
ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟାଳୟ ସିଲ୍ ହୋଇଛି। ଏଠାକାର ଜଣେ କର୍ମଚାରୀଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କାର୍ଯ୍ୟାଳୟକୁ ଦୁଇଦିନ ପାଇଁ ସିଲ୍ କରାଯାଇଛି। ସାନିଟାଇଜେସନ୍ କରିବା ପାଇଁ ଦୁଇଦିନ ମଙ୍ଗଳବାର ଓ ବୁଧବାର ଏହି ଦୁଇଦିନ ଏୟାର୍ ଇଣ୍ଡିଆ ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି ବୋଲି ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି।
ଗୁରୁଦ୍ୱାରା ରକାବ୍ଗଞ୍ଜ ରୋଡ୍ ବିଲ୍ଡିଂରେ ନିଯୁକ୍ତି ପାଇଥିବା ଏହି କର୍ମଚାରୀ ଜଣଙ୍କଠାରେ ସୋମବାର ସନ୍ଧ୍ୟାରେ କୋଭିଡ୍-୧୯ ପଜିଟିଭ ଥିବା ଜଣା ପଡ଼ିଥିଲା।
ପ୍ରବାସୀ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଏୟାର ଇଣ୍ଡିଆ ବର୍ତ୍ତମାନ ପାଇଁ ବନ୍ଦେ ଭାରତ ମିଶନରେ କାର୍ଯ୍ୟରେ ଲିପ୍ତ ରିହଛି। ଏହି ମିଶନରେ ମେ ୭ ତାରିଖରୁ ମେ ୧୪ ତାରିଖ ପର୍ଯ୍ୟନ୍ତ ୬୪ ଟି ଫ୍ଲାଇଟ୍ ଦ୍ୱାରା ୧୨ଟି ଦେଶରେ ଫସିଥିବା ପ୍ରାୟ ୧୫ ହଜାର ପ୍ରବାସୀଙ୍କୁ ଭାରତ ଫେରାଇ ଅଣାଯିବାର ଯୋଜନା ରହିଛି।
ଏହାର ଦିନକ ପୂର୍ବରୁ ୫ ପାଇଲଟ୍ଙ୍କ ମଧ୍ୟରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା। କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ତାଙ୍କର ଟେଷ୍ଟ ହେବା ପରେ ସେମାନଙ୍କର ନେଗେଟିଭ୍ ରିପୋର୍ଟ ଆସିଥିଲା ବୋଲି ପିଟିଆଇ ରିପୋର୍ଟ ପ୍ରକାଶ କରିଛି। ଏମାନେ ସମସ୍ତେ ବୋଇଁ ୭୮୭ ବିମାନ ଉଡ଼ାଉଥିଲେ।
ସୂଚନାନୁସାରେ, ରବିବାର ଏହି ପାଇଲଟମାନଙ୍କୁ ଜଣେ ପରେ ଜଣେ ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରେ ୫ ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। କିନ୍ତୁ ଟେଷ୍ଟିଂ କିଟ୍ରେ ତ୍ରୁଟି ଥିବା ନେଇ ସନ୍ଦେହ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟେଷ୍ଟ କରାଯାଇଥିଲା। ଯାହାର ରିପୋର୍ଟ ନେଗେଟିଭ୍ ଆସିଥିଲା ବୋଲି ସୂଚନା ମିଳିଛି।