ଏଏସଆଇ ଚାକିରୀ ବିକ୍ରି କରୁଛି ବିଜେପି ସରକାର, ଏକ ସାଂଘାତିକ ଅଭିଯୋଗ ଆଣିଲା ବିଜେଡି

ଭୁବନେଶ୍ବର: ପୋଲିସ ଏଏସଆଇ ପରୀକ୍ଷା ବାତିଲ ପରେ ବିଜେଡି ରାଜ୍ୟ ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି। ଶଙ୍ଖଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଲେନିନ ମହାନ୍ତି ରାଜ୍ୟ ସରକାରଙ୍କ ଗୋଚରରେ ପୋଲିସ ଏସଆଇ ଚାକିରୀ ବିକ୍ରି ହେଉଥିଲା ବୋଲି ଅଭିଯୋଗ କରିଛନ୍ତି।ସେ କହିଛନ୍ତି ଯେ, ଏହି ପରୀକ୍ଷା ପଛରେ ଏକ ବଡ ସ୍କାଣ୍ଡେଲ କାମ କରୁଛି। ରାଜ୍ୟ ସରକାରଙ୍କ ଦମ ଅଛି ତ ପୋଲିସ ଏଏସଆଇ ନିଯୁକ୍ତି ହେରଫେର ଉପରେ ତଦନ୍ତ କରାନ୍ତୁ ବୋଲି ସେ କହିଛନ୍ତି। ବିଜେଡିର ଅଭିଯୋଗ ଅନୁସାରେ ଶ୍ରୀକାକୁଲମ ପୋଲିସ ଆଶାୟୀମାନଙ୍କୁ ଟ୍ରେନିଂ ଦିଆଯାଉଥିଲା। ସେମାନେ 25 ଲକ୍ଷ ଟଙ୍କା ଦେଇଛନ୍ତି ବୋଲି ଶ୍ରୀକାକୁଲମ ପୋଲିସ ଜାଣିବା ପରେ ଓଡିଶା ପୋଲିସକୁ ତାହା ହସ୍ତାନ୍ତର କରିଥିଲା।ଏହାପରେ ଓଡିଶା ପୋଲିସ ସଜାଗ ହୋଇ ଉଠିଲା। ଅନ୍ୟରାଜ୍ୟର ପୋଲିସ ଏଥିରେ ଥିବାରୁ ଓଡିଶା ପୋଲିସ ବାଧ୍ୟ ହୋଇ ପରୀକ୍ଷା ବାତିଲ କରିବା ସହିତ ୧୧୭ ପିଲାଙ୍କୁ ଗିରଫ କଲେ। ତେବେ ଏହା ପଛର ମୁଖ୍ୟ ଷଢଯନ୍ତ୍ରକାରୀ କିଏ ତାହାକୁ ପୋଲିସ ଏ ପର୍ଯ୍ୟନ୍ତ ଗିରଫ କରିପାରି ନାହିଁ। ଅଯଥା ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଅନ୍ଧକାର କରି ଦିଆଯାଉଛି ବୋଲି ବିଜେଡି କହିଛି। ରାଜ୍ୟ ସରକାର ଏହି ସ୍କାଣ୍ଡଲକୁ ସିବିଆଇ ଦ୍ବାରା ତଦନ୍ତ କରାନ୍ତୁ ବୋଲି ଦଳ ଦାବୀ କରିଛି।