
ଭଞ୍ଜନଗର ୦୨/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାରେ ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଇଙ୍ଗିନାଠୀ ପଞ୍ଚାୟତର ବଲାଡି ଗ୍ରାମର ଅମର ସହିଦ ଚିତ୍ତରଞ୍ଜନ ନାୟକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ, ଏସଡିପିଓ ଡ଼. ଦୀପକ କୁମାର ମିଶ୍ର ଓ ବେଲଗୁଣ୍ଠା ଥାନାଧିକାରୀ ରେବତୀ ଶବରଙ୍କ ସମେତ ପୋଲିସ ଟିମ ସହିଦଙ୍କ ଗ୍ରାମ ବଲାଡି ରେ ପହଞ୍ଚିଥିଲେ। ପୋଲିସ ଅଧିକାରୀମାନେ ସହିଦ ଚିତ୍ତରଞ୍ଜନଙ୍କ ବାସଭବନକୁ ଯାଇ ତାଙ୍କ ପରିବାରବର୍ଗ କୁ ଭେଟି ସମବେଦନା ଜଣାଇଥିଲେ। ଗ୍ରାମ ଉପକଣ୍ଠରେ ଥିବା ସହିଦ ସ୍ମୃତିସ୍ତମ୍ବରେ ପୁଷ୍ପମାଲ୍ୟାର୍ପଣ କରିଥିଲେ। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ ‘କହିଛନ୍ତି, ସରକାରୀ ସହାୟତା ବା ସମ୍ମାନ ପରିବାରର କ୍ଷତିଭରଣା କରିପାରିବ ନାହିଁ। କିନ୍ତୁ ଚିତ୍ତରଞ୍ଜନଙ୍କ ବଳିଦାନକୁ ଓଡିଶା ପୋଲିସ କେବେ ଭୁଲିପାରିବ ନାହିଁ। ଆମେ ସଦାସର୍ବଦା ତାଙ୍କ ପରିବାର ସହିତ ଅଛୁ ଓ ରହିବୁ। ଏହି କଥା ଶୁଣିବା ପରେ ଚିତ୍ତରଞ୍ଜନଙ୍କ ପିତା ରାଧାମୋହନ ନାୟକ ଭାବବିହ୍ୱଳ ହୋଇପଡ଼ିଥିଲେ। ସହିଦ ଚିତ୍ତରଞ୍ଜନଙ୍କ ପରିବାରକୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ବେଲଗୁଣ୍ଠା ପ୍ରେସ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ସମ୍ପାଦକ ଅଶ୍ୱନୀ କୁମାର ମହାନ୍ତି ଓ ଶିବରାମ ଚୌଧୁରୀ ଉପସ୍ଥିତ ଥିଲେ।