
ବେଲଗୁଣ୍ଠା ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରିୟବରପୁର ଗ୍ରାମ ନିକଟସ୍ଥ କାଜୁ ବଗିଚାରେ ଗତ ୧୫ ତାରିଖରେ ଶିବ ଶଙ୍କର ସେଠି ନାମକ ଜଣେ ଯୁବକଙ୍କୁ ହୋଇଥିବା ଆକ୍ରମଣ ଘଟଣା ରେ ପୋଲିସ ବୁଧବାର ୩ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ କ୍ଷତ୍ରୀୟବରପୁର ଗ୍ରାମର ସତ୍ୟଜିତ ପାଣିଗ୍ରାହୀ, ସନ୍ତୋଷ କୁମାର ସାହୁ ଓ ଲୁଣିପଡା ଶାସନର ଜିଲୁ ଗୌଡ଼ ବୋଲି ଜଣାପଡିଛି। ଏହା ସହ ସେମାନଙ୍କ ନିକଟରୁ ଏକ ମୋବାଇଲ, ଗୋଟିଏ କାତି ଓ ମୋଟର ସାଇକେଲ ଜବତ କରାଯାଇଥିବା ଥାନା ଅଧିକାରୀଣି ଶୁଭଲଷ୍ମୀ ପୂଜାରୀ ସୁଚନା ଦେଇଛନ୍ତି।ସୁଚନାନୁସାରେ, ଗତ ୧୫ ତାରିଖରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୪/୫ ଜଣ ଯୁବକ ସଂଘବଦ୍ଧ ଭାବେ ଶିବ ଶଙ୍କରଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଶିବ ଶଙ୍କରର ଡାହାଣ ହାତ ପାପୁଲିରେ ଗଭିର ଆଘାତ ଲାଗିଥିଲା। ଆକ୍ରମଣକାରୀ ମାନେ ତାଙ୍କ ହାତକୁ ଦୁଇ ଚୋଟ ପକାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରାୟ ଦେଢ କି.ମି ଦୂରଦୌଡି ସେ ଜୀବନ ବଞ୍ଚାଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ବୁଧବାର ଏହି ଘଟଣାରେ ପୁଲିସ ୩ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।