
ଭଞ୍ଜନଗର ୧୭/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପୁଲିସ ଗତକାଲି ବିଳମ୍ବିତ ରାତିରେ ସହରର ଶଙ୍ଖ ସାହିରେ ଚଢାଉ କରି ଏକ ସେକ୍ସ ରାକେଟ୍ ଠାବ କରିଛି। ଘଟଣାରେ ପୁଲିସ ୬ ଜଣଙ୍କୁ ଧରିଛି। ସେମାନଙ୍କ ମଧ୍ୟରେ ୪ଜଣ ଯୁବ ଗ୍ରାହକ ଥିବା ବେଳେ ଜଣେ ଯୁବତୀ ଓ ଜଣେ କିନ୍ନର କିଙ୍ଗପିନ୍ ରହିଛନ୍ତି। ଶୁକ୍ରବାର କିଙ୍ଗପିନ୍ ସମେତ ପାଞ୍ଚ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଜିବନାନନ୍ଦ ଜେନା ସଚନା ଦେଇଛନ୍ତି।
ସୂଚନା ମୁତାବକ, ସହରର ଶଙ୍ଖ ସାହିରେ ଏହି କାରବାର ଦୀର୍ଘ ଦିନ ହେଲା ଚାଲିଥିଲା। ବିଭିନ୍ନ ଆଡୁ ଯୁବତୀଙ୍କୁ ଡାକି ଜଣେ କିନ୍ନର ଏହି ଦେହ ବେପାର ଚଳାଉଛନ୍ତି ବୋଲି ପୁଲିସ ଜାଣିବାକୁ ପାଇଥିଲା। ଯେହେତୁ, ଦେହ ବେପାର ଚାଲୁଥିବା ଘରଟି ସାହି ମଧ୍ୟରେ ତିଆରି ହୋଇଥିଲା, ତେଣୁ ସେକ୍ସ ରାକେଟ୍ କାହାରି ନଜରକୁ ଆସି ପାରିବ ନାହିଁ ବୋଲି ରାକେଟ୍ରେ ସମ୍ପୃକ୍ତ ଅପରାଧୀମାନେ ଚିନ୍ତା କରିଥିଲେ। କିନ୍ତୁ, ଦୀର୍ଘ ଦିନ ଧରି ଏହି ରାକେଟ୍ ଚାଲିଲା ପରେ ପୁଲିସ କାନରେ କଥା ପଡ଼ିଥିଲା। ତେଣୁ, ଭଞ୍ଜନଗର ଥାନା ପୁଲିସ ବୁଧବାର ବିଳମ୍ବିତ ରାତି ସମୟରେ ସମ୍ପୃକ୍ତ ଘରକୁ ଘେରାଉ କରି ଭିତରେ ପଶିଥିଲା। ଘର ଖୋଲିଲା ବେଳକୁ ଯୁବତୀ ଙ୍କ ସହ ଜଣେ ଯୁବକ ଅସଂଯତ ଅବସ୍ଥାରେ ରହିଥିଲେ। ଏହା ସହ ତିନି ଜଣ ଯୁବକ ମଧ୍ୟ ଦେହ ସୁଖ ମେଣ୍ଟାଇବା ପାଇଁ ଘର ଭିତରେ ଅପେକ୍ଷାରେ ରହିଥିଲେ। ସେଥିରୁ ୪ଜଣ ଗ୍ରାହକ ବୋଲି ପୁଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି। ଘଟଣାସ୍ଥଳରୁ ପୁଲିସ ମୋଟ୍ ୫ଟି ମୋବାଇଲ୍ ଫୋନ୍,ବହୁ କଣ୍ଡୋମ୍, ବିୟର ବୋତଲ ଜବତ କରିଛି। ଶୁକ୍ରବାର କିଙ୍ଗପିନ୍ ସମେତ ପାଞ୍ଚ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଗ୍ରାହକ ମାନେ ପ୍ରାୟ ଶ୍ରମିକ ଶ୍ରେଣୀୟ ବୋଲି ପୁଲିସ ଅନୁସନ୍ଧାନରୁ ଜଣାପଡ଼ିଛି। ଦେହ ସୁଖ ମେଣ୍ଟାଇବା ପାଇଁ ଏମାନେ ସେକ୍ସ ରାକେଟ୍ ସହିତ ଜଡି଼ତ ଥିଲେ। ଏହି ରାକେଟ୍ ରେ ଆଉ କିଏ ସବୁ ସମ୍ପୃକ୍ତ ଅଛନ୍ତି, ପୁଲିସ ତା’ର ଖୋଳତାଡ଼ ଆରମ୍ଭ କରିଛି।