ଏହିଦିନ ଆସିବ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସରିଲା ମାଟ୍ରିକ ପରୀକ୍ଷା | ଆଉ ପରୀକ୍ଷା ସରୁ ସରୁ ଘୋଷଣା ହୋଇଗଲା କେବେ ଆସିବ ରେଜଲ୍ଟ? ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ମୁତାବକ ମେ ପ୍ରଥମ ସପ୍ତାହରେ ଆସିବ ମାଟ୍ରିକ ରେଜଲ୍ଟ | ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇ କହିଛନ୍ତି ଯେ ମାର୍ଚ୍ଚ ୧୯ରୁ ଖାତା ଦେଖା ଆରମ୍ଭ ହେବ | ଆଉ ମିଳିଥିବା ସୂଚନା ମୁତାବକ ମେ ମାସ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ | ଉଲ୍ଲେଖ ଥାଉ କି ଚଳିତ ବର୍ଷ ମାଟ୍ରିକ୍, ମଧ୍ୟମା, ମୁକ୍ତବିଦ୍ୟାଳୟ ପରୀକ୍ଷା ପାଇଁ ମୋଟ ୫,୨୨,୩୩୬ ଜଣ ଫର୍ମପୂରଣ କରିଥିବା ବେଳେ ତିନିଟିଯାକ ପରୀକ୍ଷା ପାଇଁ ୩୧୩୩ ଟି ପରୀକ୍ଷାକେନ୍ଦ୍ର ଚୟନ କରାଯାଇଥିଲା । ସେହିପରି ପ୍ରଶ୍ନପତ୍ର ରଖିବା ପାଇଁ ୨୧ଟି ଥାନା, ଗୋଟିଏ ବିଟ୍ ହାଉସକୁ ମିଶାଇ ମୋଟ ୩୧୪ଟି ନୋଡାଲ୍‌ ସେଣ୍ଟର କରାଯାଇଥିଲା । ଚଳିତ ବର୍ଷ ପ୍ରଥମ ଥର ପାଇଁ ବୋର୍ଡ ପକ୍ଷରୁ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ୍‌ ରୋକିବା ପାଇଁ କ୍ୟୁଆର୍ କୋଡ୍ ବ୍ୟବସ୍ଥା କରାଯାଇଥିଲା ।ପ୍ରଶ୍ନପତ୍ରର ସବୁ ପୃଷ୍ଠାରେ, ଏପରିକି ପ୍ରତି ପ୍ରଶ୍ନରେ ଏହି କ୍ୟୁଆର୍ ‌କୋଡ୍ ରହିଛି। ଯଦି କୌଣସି ବ୍ୟକ୍ତି ମୋବାଇଲ୍‌ ବା ଅନ୍ୟ କୌଣସି ଉପକରଣ ସହାୟତାରେ ପ୍ରଶ୍ନପତ୍ରର ଫଟୋ ଉତ୍ତୋଳନ କରି ଭାଇରାଲ୍‌ କରିବାକୁ ଉଦ୍ୟମ କରନ୍ତି, ତେବେ ଏହା କେଉଁ ସେଣ୍ଟରରୁ ଆଉ କେଉଁ ପରୀକ୍ଷା ପ୍ରକୋଷ୍ଠରୁ ଭାଇରାଲ୍ କରାଯାଇଛି, ତାହା ସହଜରେ ଜାଣିବାର ବ୍ୟବସ୍ଥା କରାଯାଇଥିଲା। ପ୍ରଶ୍ନପତ୍ରଟି ଏଭଳି ପ୍ରସ୍ତୁତି ହୋଇଥିଲା ଯେ, କ୍ୟୁଆର୍‌ କୋଡକୁ ଲିଭାଇବାକୁ ଚେଷ୍ଟା କଲେ, ପ୍ରଶ୍ନ ଲିଭିଯିବ। ଏହା ବ୍ୟତୀତ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ର ସମେତ ନୋଡାଲ୍‌ ସେଣ୍ଟରରେ ସିସି କ୍ୟାମେରା ଖଞ୍ଜାଯାଇଥିଲା। ୩୧୪ ନୋଡାଲ ସେଣ୍ଟର ସମେତ ୬ଶହ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ଲାଇଭ୍‌ ଭିଡିଓ ବ୍ୟବସ୍ଥା କରାଯାଇଥିଲା ।

Leave a Reply

Your email address will not be published. Required fields are marked *