
ଚୌଦ୍ଵାର (ଶିବବ୍ରତ ଦାସ ): ସହରକୁ ସଫା ଓ ସୁତରା ରଖିବାକୁ ଯେଉଁ ପୌରପାଳିକା ଦାବି କରୁଛି, ଆଜି ସେହି ପୌରପାଳିକା ନିଜେ ଆବର୍ଜନାରେ ଡୁବିଥିବା ଦୃଶ୍ୟ ଆଗକୁ ଆସିଛି। ଚୌଦ୍ଵାରର ଓ.ଟି.ଏମ୍ ଇଡକୋ ଜମି—ଯେଉଁଠି ଉନ୍ନୟନ ହେବା କଥା, ସେଠି ଆଜି ଅବୈଧ ଡମ୍ପିଂ ୟାର୍ଡ ଚାଲିଛି ଖୋଲା ଆକାଶ ତଳେ। ନା ଅଛି କୌଣସି ନିୟମ, ନା ଅଛି କୌଣସି ନିୟନ୍ତ୍ରଣ ଅଳିଆ ଆବର୍ଜନା ପକାଯାଉଛି ନିୟମିତ ଭାବରେ। ଫଳରେ କେବଳ ପରିବେଶ ନୁହେଁ, ସ୍ଥାନୀୟ ଲୋକଙ୍କ ଜୀବନ ମଧ୍ୟ ହେଉଛି ଅସୁରକ୍ଷିତ। ଦୁର୍ଗନ୍ଧ, ରୋଗ ଓ ଅସୁବିଧା ଦିନକୁ ଦିନ ଭୟାବହ ଆକାର ନେଉଛି। ସବୁଠାରୁ ବେଶି ହୃଦୟ ବିଦାରକ ଦୃଶ୍ୟ ନିରୀହ ପଶୁମାନଙ୍କର ଦୁର୍ଦ୍ଦଶା। ଖାଦ୍ୟ ଅଭାବରେ ଗାଈ, ଗୋରୁ ଓ କୁକୁର ଆବର୍ଜନା ଭିତରୁ ପ୍ଲାଷ୍ଟିକ, କାଗଜ ଓ ଜରି ଖାଇ ଧୀରେଧୀରେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଏହା କେବଳ ପଶୁ ନିର୍ଦୟତା ନୁହେଁ, ଏହା ଏକ ମାନବିକ ସଂକଟର ସ୍ପଷ୍ଟ ଚିତ୍ର। ଆଉ ଆଶ୍ଚର୍ଯ୍ୟର କଥା! ଏତେ ବଡ଼ ଘଟଣା ସତ୍ତ୍ୱେ ପାରିଷଦ ଠାରୁ ଆରମ୍ଭ କରି ଉଚ୍ଚ ପଦସ୍ଥ ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ନିରବ।ଅଭିଯୋଗ ହେଉଛି ସଫେଇ ଠିକା ସଂସ୍ଥାରୁ “ହାତ ଗୁଞ୍ଜ” ନେଇ ଚୌଦ୍ଵାର ପୌର ପ୍ରଶାସନ ଚୁପ୍ ରହିଛି। ଯେଉଁଠି ଟଙ୍କା ପାଇଁ ପରିବେଶ, ପଶୁ ଓ ଲୋକଙ୍କ ଜୀବନ ସହ ଖେଳ ହେଉଛି ସେଠି କାନୁନ୍ କେଉଁଠି? ପ୍ରଶ୍ନ ଉଠୁଛି— ପୌରପାଳିକା ଚାଲୁଛି କାନୁନ୍ ରେ? ନା ହାତ ଗୁଞ୍ଜାରେ? ଚୌଦ୍ଵାର ପୌର ଅଧିକାରୀଙ୍କୁ ପଚାରିଲେ— ସେ କହୁଛନ୍ତି, “ମୁଁ କିଛି ଜାଣିନି”। ଏହା କି ସତ୍ୟରେ ଅଜ୍ଞାନତା? ନା ଏହା ଏକ ଯୋଜିତ ନିରବତା? ଯେତେବେଳେ ସହରର ମୁଖ୍ୟ ସମସ୍ୟା ସମ୍ବନ୍ଧରେ ଅଧିକାରୀ ଅଜ୍ଞାତ ରହନ୍ତି, ସେତେବେଳେ ପ୍ରଶାସନ ଉପରେ ଭରସା କିପରି? ଏହି ଘଟଣା କେବଳ ପ୍ରଶାସନିକ ବିଫଳତା ନୁହେଁ। ଏହା ଲୋକଙ୍କ ସ୍ବାସ୍ଥ୍ୟ, ପରିବେଶ ଓ ଜୀବନ ସହ ଏକ ଗଭୀର ଅନ୍ୟାୟ। କେବେ ଭାଙ୍ଗିବ ଏହି ନିରବତା? କେବେ ସୁଧୁରିବ ଚୌଦ୍ଵାର ପୌରପାଳିକା?