
ଚୌଦ୍ୱାର (ଶିବବ୍ରତ ଦାସ ): ଟାଙ୍ଗୀ ଅଞ୍ଚଳରେ ଶିକ୍ଷାର “ସ୍ଵପ୍ନ” ବିକ୍ରି କରୁଥିବା ଡ୍ରିମ୍ସ ୟୁନିଭର୍ସିଟି ଏବେ ସେହି ସ୍ଵପ୍ନକୁ ନେଇ ପ୍ରଶ୍ନର ଘେରରେ। ଶିକ୍ଷା ପରିବେଶ ନା ରହସ୍ୟର କଳା ପରଦା, ଏହାକୁ ନେଇ ଚର୍ଚ୍ଚା ତିବ୍ର ହୋଇଉଠିଛି। ଯାଜପୁର ଜିଲ୍ଲାର ଛାତ୍ର ସୌମ୍ୟ ରଞ୍ଜନ ସେନାପତି, ଯିଏ ଡ୍ରିମ୍ସ ହଷ୍ଟେଲରେ ରହି ପଢ଼ୁଥିଲେ, ହଠାତ୍ ରାତି ୩ଟାରେ “ସିରିଅସ୍” ବୋଲି ଜନୈକ ଛାତ୍ର ମୋବାଇଲ ଯୋଗେ ସୌମ୍ୟଙ୍କ ପରିବାରକୁ ଖବର ଜଣାଇଲା। ଫୋନରେ କୁହାଗଲା ସୌମ୍ୟ ପଦ୍ମିନୀ କେୟାର ହସ୍ପିଟାଲରେ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଆଡ଼ମିଶନ ହୋଇଛି। ପରିବାର ଲୋକେ ଦୌଡ଼ି ପହଞ୍ଚି ଯାହା ଦେଖିଲେ, ତାହା ଏକ ପିତାମାତାଙ୍କ ସବୁଠୁ ଭୟଙ୍କର ସ୍ଵପ୍ନକୁ ମଧ୍ୟ ହରାଇଦେବ। ଜୀବନ ଓ ମୃତ୍ୟୁର ସୀମାରେ ଥିବା ପୁଅକୁ ଦେଖି ଅସହ୍ୟ ହୋଇପଡ଼ିଥିଲେ। ଯଦି ଅବସ୍ଥା ଏତେ ଗୁରୁତର ଥିଲା, ତେବେ ପଦ୍ମିନୀ କେୟାର ହସ୍ପିଟାଲ ପକ୍ଷରୁ ପୂର୍ବରୁ କାହିଁକି ଉନ୍ନତ ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇନଥିଲା? ଶେଷରେ ପରିବାର ନିଜେ ଭେଣ୍ଟିଲେଟର ଆମ୍ବୁଲାନ୍ସ ଯୋଗେ ସୌମ୍ୟଙ୍କୁ ସମ୍ ହସ୍ପିଟାଲ କୁ ନେଇଯିବାକୁ ବାଧ୍ୟ ହେଲେ। ଏହି ବିଳମ୍ବ ପାଇଁ ଦାୟୀ କିଏ? ସେହି ସମୟରେ କଲେଜ୍ କର୍ତ୍ତୃପକ୍ଷଙ୍କୁ କଣ ଜଣା ନଥିଲା ସୌମ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା, ନା ଏହାଥିଲା ଷଡ଼ଯନ୍ତ୍ର। ଚିକିତ୍ସାର ଅବହେଳା, ନା କିଛି ଲୁଚାଇବାର ଚେଷ୍ଟା? ଏ ପରିସ୍ଥିତିରେ ପରିବାର ପକ୍ଷରୁ ଗୁରୁତର ଅଭିଯୋଗ ଆସିଛି କଲେଜ୍ ପ୍ରିନ୍ସିପାଲ୍ ଓ ଯୁକ୍ତ ଦୁଇ ପ୍ରିନ୍ସିପାଲଙ୍କ ଷଡ଼ଯନ୍ତ୍ରରେ ସୌମ୍ୟଙ୍କ ଏଭଳି ଅବସ୍ଥା ହୋଇଛି। ଅଭିଯୋଗ ପାଇବା ପରେ ଟାଙ୍ଗୀ ପୋଲିସ ତତ୍କ୍ଷଣାତ୍ କେସ୍ ନଂ ୧୧୨/୨୬ ରେ ମାମଲା ରୁଜୁ କରିଛି। ତଦନ୍ତର ଭାର ନେଇଛନ୍ତି ଏସ୍.ଆଇ ପ୍ରଶାନ୍ତ କୁମାର ବେହେରା। ପୋଲିସ ପକ୍ଷରୁ ହଷ୍ଟେଲ ସିସିଟିଭି ଫୁଟେଜ୍, ରେଜିଷ୍ଟର ଏବଂ ସହପାଠୀଙ୍କୁ ପଚରାଉଚରା ଚାଲିଥିବା ସୂଚନା ମିଳିଛି।
ଟାଙ୍ଗୀ ପୋଲିସର ପୁଙ୍ଖାନୁପୁଙ୍ଖ ତଦନ୍ତ ନିଶ୍ଚୟ ଘଟଣାର ଗୁପ୍ତ ପଟକୁ ଖୋଲିବ, ନା କାହାର ପ୍ରଭାବ ତଳେ ମାମଲା ନୂଆ ମୁଖା ପିନ୍ଧିବ? ଏହି ପ୍ରଶ୍ନ ଏବେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ମନରେ ଗୁଞ୍ଜୁଛି। ଶିକ୍ଷାସଂସ୍ଥାନ ଯଦି ନିରାପତ୍ତା ଦେଇପାରିବ ନାହିଁ, ତେବେ ଏହା କେବଳ ଡିଗ୍ରୀ ବଣ୍ଟନ କେନ୍ଦ୍ର ହେବାରେ ସୀମିତ ରହିଯିବ। ପ୍ରଶାସନ ଯଦି ସବୁ ଜାଣି ନିରବ ରହେ, ତେବେ ସେହି ନିରବତା ମଧ୍ୟ ଦୋଷର ଭାଗୀଦାର ହେବାକୁ ବାଧ୍ୟ।
ସୌମ୍ୟଙ୍କ ପରିବାର ଆଇନର ଆଶ୍ରୟ ନେଇଛନ୍ତି। ଏବେ ଦେଖିବାକୁ ରହିଲା ଆଇନ ସତ୍ୟର ପଥରେ ଅତୁଟ ରହିବ, ନା “ଧୃତରାଷ୍ଟ୍ର” ଅନ୍ଧତ୍ୱରେ ଆବୃତ ହେବ? ସମସ୍ତଙ୍କର ଏକମାତ୍ର ଦାବି ସୌମ୍ୟଙ୍କୁ ନ୍ୟାୟ ମିଳୁ, ଓ ଯଦି କାହାର ଦୋଷ ପ୍ରମାଣିତ ହୁଏ, ତାହାଲେ କଠୋର କାର୍ଯ୍ୟାନୁଷ୍ଠାନ ହେଉ। “ସ୍ଵପ୍ନ”ର ନାମରେ ଯଦି ଅନ୍ୟାୟ ଲୁଚାଯାଉଛି, ତେବେ ସେହି ସ୍ଵପ୍ନକୁ ସମାଜ ପ୍ରଶ୍ନ କରିବା ସ୍ୱାଭାବିକ।