ଜୀବନ ସଂଗ୍ରାମରେ ଦିବ୍ୟାଙ୍ଗ ସ୍ଵାମୀଙ୍କ ସାହାରା ପତ୍ନୀ

ଭଞ୍ଜନଗର ୦୨/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ): ୯୦ ଦଶକର ହିନ୍ଦୀ ଚଳଚ୍ଚିତ୍ର ‘ମେରି ଜଙ୍ଗ୍’ର ସବୁଠୁ ଲୋକପ୍ରିୟ ଗୀତ ‘ଜିତ୍ ଜାଏଙ୍ଗେ ହମ୍, ତୁ ଅଗର୍ ସଙ୍ଗ୍ ହେ…ଜିନ୍ଦେଗୀ ହର୍‌ କଦମ୍ ଏକ୍ ନେୟୀ ଜଙ୍ଗ୍ ହେ’… I ଜଣେ ମହିଳା ହେଉ କି ପୁରୁଷ, ଜଟିଳ ପରିସ୍ଥିତିରେ ବି କିଭଳି ନିଜ ପ୍ରିୟ ମଣିଷଠୁ ସେ ସାହସ ଓ ସହଯୋଗ ପାଇ ସଫଳତାର ଶିଖରକୁ ଛୁଇଁବା ସହ ଜୀବନଯୁଦ୍ଧରେ ଲଢ଼େଇ କରି ବିଜୟୀ ହୋଇଥାଏ ତାହା ଏହି ଗୀତର ସାରମର୍ମକୁ ଦର୍ଶାଉଛି | ହେଲେ ବାସ୍ତବ ଜୀବନରେ ଆଜି ବି ଅନେକ ମଣିଷ ଅଛନ୍ତି, ଯେଉଁମାନେ ଏହାକୁ ସତ କରି ଦେଖାଇଛନ୍ତି | ପ୍ରତିଟି ଦିନ ସଂଘର୍ଷର ଦିନ ହୋଇଥିଲେ ବି ପରସ୍ପରର ସାଥୀ ହୋଇ ପରିସ୍ଥିତି ଆଗରେ ହାର୍ ନମାନି ଜୀବନ ସଂଗ୍ରାମରେ ଲଢ଼ୁଛନ୍ତି! ଏଭଳି ଏକ ଦମ୍ପତି ହେଉଛନ୍ତି ଭଞ୍ଜନଗର-ବେଲଗୁଣ୍ଠା ରୋଡ଼ରେ ପମ୍ପ୍ ମେକାନିକ୍ ଭାବେ କାମ କରୁଥିବା ସୁଧାଂଶୁ ଓଝା (୬୦) ଓ ପତ୍ନୀ ସ୍ବର୍ଣପ୍ରଭା। ସୁଧାଂଶୁଙ୍କ ଆଖିକୁ ଦେଖା ଯାଉ ନଥିଲେ ହେଁ, ଅତି ନିଖୁଣ ଭାବେ ଯନ୍ତ୍ରାଂଶକୁ ସଜାଡ଼ିପାରୁଛନ୍ତି | ଆଉ ପତ୍ନୀ ସ୍ବର୍ଣ୍ଣପ୍ରଭା ତାଙ୍କର ସାହାରା ସାଜିଛନ୍ତି | ସହର ଉପକଣ୍ଠରେ ଥିବା ଛୋଟିଆ ଦୋକାନ ଦମ୍ପତିଙ୍କ ରୋଜଗାରର ମାଧ୍ୟମ ପାଲଟିଛି |
ସୁଧାଂଶୁଙ୍କ ଘର ବେଲଗୁଣ୍ଠା ବ୍ଲକ୍ ନୂଆଗାଁରେ ପଞ୍ଚମ ଶ୍ରେଣୀ ପରେ ସେ ପାଠ ଛାଡ଼ିଦେଇଥିଲେ। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ୧୫ ବର୍ଷ ବୟସରେ ମୋଟର୍ ମରାମତି କାମ ଶିଖିଥିଲେ I ଏହାପରେ ଏକ ଗ୍ୟାରେଜ୍‌ରେ ରହି ଟ୍ରକ୍ ଓ ଭାରୀଯାନ ସଜାଡ଼ିବା ଶିଖିଥିଲେ ତେବେ ୨୫ ବର୍ଷ ବୟସ ହୋଇଥିବା ବେଳେ ହଠାତ୍‌ ତାଙ୍କ ଦୃଷ୍ଟିଶକ୍ତି ଧୀରେ ଧୀରେ କମିବାରେ ଲାଗିଥିଲା | ଡାକ୍ତରଙ୍କୁ ଦେଖାଇବା ବେଳେ ପରୀକ୍ଷାନିରୀକ୍ଷା ପରେ ସେ ଗ୍ଲୁକୋମାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ସମୟଚକ୍ରରେ ଦୃଷ୍ଟିଶକ୍ତି ହ୍ରାସ ପାଇବାକୁ ଲାଗିଥିଲା। ଗତବର୍ଷ ଠାରୁ ଆଖିକୁ ଆଉ ଜମା ଦେଖାଯାଉନି | ଫଳରେ ଏଭଳି ଜଟିଳ ସମୟରେ ପତ୍ନୀ ସ୍ବର୍ଣପ୍ରଭା ତାଙ୍କର ସାହାରା ପାଲଟିଛନ୍ତି। ତଥାପି ସୁଧାଂଶୁ ଖୁବ୍ ଦକ୍ଷତାର ସହ ମୋଟର୍ ପମ୍ପ୍ ସଜାଡ଼ିପାରୁଛନ୍ତି। ଦଶପଲ୍ଲା ଠାରୁ ଆରମ୍ଭ କରି ଦାରିଙ୍ଗବାଡ଼ି, ବାଲିଗୁଡ଼ା ଓ ରାଇକିଆ ତଥା ଆଖପାଖରୁ ବହୁ ଲୋକ ଯନ୍ତ୍ରାଂଶ ସଜାଡ଼ିବାକୁ ଆସୁଥିବା ସେ କହିଛନ୍ତି | କିନ୍ତୁ ଏକ ଟ୍ରକ୍ ଗ୍ୟାରେଜ୍ କରିବା ସ୍ବପ୍ନ ଆଉ ସାକାର ହୋଇପାରିନି। ଅଳ୍ପ ଭଡ଼ାରେ ବେଲଗୁଣ୍ଠା ରୋଡ୍‌ରେ ଏକ ଦୋକାନ କରିଥିବା ବେଳେ ସରକାର ତାଙ୍କୁ ଘରଟିଏ ପ୍ରଦାନ କରିବାକୁ ନିବେଦନ କରିଛନ୍ତି। ବର୍ତ୍ତମାନ ସେ ଜେନେରେଟର, ପାଣିପମ୍ପ, ଭାଇବ୍ରେଟର୍‌, କମ୍ରେସର୍ ଓ ଧାନଯନ୍ତ୍ର ଭଳି ଡିଜେଲ୍‌ଚାଳିତ ମୋଟର ସଜାଡ଼ିପାରୁଛନ୍ତି। ପତ୍ନୀ ସ୍ଵର୍ଣପ୍ରଭା ତାଙ୍କୁ ଏଥିରେ ସହଯୋଗ କରି ଆସୁଛନ୍ତି।
ବର୍ତ୍ତମାନ ଘରେ ବିଧବା ବଡ଼ ଭାଉଜଙ୍କ ସହ ୨ ପଢୁଆ ଝିଅ ଅଛନ୍ତି | ସରକାରୀ ସହାୟତା କହିଲେ ଏକ ଆବାସ ମିଳିଥିବା ବେଳେ ଘରକୁ ମାସିକ ମୁଣ୍ଡପିଛା ୫ କେଜି ରାସନ ମିଳୁଛି | ୩୫ କେଜି ରାସନ୍ ସହ ବଦ୍ଧିତ ଭତ୍ତା ପ୍ରଦାନ ପାଇଁ ସୁଧାଂଶୁ ନିବେଦନ କରିଛନ୍ତି|

Leave a Reply

Your email address will not be published. Required fields are marked *