ମାସକରେ ୩୯ ଜୁଆଡି ଗିରଫ; ୧,୨୧,୮୮୦ ଟଙ୍କା ଜବତ, ଭଞ୍ଜନଗର ପୁଲିସକୁ ସଫଳତା

ଭଞ୍ଜନଗର,:୨୬/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ପାର୍ବଣ ଋତୁ ତଥା ଦଶହରା ଓ କୁମାର ପୂର୍ଣ୍ଣମୀ ଆସି ଆସିଲେ ପୁରପଲ୍ଲୀଠୁ ସହର ଚଳଚଞ୍ଚଳ ହୁଏ। ଛୁଟିରେ ପରିବାର ଓ ପ୍ରିୟଜନଙ୍କ ସହ ସମୟ କଟାଇବାର ଆନନ୍ଦ ସହ ପୂଜାକୁ ନେଇ ଲୋକ ମାନେ ଯେତେ ପରିମାଣର ଉତ୍ସାହିତ ହୋଇଥାନ୍ତି ସେହି ପରିମାଣରେ ତାସ ଖେଳ ଆସର ମଧ୍ୟ ଜମାଇ ଦେଇଥାନ୍ତି। ପରିବାର ଓ ସାଙ୍ଗସାଥୀ ମେଳରେ ସମୟ ବିତାଇବା ପାଇଁ ଏହି ଖେଳର ପରମ୍ପରା ରହିଥିବା ବେଳେ ବର୍ତମାନ କିଛି ଲୋକଙ୍କ ପାଇଁ ତାହା ଜୁଆରେ ପରିଣତ ହୋଇସାରିଛି। ଦଶହରାର କିଛି ଦିନ ପୂର୍ବରୁ ଆରମ୍ଭ ହେଉଥିବା ଏହି ଆସର କୁମାର ପୂର୍ଣ୍ଣମୀର ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ଜାରି ରହିଥାଏ। ଅନେକ ସ୍ଥାନରେ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଥିବା ଅପରାଧୀ ବର୍ଷତମାମ୍ ଜୁଆ ଆସର ଜମାଇଥାନ୍ତି ପୁଲିସ୍ ନଜରରୁ ବଞ୍ଚିବା ପାଇଁ ନିଛାଟିଆ, ପରିତ୍ୟକ୍ତ ଓ ନିର୍ମାଣାଧିନ କୋଠାକୁ ଜୁଆ ଆସରର ସୁରକ୍ଷିତ ସ୍ଥାନ ଭାବେ ଗ୍ରହଣ କରାଯାଇଥାଏ। ପୁଲିସ୍ ତାଳରେ ଡାଳରେ ଯାଉଥିବା ବେଳେ ଅପରାଧୀ ମାନେ ପତରେ ପତରେ ଯିବାର ବାଟ ବାହାର କରି ଅତି ସହଜରେ ଚକ୍‌ମା ଦେଇ ଖସି ଯିବାକୁ ମଧ୍ୟ ଚେଷ୍ଟା କରିଥାନ୍ତି। ସେହିପରି ଜୁଆ ଖେଳ ଏକ ଧର୍ତବ୍ୟ ଅପରାଧ ହୋଇ ନଥିବାରୁ ସେମାନେ ଅତି ସହଜରେ ଜାମିନ୍ ପାଇ ପୁଣି ଖେଳରେ ମାତୁଥିବା ସାଧାରଣ ରେ ମତ ପ୍ରକାଶ ପାଇଛି। ଅନ୍ୟପଟେ ପୁଲିସ ବିଭିନ୍ନ ସୂତ୍ରରୁ ଖବର ପାଇ ଏହି ଖେଳରେ ପ୍ରତିବନ୍ଧକ ସୃଷ୍ଟି କରିବାକୁ ଦୃଢ ପଦକ୍ଷେପ ନେଉଥିବା କହୁଥିବା ବେଳେ ଜୁଆ ଆଡ୍ଡା ରେ ଚଢାଉ କରି ଜୁଆଡ଼ି ମାନଙ୍କୁ ଧରିବା ସହ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରୁଥିବା ଜଣାପଡିଛି।ଭଞ୍ଜନଗର ଥାନାରେ ଚଳିତ ମାସରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩୯ ଜଣ ଜୁଆଡି ଙ୍କୁ କାବୁ କରିଥିବା ବେଳେ ସେମାନଙ୍କ ନିକଟରୁ ୧,୨୧,୮୮୦ ଟଙ୍କା,୨୬ ଟି ମୋବାଇଲ,୩ ଟି ମଟର ସାଇକେଲ ଜବତ କରିବା ସହ ୬ ଟି ପୃଥକ୍ ମାମଲା ରୁଜୁ କରିଥିବା ଜଣ ପଡ଼ିଛି। ଜୁଆ ଖେଳ ପାଇଁ ଲକ୍ଷାଧିକ ଟଙ୍କା ବାଜିରେ ଲାଗିବା ଫଳରେ ବିଶୃଙ୍ଖଳା ସୃଷ୍ଟି ହେବା ସହ ଗାଆଁ ଓ ସାହିରେ ଗଣ୍ଡଗୋଳର ସୂତ୍ରପାତ ହେଉଥିବା ମଧ୍ୟ ଅଭିଯୋଗ ଉଠିଥାଏ। ଏଭଳି ବେଆଇନ କାମ ପାଇଁ ପୁଲିସ ପକ୍ଷରୁ ସ୍ଵତନ୍ତ୍ର ଆକ୍ସନ ପ୍ଲାନ୍ ହୋଇଥିବା ବେଳେ ଆଗାମୀ ଦିନରେ ଆହୁରି ଚଢ଼ାଉ ହେବ ବୋଲି ଥାନା ଅଧିକାରୀ ଜୀବନାନନ୍ଦ ଜେନା ପ୍ରକାଶ କରିଛନ୍ତି।