ଐତିହ୍ୟର ପୁନରୁଦ୍ଧାର, ପର୍ଯ୍ୟଟନର ସମ୍ଭାରଭାଜପା ସରକାରରେ ବିକଶିତ ହେଉଛି

ଭଞ୍ଜନଗର ୨୭/୦୬ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଦ୍ରୁତ ଗତିରେ ବଦଳୁଛି ଭଞ୍ଜନଗରର ରୂପରେଖ। ଖୁବ୍‌ଶୀଘ୍ର ଏହା ପର୍ଯ୍ୟଟକଙ୍କ ନୂଆ ଠିକଣା ହେବାକୁ ଯାଉଛି। ପୌରାଣିକ କିମ୍ବଦନ୍ତୀ ତଥା ଐତିହ୍ୟ ବହନ କରୁଥିବା ଚକରା ଘାଟି ଓ ଘାଟିଶୁଳା ପର୍ଯ୍ୟଟନର ଅପାର ସମ୍ଭାବନା ସୃଷ୍ଟି କରିବ ବୋଲି କୁହାଯାଉଛି। ଗତ ବର୍ଷେ ହେଲା ଏହି ପୀଠର ବିକାଶ କାର୍ଯ୍ୟ ଚାଲୁ ରହିଛି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଭଞ୍ଜନଗର ଜିଲ୍ଲାର ଅନ୍ୟତମ ଆକର୍ଷଣୀୟ ସ୍ଥାନ ହେବ ବୋଲି କୁହାଯାଉଛି।ଘୁମୁସର ବୀର ଚକରା ବିଷୋୟୀ ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ତେଣୁ ଉକ୍ତ ଗ୍ରାମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସି ମାଧ୍ୟମରେ ସ୍ମାରକୀ ଗ୍ରାମ ଭାବେ ଘୋଷଣା କରିଛନ୍ତି। ଉକ୍ତ ଗ୍ରାମର ବିକାଶ ପାଇଁ ରାଜ୍ୟ ସରକାର ୧୫ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ଯାହାକୁ ନେଇ ଗ୍ରାମବାସୀ ଖୁସିବ୍ୟକ୍ତ କରିଛନ୍ତି। ଏଥିସହ ଗ୍ରାମବାସୀଙ୍କ ପକ୍ଷରୁ ରବିବାର ଗ୍ରାମରେ ଏକ ଧନ୍ୟବାଦ ସଭା ଅୟୋଜନ କରାଯାଇଥିଲା।ସଭାରେ ଗ୍ରାମବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଆୟୋଜିତ ସଭାରେ ବିଧାୟକ ନାୟକ ଯୋଗଦେଇ ବିଞ୍ଜିଗିରି ଗ୍ରାମକୁ ସ୍ମାରକୀ ଗ୍ରାମ ଭାବେ ପ୍ରଧାନମନ୍ତ୍ରୀ ଘୋଷଣା କରିବା ସହ ଉକ୍ତ ଗ୍ରାମର ବିକାଶ ପାଇଁ ବର୍ତ୍ତମାନ ୧୫ କୋଟି ଟଙ୍କା ଆସିଛି ବୋଲି କହିଥିଲେ। ତେଣୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଧାୟକ ଶ୍ରୀ ନାୟକ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ, ଆମ ଅଞ୍ଚଳରେ ପୃଥିବୀ ପ୍ରସିଦ୍ଧ ବୀର, କବି ଥିଲେ। କିନ୍ତୁ ବିଗତ ସରକାର ସେମାନଙ୍କ ଉପଯୁକ୍ତ ପ୍ରଚାର ପ୍ରସାର କରିନଥିଲେ। ତେଣୁ ଘୁମୁସର ଇତିହାସ ବର୍ତ୍ତମାନର ଯୁବପିଢୀ ଭୁଲିବାକୁ ବସିଥିଲେ। ହେଲେ ରାଜ୍ୟରେ ଭାଜପା ସରକାର କ୍ଷମତାକୁ ଆସିବା ପରେ ବିଭିନ୍ନ ଐତିହ୍ୟ ସ୍ଥଳୀଗୁଡ଼ିକର ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯାଇଛି। ଏଥିସହ ଘୁମୁସର ଇତିହାସର ମୁକସାକ୍ଷୀ ଚକରା ଘାଟି, ଘାଟିଶୁଳା ଓ ରଣଘଣ୍ଟା ଅଞ୍ଚଳର ବିକାଶ ପାଇଁ ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ଚକରା ଘାଟିର ଉନ୍ନତିକରଣ ପାଇଁ ୮ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଆଗାମୀ ଦିନରେ ଆହୁରି ଅଧିକ ଅନୁଦାନ ଆସିବ। ଏଥିସହ ଅନ୍ୟାନ୍ୟ ସ୍ଥାନଗୁଡ଼ିକର ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ବିଧାୟକ ଶ୍ରୀ ନାୟକ କହିଥିଲେ।ବର୍ଷକ ମଧ୍ୟରେ ରାଜ୍ୟ ସରକାର ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ରାସ୍ତାଘାଟ ଠାରୁ ଆରମ୍ଭ କରି ପିଇବା ପାଣି, ବିଦ୍ୟାଳୟର ଉନ୍ନତୀକରଣ, ଆବାସ ଯୋଜନା ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ବିକାଶ କରିଛନ୍ତି। ଭଞ୍ଜନଗରର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରତି ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଖୋଲିବ। ସେହିପରି କ୍ରୀଡ଼ାର ବିକାଶ ପାଇଁ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଖେଳ ପଡିଆ(ଜେଲ ପଡିଆ) ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଛି। ଆସନ୍ତା ୫ ବର୍ଷ ଭିତରେ ଭଞ୍ଜନଗର ବିକାଶ ମାନଚିତ୍ର ବଦଳିଯିବ ବୋଲି ଅତିଥି ମାନେ କହିଥିଲେ ।

Leave a Reply

Your email address will not be published. Required fields are marked *