
ଭଞ୍ଜନଗର,୧୭/୦୪: (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ପ୍ରତି ୧୦ ବର୍ଷକୁ ଥରେ ଦେଶରେ ଜନଗଣନା ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବିକାଶ ଯୋଜନା ହୋଇଥାଏ। ଶେଷଥର ପାଇଁ ୨୦୧୧ ରେ ଦେଶରେ ଜନଗଣନା ହୋଇଥିଲା। ୨୦୨୧ରେ ଜନଗଣନା ହେବାର ଥିଲା। କିନ୍ତୁ ସେ ସମୟରେ ସମଗ୍ର ପୃଥିବୀରେ କରୋନା ଭାଇରସ ଆତଙ୍କ ଲାଗିରହିଥିବା ଯୋଗୁ ତାହା ସେ ସମୟରେ ଆଉ ହୋଇ ପାରି ନ ଥିଲା। ଏହାପରେ ୫ ବର୍ଷ ବିଳମ୍ବରେ ବର୍ତ୍ତମାନ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି। ତାହା ୨୦୨୭ରେ ସରିବ। ଏହିଭଳି ଭଞ୍ଜନଗର ତହସିଲ ଅଞ୍ଚଳରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି। ଜନଗଣନାରେ ନିୟୋଜିତ ପ୍ରାୟ ୬୦୦ କର୍ମଚାରୀ ବର୍ତ୍ତମାନ ଘରକୁ ଘର ବୁଲି ନମ୍ବର କରୁଛନ୍ତି। ଏହା ପୁର୍ବରୁ ଏପ୍ରିଲ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଲୋକେ ନିଜେ ନିଜର ତଥ୍ୟ ଅନଲାଇନରେ ଦାଖଲ କରିଥିଲେ।
ଅପରପକ୍ଷେ ଶୁକ୍ରବାର ଭଞ୍ଜନଗର ତହସିଲଦାର ଅଭିପ୍ସା ପଟ୍ଟନାୟକ ଏବଂ ଅତିରିକ୍ତ ତହସିଲଦାର ଅବିନାଶ ମହାର, କୁଲାଡ ଆର୍ଆଇ ଭଗବାନ ବେହେରା ସହ ଅନ୍ୟାନ୍ୟ ଅଧିକାରୀମାନେ କୁଲାଡ ଗ୍ରାମର ଘରକୁ ଘର କାର୍ଯ୍ୟର ଅଗ୍ରଗତି ନିରୀକ୍ଷଣ କରିଥିଲେ। ଏହି ସମୟରେ ତହସିଲଦାର ଜନଗଣନାର ସଠିକ୍ ତଥ୍ୟ ସଂଗ୍ରହ ଓ ନିୟମାନୁସାରେ କାମ ସମ୍ପାଦନ ପାଇଁ କର୍ମଚାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।
ଅନ୍ୟପଟେ ଭଞ୍ଜନଗର ମ୍ୟୁନିସିପାଲିଟି ଅଞ୍ଚଳରେ ମଧ୍ୟ ଜନଗଣନା କାର୍ଯ୍ୟକୁ ସୂଚାରୁ ଭାବେ କରିବା ପାଇଁ ନିୟୋଜିତ କର୍ମଚାରୀଙ୍କୁ ବିଭିନ୍ନ ଦିନରେ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା। ଏହି ତାଲିମରେ ତଥ୍ୟ ସଂଗ୍ରହ ପ୍ରଣାଳୀ, ଫର୍ମ ପୂରଣ ଓ ଡିଜିଟାଲ ଉପକରଣ ବ୍ୟବହାର ବିଷୟରେ ବିସ୍ତୃତ ଅବଗତ କରାଯାଇଥିଲା।
ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ସଠିକ୍ ଓ ସମୟୋପଯୋଗୀ ତଥ୍ୟ ସଂଗ୍ରହ ହେଲେ ଭବିଷ୍ୟତରେ ବିକାଶମୂଳକ ପ୍ରକଳ୍ପ ଯୋଜନାରେ ବହୁତ ସହଯୋଗ ମିଳିବ। ତେଣୁ ଜନଗଣନା ନିର୍ଭୁଲ ତାଲିକା ପ୍ରସ୍ତୁତ ଉପରେ ଗୁରୁତ୍ୱ ଦିଆଯାଇଛି। ପୌରପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ନିର୍ବାହୀ ଅଧିକାରୀ ମୁରଲୀକୃଷ୍ଣ ପଣ୍ଡା ତାଲିମରେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ।