ଶାହାରୁଖ-ବିକ୍ରାନ୍ତ ମାସିଙ୍କୁ ଜାତୀୟ ପୁରସ୍କାର, ରାନୀ ମୁଖାର୍ଜୀ ବି ସମ୍ମାନିତ

ହାଇଦ୍ରାବାଦ: ଆଜି 71ତମ ଜାତୀୟ ପୁରସ୍କାର ବିଜେତାଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୦୨୩ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଅଗଷ୍ଟ ୧ ତାରିଖରେ ଘୋଷଣା କରାଯାଇଥିଲା । ତେବେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନ ପ୍ରଦାନ କରାଯାଇଛି । ଶ୍ରେଷ୍ଠ ଅଭିନେତା ଭାବେ ଶାହରୁଖ ଖାନ ଓ ବିକ୍ରାନ୍ତ ମାସିଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ରାନୀ ମୁଖାର୍ଜୀ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନିତ କରାଯାଇଛି ।ବଲିଉଡ ତାରକାଙ୍କୁ ଜାତୀୟ ପୁରସ୍କାର’ଜବାନ’ ପାଇଁ ଶାହାରୁଖ ଖାନ ଏବଂ ’12th ଫେଲ୍’ ପାଇଁ ବିକ୍ରାନ୍ତ ମାସି ମିଳିତ ଭାବରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି । ବଲିଉଡର ବାଦଶାହା ଶାହାରୁଖ ଖାନ 33 ବର୍ଷର କ୍ୟାରିଅରରେ ପ୍ରଥମ ଜାତୀୟ ପୁରସ୍କାର ପାଇଛନ୍ତି । ସେହିପରି ‘ମିସେସ ଚାଟାର୍ଜୀ ଭର୍ସେସ ନରୱେ’ ପାଇଁ ରାନୀ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି । ଏଥିସହ ’12th ଫେଲ୍’ ପାଇଁ ଶ୍ରେଷ୍ଠ ଫିଚର ଫିଲ୍ମ ପ୍ରଦାନ କରାଯାଇଛି । ଯେତେବେଳେ କି ‘ଦ କେରଳ ଷ୍ଟୋରୀ’ ପାଇଁ ସୁଦୀପ୍ତୋ ସେନଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶନା ପ୍ରଦାନ କରାଯାଇଛି । ସେପଟେ ମାଲାୟଲମ ସୁପରଷ୍ଟାର ମୋହନଲାଲଙ୍କୁ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି ।କହିରଖୁଛୁ ଯେ, ଶାହାରୁଖ ଖାନ 2023 ମସିହାରେ ‘ପଠାନ’, ‘ଜବାନ’ ଏବଂ ‘ଡଙ୍କି’ ଭଳି ସୁପରହିଟ୍ ଫିଲ୍ମ ଦେଇଥିଲେ । ଏହି ତିନୋଟି ଫିଲ୍ମ ସହ ଶାହାରୁଖ ଗୋଟିଏ ବର୍ଷରେ 2500 କୋଟି ଟଙ୍କାରୁ ଅଧିକ ରୋଜଗାର କରିଥିଲେ, ଯାହା ଏପର୍ଯ୍ୟନ୍ତ କେହି କରିପାରି ନାହାଁନ୍ତି । ଅଟଲି କୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଜବାନ’ ସେପ୍ଟେମ୍ବର 7ରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ କରିଥିଲା । ଆକ୍ସନ୍ ଥ୍ରୀଲରରେ ମୁଖ୍ୟ ଭୂମିକାରେ ସାଉଥ ଅଭିନେତା ବିଜୟ ସେଥୁପଥି ଏବଂ ନୟନତାରା ଏବଂ ବଲିଉଡ ଅଭିନେତା ଦୀପିକା ପାଦୁକୋନ ଅଭିନୟ କରିଛନ୍ତି । ୩୦୦ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ୧୧୫୦ କୋଟିରୁ ଅଧିକ ଆୟ କରି ଇତିହାସ ରଚିଥିଲା ।