
ଭୁବନେଶ୍ୱର/ ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ): ବଙ୍ଗଳା ଅଧୀନରେ ଥିବା ଉପକୂଳବର୍ତ୍ତୀ ଓଡ଼ିଶା ଅଞ୍ଚଳ ମାନବୀକୃତ ନ’ଅଙ୍କ ଦୁର୍ଭିକ୍ଷଦ୍ୱାରା ଅର୍ଦ୍ଧାଧିକ ଓଡ଼ିଆଙ୍କୁ (ସରକାରୀ ହିସାବରେ ଏକତୃତୀୟାଂଶ ବା ମୋଟ ୩୦ ଲକ୍ଷ ଜନସଂଖ୍ୟାରୁ ୧୦ ଲକ୍ଷ) ହରାଇବା ସମୟରେ ଓଡ଼ିଆ ଭାଷା, ଜାତି ଓ ସଂସ୍କୃତିର ସୁରକ୍ଷା ପାଇଁ କନ୍ଧମାଳର ଦାରିଙ୍ଗବାଡ଼ି ଅନ୍ତର୍ଗତ କାଟିଙ୍ଗିଆ ଜମିଦାର ଭେଙ୍କଟେଶ୍ୱର ଦେଓ ପ୍ରଥମ କରି ଓଡ଼ିଆମାନଙ୍କୁ ଏକାଠି କରିବାକୁ ଉଦ୍ୟମ କରିଥିଲେ। ଜଣେ ଦୂରଦ୍ରଷ୍ଟା, ସ୍ୱାଭିମାନୀ ସ୍ୱାଧୀନଚେତା ଓଡ଼ିଆ ଭାବେ ସେ ଅନୁଭବ କଲେ ଓଡ଼ିଆଭାଷୀ ଅଞ୍ଚଳକୁ ଏକ ଶାସନାଧୀନ କରିବା ପାଇଁ ଏହି ଅଞ୍ଚଳର ଅଧିବାସୀଙ୍କୁ ନିଜ ମାତୃଭାଷାରେ ଶିକ୍ଷିତ ନ କଲେ ଐତିହାସିକ ଗୌରବମୟ ଓଡ଼ିଶା ଭୂଖଣ୍ଡର ବୀର ଉତ୍ତରାଧିକାରୀ ଯେପରି ଇଂରେଜ ଚକ୍ରାନ୍ତରେ ପୋକମାଛି ଭଳି ମରୁଛନ୍ତି, ଏମାନଙ୍କ ପରେ ଆଉ କାହା ଚକ୍ରାନ୍ତରେ ନିଜର ସତ୍ତା ହରାଇ ବସିବେ । ଓଡ଼ିଆଜାତିର ସର୍ବାଙ୍ଗୀନ ବିକାଶ ପାଇଁ ଏକମାତ୍ର କାର୍ଯ୍ୟ ହେଉଛି ମାନ୍ଦ୍ରାଜ, ମଧ୍ୟପ୍ରଦେଶ ଓ ବଙ୍ଗଳା ଅଧୀନରେ ଥିବା ଓଡ଼ିଆ ଭୂଖଣ୍ଡକୁ ଏକତ୍ର କରି ସମଗ୍ର ଶାସନ ବ୍ୟବସ୍ଥା ଓଡ଼ିଆ ଭାଷା ମାଧ୍ୟମରେ କରାଇବା।
୧୮୬୬ରେ ଭେଙ୍କଟେଶ୍ୱର ଦେଓ ଜମିଦାରୀ କ୍ଷମତା ପାଇବା ପରେ ହଦଗଡ଼, ମୁଠା (ଟିକାବାଲି), ଚକାପାଦ, ଖଣ୍ଡମ ଓ ବାରମୁ ଠାର ସମସ୍ତ ରୟତ, ତଥା କରଡ଼ା, ରଣବା, ଗଦାପୁର, ପାଲୁର, ହୁମା, ଗଞ୍ଜାମ, ମହୁରୀ, ସୁରଙ୍ଗୀ, ଜରଡ଼ା, ଖଲ୍ଲିକୋଟ, ଆଠଗଡ଼, ଘୁମୁସର, ଧରାକୋଟ, ସୋରଡ଼ା, ଖେମୁଣ୍ଡି, ଚିକିଟି , ଜଳନ୍ତର , ମଞ୍ଜୁଷା , ପାରଳା ଆଦି ଅଞ୍ଚଳର ଦେଶୀୟ ରାଜା, ଓ ଭାଷାପ୍ରେମୀ ଶିକ୍ଷିତ ଓଡ଼ିଆ, ବିଭିନ୍ନ ଛୋଟବଡ଼ ସାଂସ୍କୃତିକ ଅନୁଷ୍ଠାନ ଓ ସଙ୍ଗଠନ ସଦସ୍ୟଗଣଙ୍କ ସହ ଯୋଗସୂତ୍ର ସ୍ଥାପନ କରି ସେପ୍ଟେମ୍ବର ୧୮୭୦ରେ ରସୁଲକୁଣ୍ଡା (ବର୍ତ୍ତମାନର ଭଞ୍ଜନଗର)ଠାରେ ଏକ ସଭାର ଆୟୋଜନ କଲେ । ଏହାର ନାମ ରହିଲା ହିତବାଦିନୀ ସଭା। ଏହା ହେଉଛି ଭାରତର ପ୍ରଥମ ରାଜନୈତିକ ସଙ୍ଗଠନ। ଏହି ସଭାରେ ଦକ୍ଷିଣ ଓଡ଼ିଶା ଅଞ୍ଚଳରେ ତେଲୁଗୁଭାୁଷୀଙ୍କ ପ୍ରାଦୁର୍ଭାବ ଓ ଉତ୍ପୀଡ଼ନକୁ ତୀବ୍ର ଭର୍ତ୍ସନା କରାଯିବା ସହ ଏଠିକାର ନ୍ୟାୟାଳୟ ଓ ବିଦ୍ୟାଳୟରେ ଓଡ଼ିଆ ପ୍ରଚଳନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ପ୍ରସ୍ତୁତ ହୋଇଥିବା ସ୍ମାରକପତ୍ର ତତ୍କାଳୀନ ମାନ୍ଦ୍ରାଜ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା। ଏହି ସଙ୍ଗଠନର ଜଣେ ପ୍ରତିଷ୍ଠାତା ସଦସ୍ୟ ତଥା ଘୁମୁସର ତାଲୁକା ଦରୋଦସ୍ତ ଦେବସ୍ଥଳ ସମିତି ସଦସ୍ୟ କନକତୁରର ଶ୍ରୀ ଜନାର୍ଦ୍ଦନ ଦାସ ଦକ୍ଷିଣ ଓଡ଼ିଶାବାସୀଙ୍କ ଏଭଳି ବିପତ୍ତି ସମୟରେ ଉପକୂଳ ଓଡ଼ିଶାବାସୀ ଭାଈ ଭଳି ସେମାନଙ୍କ ସହ ଠିଆ ହେବାକୁ ଆକୁଳ ନିବେଦନ କରିଥିଲେ। ଏହି ସଭାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ସମଗ୍ର ଓଡ଼ିଆ ଅଞ୍ଚଳ ଏକତ୍ର କରାଯିବାର ଶୁଭଶଙ୍ଖ ସର୍ବ ପ୍ରଥମେ ଏହିଠାରେ ହିଁ ନିନାଦିତ ହୋଇଥିଲା, ଯାହା ବଙ୍ଗ ଓ ମଧ୍ୟପ୍ରଦେଶ ଅନ୍ତର୍ଭୁକ୍ତ ତତ୍କାଳୀନ ଜାତୀୟତାବାଦୀ ଓଡ଼ିଆଙ୍କ ହୃଦୟତନ୍ତ୍ରୀରେ କମ୍ପନ ସୃଷ୍ଟି କରିଥିଲା। ପରେ ଅଧିକ ରାଜ୍ୟ ଏହି ସଙ୍ଗଠନ ସହ ମିଶିବାରୁ ଏହାର ନାମ ପରିବର୍ତ୍ତନ କରି ରଖାଗଲା ଉତ୍କଳ ହିତବାଦିନୀ ସଭା । ଉତ୍କଳ ହିତବାଦିନୀ ସଭା ପକ୍ଷରୁ ଏହାର ସମ୍ପାଦକ ଭେଙ୍କଟେଶ୍ୱର ଦେଓ ପୂର୍ବରୁ ମାଡ୍ରାସ ରାଜ୍ୟପାଳଙ୍କୁ ୧୮୬୯ରେ ଚିଠି ଲେଖି ୪ଟି ଦାବି ରଖିଥିବା ମନ୍ତବ୍ୟକୁ ଦୋହରାଇ ଲଣ୍ଡନରେ ବ୍ରିଟେନ ମହାରାଣୀଙ୍କୁ ଏହାକୁ ପୁଣି ଥରେ ମନେ ପକାଇବାକୁ ବିଲାତ ଆୟବ୍ୟୟ ସଭାରେ ସାକ୍ଷ୍ୟ ଦେବାକୁ ଯାଉଥିବା ବ୍ରିଟିଶ-ଓଡ଼ିଶା ସରକାରୀ ଅଧିକାରୀ କାଳିପଦ ବନ୍ଦୋପାଧ୍ୟାୟଙ୍କୁ ଅନୁରୋଧ କରିଥିଲେ। ଉତ୍କଳ ଦୀପିକାର ୧୮ ଅକ୍ଝୋବର ୧୮୭୩ ସଂଖ୍ୟାରେ ପ୍ରକାଶିତ ଏହି ଦାବିଗୁଡିକ ହେଲା:
- ଗଞ୍ଜାମବାସୀଙ୍କୁ ଓଡ଼ିଆ ଭାଷା ଓ ଲିପିରେ ଯୋଗାଯୋଗ କରିବାପାଇଁ ଅନୁମତି ଦିଆଯାଉ ।
- ସମସ୍ତ ସରକାରୀ କାଗଜପତ୍ର, ରେକର୍ଡ ଆଦି ଓଡ଼ିଆରେ ଲେଖାଯାଉ ।
- ସମସ୍ତ ବିଦ୍ୟାଳୟରେ ଓଡ଼ିଆ ମାଧ୍ୟମରେ ଶିକ୍ଷା ଦିଆଯାଉ ।
- *ଓଡ଼ିଆ ଭାଷାରେ ସମସ୍ତ ପରୀକ୍ଷା ଦେବାପାଇଁ ବିଦ୍ୟାର୍ଥୀଙ୍କୁ ଅନୁମତି ଦିଆଯାଉ।
ଏହି ସମ୍ବନ୍ଧରେ ଦଶମ ଶ୍ରେଣୀ ସାମାଜିକ ପାଠ୍ୟ ପୁସ୍ତକରେ ମଧ୍ୟ ସବିଶେଷ ତଥ୍ୟ ଦିଆଯାଇଛି ।
୧୮୭୦ ମସିହା ସେପ୍ଟେମ୍ବର ମାସ ୧୧ ତାରିଖ ଅର୍ଥାତ୍ ଆଜିର ଦିନରେ ରସୁଲକୁଣ୍ଡା (ବର୍ତ୍ତମାନର ଭଞ୍ଜନଗର, ତତ୍କାଳୀନ ଘୁମୁସର ଗଡ଼ଜାତ ରାଜ୍ୟ) ଠାରେ ଓଡ଼ିଆ ଭାଷା ଆନ୍ଦୋଳନର ମୂଳଦୁଆ ପଡ଼ିଥିବାରୁ ରାଜ୍ୟବାସୀ ଏହାକୁ ଓଡ଼ିଆ ଭାଷା ଆନ୍ଦୋଳନ ଦିବସ ଏବଂ ଘୁମୁସର ଦିବସ ଭାବେ ପାଳନ କରୁଛି।
ଆଜି ଭଞ୍ଜନଗର ଠାରେ ଘୁମୁସର ବିକାଶ ପରିଷଦର ପ୍ରଚେଷ୍ଟା ଏବଂ ଅନ୍ୟାନ୍ୟ ସଂଗଠନ ମାନଙ୍କ ମିଳିତ ଉଦ୍ୟମରେ ଘୁମୁସର ଦିବସ ପାଳନ କରାଯାଉଛି । ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସୋରଡା ବିଧାୟକ ନୀଳମଣି ବିଷୋୟୀ, ଫକୀର ମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡ଼ .ଶିବ ପ୍ରସାଦ ଅଧିକାରୀ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ପୂର୍ବତନ କୁଳପତି ଡ଼ . ସୁରେନ୍ଦ୍ରନାଥ ପଶୁପାଳକ ଙ୍କ ସହ ବହୁ ସାହିତ୍ୟିକ, ଭଞ୍ଜ ଗବେଷକ ଓ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଅଛନ୍ତି ।
ଭଞ୍ଜନଗରର ଠାକୁରାଣୀ ପଡିଆ ଠାରେ ଏବଂ ଘୁମୁସର ର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଆୟୋଜନ ହୋଇଛି । ଜନସାଧାରଣ ଘରେ ଘରେ ନିଜ ଇଷ୍ଟ ଦେବୀଙ୍କ ନିକଟରେ ପୂର୍ଣକୁମ୍ଭ ବାଢ଼ି ଏବଂ ଆଲୋକମାଳା ସଜ୍ଜିତ କରି ଏହି ଦିବସକୁ ସ୍ବାଗତ ଜଣାଇଛନ୍ତି ।