ପ୍ରସିଦ୍ଧ କୁଲାଡ ଦୋଳଯାତ୍ରା ନିମନ୍ତେ ସ୍ଥିତି ପରଖିଲେ ଘୁମୁସର ତହସିଲଦାର

ଭଞ୍ଜନଗର :୨୬/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଆସନ୍ତା ୦୨ତରିଖରେ କୁଲାଡ଼ ଠାରେ ହେବାକୁ ଥିବା ଐତିହ୍ୟ ସମ୍ପନ୍ନ ପ୍ରସିଦ୍ଧ ଦୋଳଯାତ୍ରାରେ ହଜାର ହଜାର ଭକ୍ତଙ୍କ ଗହଣରେ କୁଲାଡ଼ ବଡଦାଣ୍ଡ ଠାରେ ଚାରି ଠାକୁର ଶ୍ରୀ ନାରାୟଣ ସ୍ୱାମୀ, ଜଗନ୍ନାଥ ସ୍ୱାମୀ, ଗୋପୀନାଥ ସ୍ୱାମୀ, ରଘୁନାଥ ସ୍ୱାମୀଙ୍କ ମହା ମିଳନ ପର୍ବ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହେବ। ଗଞ୍ଜାମ ଜିଲ୍ଲା ବ୍ୟତୀତ ନୟାଗଡ ଜିଲ୍ଲା ଏବଂ କନ୍ଧମାଳ ଜିଲ୍ଲାର ଭକ୍ତମାନଙ୍କ ସମାଗମ ହେବ। ଚଳିତ ବର୍ଷ ଚନ୍ଦ୍ର ଗ୍ରହଣ ଦୋଳ ପୂର୍ଣ୍ଣିମା ତିଥିରେ ପଡୁଥିବା କାରଣରୁ ଚତୁର୍ଦଶୀଦିନ ରାତ୍ର ୮. ୦୦ ଘଂଟିକା ସମୟରେ ଦୋଳ ଗୋବିନ୍ଦଙ୍କ ମିଳନ କରାଜୀବ । ଗୁରୁବାର ଦିନ ଅପରାହ୍ନ ୪ ଘଂଟିକା ସମୟରେ ଘୁମୁସର ତହସିଲଦାର ଶ୍ରୀମତୀ ଅଭିପ୍ସା ପଟ୍ଟନାୟକ କୁଲାଡ଼ ଠାରେ ପହଁଛି ଶୃଙ୍ଖଳିତ ଭାବେ କିପରି ଠାକୁରଙ୍କ ଯାତ୍ରା ସମାପନ ହେବ ତାହାର ସମସ୍ତ ସ୍ଥିତି ଅନୁଧ୍ୟାନ କରିଥିଲେ। ରାତ୍ରି ସମୟରେ ଭକ୍ତ ମାନଙ୍କ ଜନଗହଳି ମଧ୍ୟରେ କୌଣସି ଅସୁବିଧା ନହେବା ପାଇଁ ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ କରି ବଦନଦୀ ଏବଂ ରାଜାଗ୍ନୀ ବେଦି ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ଆଲୋକୀକରଣ କରାଯିବ, ବଡଦାଣ୍ଡର ଉଭୟ ପାର୍ଶ୍ୱ ସଫା କରାଯିବା ସହ ସମସ୍ତ ଉଠା ଦୋକାନୀ ମାନଙ୍କୁ ଉକ୍ତ ଦିନ ଦୋକାନ ନଖୋଲିବା ପାଇଁ ନିର୍ଦେଶ ଦିଆଯାଇଛି। ଚାରି ଠାକୁର ଙ୍କ ମିଳନ ସ୍ଥଳରେ ଏବଂ ସମସ୍ତ ସ୍ଥାନରେ ପ୍ରଯ୍ୟାପ୍ତ ପୋଲିସ ମୁତୟନ କରାଯିବ।ପୌରାଣିକ ରୀତି ନୀତି ଅନୁଯାୟୀ ସଖିନାଟ ଲୋକ କଳାକୁ ଗୁରୁତ୍ୱ ଦେଇ ସୁଚାରୁ ରୂପେ ଯାତ୍ରା କରାଯିବ ବୋଲି ଘୁମୁସର ତହସିଲଦାର ଶ୍ରୀମତୀ ପଟ୍ଟନାୟକ କହିଛନ୍ତି। ସ୍ଥିତି ଅନୁକ୍ଷଣ ସମୟରେ ଅତିରକ୍ତ ତହସିଲଦାର ଅବିନାଶ ମାହାର, ରାଜସ୍ୱ ନିରୀକ୍ଷକ ଭଗବାନ ବେହେରା ମନ୍ଦିର ପରିଚାଳନା କମିଟି ଏବଂ ସ୍ଥାନୀୟ କିଛି ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ।