
ଭଞ୍ଜନଗର ୧୭/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ପୁରୀରେ ଶ୍ରୀଜୀଉଙ୍କ ଘୋଷଯାତ୍ରାର ରଥ ନିର୍ମାଣ ପାଇଁ ତୃତୀୟ ପର୍ଯ୍ୟାୟରେ ରଥ କାଠ ପଠାଯାଇଛି। କେନ୍ଦ୍ରୀୟ ବନାଞ୍ଚଳର ଗାଙ୍ଗପୁର ଓ ଲାଠିପଡ଼ା ସେକ୍ସନରୁ କଟାଯାଇଥିବା ୧୬ ଖଣ୍ଡ କାଠକୁ ସ୍ବତନ୍ତ୍ର ଟ୍ରକ୍ ଯୋଗେ ଗୁରୁବାର ଖପୁରିଆ କରତ ମିଲ୍କୁ ପଠାଯାଇଛି। ବ୍ୟକ୍ତିଗତ ଜାଗାରେ ଗଛ ଲଗାଯାଇଥିବା ୮ ଜଣ ବ୍ୟକ୍ତି ସ୍ବଇଚ୍ଛାରେ ବନ ବିଭାଗ ଜରିଆରେ ରଥ ନିର୍ମାଣ ପାଇଁ ମୋଟ ୧୦ଟି ଗଛ ଦାନ କରିଛନ୍ତି।
ଲାଠିପଡ଼ା ସେକ୍ସନର ଗୋପାଳପୁର ଶାସନ ଗ୍ରାମରୁ ୬ଟି ଏବଂ ଗାଙ୍ଗପୁର ସେକ୍ସନ୍ ମାଳତୀ ଓ କେଶରାପଲ୍ଲୀ ଗ୍ରାମରୁ ୧୦ଟି କାଠ ସଂଗ୍ରହ ହୋଇଛି। ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଏସିଏଫ୍ ବିବେକ ଦାଶ, ରେଞ୍ଜର ପୃଥ୍ୱୀରାଜ ପ୍ରଧାନ, ବନପାଳ ଦିଲୀପ ଦାସ, ପିଙ୍କିନା ସାହୁ, ବୁଲୁ ନାୟକ ଓ ଅର୍ଚ୍ଚନା ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ। ପୁରୀରୁ ଆସିଥିବା ସ୍ବତନ୍ତ୍ର ଗାଡ଼ି ସାମ୍ନାରେ ବନଖଣ୍ଡ ଅଧିକାରୀ ଶ୍ରୀ ମହାନ୍ତିଙ୍କ ତତ୍ତ୍ବାବଧାନରେ ହୋମଯଜ୍ଞ ଓ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ପତାକା ଦେଖାଇ ଡିଏଫ୍ଓ ଏହାର ଶୁଭାରମ୍ଭ କରିଥିଲେ। ଶତାଧିକ ଶ୍ରଦ୍ଧାଳୁ ରଥକାଠକୁ ସ୍ବାଗତ କରିବା ପରେ ଗାଡ଼ି ପୁରୀ ଅଭିମୁଖେ ଯାଇଥିଲା। କିଛି ଶ୍ରଦ୍ଧାଳୁ ରାସ୍ତାର ଉଭୟ ପାର୍ଶ୍ଵରେ ରହି କପଡ଼ା ବାନ୍ଧିବା ସହ ପୂଜା କରୁଥିବା ଦେଖିବାକୁ ମିଳିଥିଲା।