
ଭଞ୍ଜନଗର ୦୩/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ସରକାର ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ନିମନ୍ତେ ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ଉପାୟରେ ଅର୍ଥ ଉପାର୍ଜନ କରିବାର ମାଧ୍ଯମ ସୃଷ୍ଟି କରିଛନ୍ତି। ମହିଳା ମାନଙ୍କୁ ସରକାର ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ଋଣ ପ୍ରଦାନ କରିବା ସହ ସେମାନେ କିପରି ଅର୍ଥ ଉପାର୍ଜନ କରି ସ୍ବାବଲମ୍ବୀ ହେବେ ସେଥିପାଇଁ ବିଭିନ୍ନ ସଂସ୍ଥା ଖୋଲିଛନ୍ତି। ତେବେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକର ୫ଟି ପଞ୍ଚାୟତର ୧୨ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପଞ୍ଚାୟତରୁ ୧୩ଟି ଗାଁ ପୋଖରୀ ଲିଜରେ ଆଣି ପ୍ରାୟ ୨୦ ହେକ୍ଟର ପୋଖରୀରେ ମାଛ ଚାଷ କରି ଅର୍ଥ ଉପାର୍ଜନ କରିବା ସହ ସ୍ବାବଲମ୍ବୀ ହୋଇଥିବା ଦେଖିବାକୁ ମିଳିଛି।
ମିଳିଥିବା ସୂଚନାନୁସାରେ, ଗୋଲାପଡା ପଞ୍ଚାୟତ ସାଦରା ଗ୍ରାମର ମା ବାସଙ୍ଗ ଏସଏଚଳି ଚଣ୍ଡୀ ବନ୍ଧକୁ ପଞ୍ଚାୟତରୁ ଲିଜରେ ଆଣି ୧.୬୦ ହେକ୍ଟରରେ ମାଛ ଚାଷ କରିଥିବା ବେଳେ ସେହି ଗ୍ରାମର ମା ସମଲେଇ ଏସଏଚଜି ୧.୭୫ ହେକ୍ଟର ଥିବା ନେଳିଆ ବନ୍ଧ,ମା ସରସ୍ବତୀ ଏସଏଚଜି ୦.୮୦ ହେକ୍ଟର ଥିବା କୃଷ୍ଣ ଶରଣପୁର ଗାଁର ଚଣ୍ଡୀ ବନ୍ଧ ଓ ୧.୦୦ ହେକ୍ଟର ରେ ଥିବା ନାରାୟଣପାଟଣାର ନାରାୟଣ ବନ୍ଧ, ମା ବୁଢି ଠାକୁରାଣୀ ଏସଏଚଜି ୨.୫୦ ହେକ୍ଟର ଥିବା ସରଧାପୁରର ବଡ ବନ୍ଧ,ମା ଗାୟତ୍ରୀ ଏସଏଚଜି ୫.୦୦ ହେକ୍ଟର ଥିବା ନିଳାଦ୍ରିପୁରର ରାଣି ବନ୍ଧରେ ମାଛ ଚାଷ କରୁଛନ୍ତି। ସେହିଭଳି ତିଳିସିଂ ପଞ୍ଚାୟତ ଉଲୁଦନ ଗ୍ରାମର ମା ତାରିଣୀ ଏସଏଚଜି ୧.୨୦ ହେକ୍ଟର ଥିବା କିଆଧରା ଘାଇ,ଜୟ ଶ୍ରୀରାମ ଏସଏଚଜି ୧.୨୮ ହେକ୍ଟର ଥିବା ତିଳିସିଂ ଗ୍ରାମର ପୁରୁଣା ଘାଇ ବନ୍ଧ, ଦଦରଲୁଣ୍ଡା ପଞ୍ଚାୟତର ମା ଲଷ୍ମୀ ଏସଏଚଜି ୧.୪୭ ହେକ୍ଟର ଥିବା ଖାରିଗୁଡା ଗାଁର ପୁରୁଣା ପୋଖରୀ, ସାନକୋଦଣ୍ଡା ପଞ୍ଚାୟତର ମା ମଙ୍ଗଳା ଏସଏଚଜି ୦.୪୮ ହେକ୍ଟର ଥିବା ଯୋଗିମାରୀ ଗାଁର ଗାଁ ବନ୍ଧ, ବଡକୋଦଣ୍ଡା ପଞ୍ଚାୟତର ଶ୍ରୀ ଶ୍ରୀ ଗୋପୀନାଥ ଏସଏଚଜି ୧. ୧୦ ହେକ୍ଟର ଥିବା ବଡକୋଦଣ୍ଡା ଗାଁର ବଡ ବନ୍ଧ, ମା ତାରିଣୀ ଏସଏଚଜି ୦.୮୪ ହେକ୍ଟର ଥିବା ଟୋକାଗଣ୍ଡାର ଗୁଡିବନ୍ଧ ଓ ମା ତୁଳସୀ ଏସଏଚଜି ୦.୬୩ ହେକ୍ଟର ଥିବା ଦଣ୍ଡିପଦର ଗାଁର ସ୍କୁଲ ବନ୍ଧକୁ ଲିଜ୍ ରେ ଆଣି ପୋଖରୀରେ ମାଛ ଚାଷ କରୁଛନ୍ତି। ଆଶା ଠାରୁ ଅଧିକା ମାଛ ମିଳୁଥିବାରୁ ବିକ୍ରି କରି ବେଶ ଭଲ ରୋଜଗାର କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଦେଶୀ ମାଛର ଚାହିଦା ଅଧିକ ରହୁଥିବାରୁ ଭଞ୍ଜନଗର ସମେତ ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଲୋକ ଆସି ମାଛ ନେଉଥିବା ଦେଖିବାକୁ ମିଳିଛି। ତେବେ ବ୍ଲକ ମତ୍ସ୍ୟ ବିଭାଗ ସମସ୍ତ ଗାଇଡ ଲାଇନକୁ ମାନି ସେଠାରୁ ମିଳୁଥିବା ସବସିଡକୁ ମଧ୍ୟ ଏସଏଚଜି ଗ୍ରୁପକୁ ପ୍ରଦାନ କରାଯାଉଥିବା ବେଳେ ମାଛ ଯାଆଁଳ,ଔଷଧ,ମାଛ ଦାନା ପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀ ଗ୍ରୁପର ଅର୍ଥକୁ ସଠିକ ବିନିଯୋଗ କରିଥିବାରୁ ବର୍ତ୍ତମାନ ମାଛ ବିକ୍ରି କରି ସେମାନଙ୍କର ରୋଜଗାରକୁ ବଢାଇ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି।
ବିଭାଗୀୟ ଅଧକାରୀ ବିଭିନ୍ନ ସମୟରେ ମାଛ ଚାଷ କରିବାର ପ୍ରକ୍ରିୟାକୁ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଅବଗତ କରାଉଥିବାରୁ ମହିଳା ମାନେ ତାହାକୁ ସଠିକ ଭାବେ ପ୍ରୟୋଗ କରୁଛନ୍ତି। ଫଳରେ ମାଛ ଚାଷ ରେ ଅମଳ ଅଧିକ ହୋଇଥିବା ସ୍ବୟଂ ସହାୟିକା ଗୋଷ୍ଠୀ ତରଫରୁ କୁହାଯାଇଛି । ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମଧ୍ୟ ସ୍ବୟଂ ସହାୟିକା ଗୋଷ୍ଠୀ ମାନଙ୍କର ଏଭଳି ଅର୍ଥ ଉପାର୍ଜନର ମାର୍ଗକୁ ପ୍ରଶଂସା କରିଛନ୍ତି । ମହିଳା ମାନଙ୍କୁ ଆଉ ଘର କୋଣରେ ବସି ରହିବାକୁ ପଡିବ ନାହିଁ ସେମାନେ ମଧ୍ୟ ନିଜର ଘର କାମକୁ ସାରି ଅବଶିଷ୍ଟ ସମୟରେ ରୋଜଗାରର ପନ୍ଥା ଆପଣେଇବା ଉଚିତ ଏବଂ ମହିଳାମାନେ ଆଗଭର ହେଲେ ଗୋଟିଏ ପରିବାର ବହୁତ ଭଲରେ ଚଳିପାରିବ ବୋଲି ପ୍ରଶାସନିକ ଅଧିକାରୀମାନେ ମତ ରଖୁଛନ୍ତି।