୟ, ମେସିନ୍ ତାଙ୍କୁ ଚିହ୍ନି ପାରୁନାହିଁ। ପୁନଃପୁନି ବିଫଳ ଚେଷ୍ଟା ତାଙ୍କ ଆଶାକୁ ଭାଙ୍ଗି ଦେଉଛି।
ଏହି ବୟସରେ ଅସହାୟ ହୋଇ ପଡ଼ିଥିବା ଶ୍ରୀମତୀ ବେମାଲ ଆଜି ନିଜ ଅଧିକାର ପାଇଁ ଅନ୍ୟଙ୍କ ଉପରେ ନିର୍ଭରଶୀଳ। ତାଙ୍କ ଆଖିରେ ଥିବା ଅଶ୍ରୁ ଓ ମନରେ ଥିବା ଯନ୍ତ୍ରଣା ସ୍ପଷ୍ଟ କରୁଛି ତାଙ୍କ ଅବସ୍ଥାର ଗମ୍ଭୀରତା।
ଭତ୍ତା ନ ମିଳିବାରୁ ତାଙ୍କ ଜୀବନ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ଖାଦ୍ୟ ଯୋଗାଡ଼ କରିବାରେ ସମସ୍ୟା, ଔଷଧ କିଣିବାରେ ଅସମର୍ଥତା—ଏହି ସବୁ ତାଙ୍କ ଦୈନନ୍ଦିନ ଜୀବନର ଅଂଶ ହୋଇଯାଇଛି। ପଡ଼ୋଶୀ ଓ ଗ୍ରାମବାସୀମାନେ କେବେ କେବେ ସହାୟତା କରୁଥିଲେ ମଧ୍ୟ, ସେହି ସହାୟତା ସ୍ଥାୟୀ ସମାଧାନ ନୁହେଁ।
ସ୍ଥାନୀୟ ଲୋକମାନଙ୍କ କହିବା—“ଏମିତି ବୃଦ୍ଧାଙ୍କ ପାଇଁ ସରକାର ଯଦି ହାତରେ ଭତ୍ତା ଦେବା ବ୍ୟବସ୍ଥା କରନ୍ତି, ତାହାଲେ ସେମାନେ ବଞ୍ଚିପାରିବେ। ସବୁଠାରେ ଡିଜିଟାଲ୍ ବ୍ୟବସ୍ଥା ସଫଳ ହୁଏନାହିଁ।”
ଶ୍ରୀମତୀ ଅଲେଁ ବେମାଲଙ୍କ ଆକୁଳ ଆବେଦନ—“ମୋତେ ମୋର ଭତ୍ତାଟି ହାତରେ ଦିଅନ୍ତୁ। ମୁଁ ଏହି ବୟସରେ ଆଉ ହଇରାଣ ହେବାକୁ ଚାହୁଁନି… ମୋର ଜୀବନଟା ଶାନ୍ତିରେ କାଟିବାକୁ ଦିଅନ୍ତୁ।”
ଏହି ଅସହାୟ ବୃଦ୍ଧାଙ୍କ ଲୁହକୁ କେବେ ପୋଛିବେ ପ୍ରଶାସନ ? ଦେଖିବାକୁ ବାକି ରହିଲା l