ଦୁଃଖ ଓ ସଂଘର୍ଷ ରେ କଟୁଛି କାଠ କାରିଗର ଦିବକରଙ୍କ ଜୀବନ

ସିନାପାଲି,୦୨/୦୪( ପରମେଶ୍ୱର ମେହେର ):ନୂଆପଡା ଜିଲ୍ଲାର ସିନାପାଲି ବ୍ଲକ ଅଧୀନରେ ଥ‌ିବା ବୋଟୋପାଲି ଗ୍ରାମର ଶ୍ରୀଯୁକ୍ତ ଦିବାକର ସୁନାନୀ ଜଣେ ସାଧାରଣ କାଠ କାରିଗର। ସେ ବରଗାଁ ଅଞ୍ଚଳରେ ରହି ନିଜ ହାତର କଳାରେ ଜୀବନ ଚାଲାଉଛନ୍ତି। କିନ୍ତୁ ତାଙ୍କର ଜୀବନ କେବଳ କଳାର ସୌନ୍ଦର୍ଯ୍ୟ ନୁହେଁ, ଏହା ଦୁଃଖ ଓ ସଂଘର୍ଷର ଏକ ଲମ୍ବା କାହାଣୀ।ଦିବାକର ସୁନାନୀ ଦିନ ରାତି କଷ୍ଟ କରି କାଠରେ ଫୁଲ, ଦେବଦେବୀଙ୍କ ମୂର୍ତ୍ତି, ନାମ ପ୍ଲେଟ ଓ ବିଭିନ୍ନ ସଜାବଟି ସାମଗ୍ରୀ ତିଆରି କରନ୍ତି। ତାଙ୍କର କାମ ଖୁବ ସୁନ୍ଦର ଓ ମନମୋହନୀୟ ହେଲେ ମଧ୍ୟ, ସେହି କାମର ଯଥେଷ୍ଟ ଦାମ ସେ ପାଉନାହାନ୍ତି। ଅନେକ ସମୟରେ ତାଙ୍କର ତିଆରି କରା ସାମଗ୍ରୀ ଦିନକୁ ଦିନ ବିକ୍ରି ହେଉନାହିଁ, ଯାହାରୁ ତାଙ୍କର ଅର୍ଥନୈତିକ ସମସ୍ୟା ଆଉ ବଢ଼ିଯାଏ।ଏହି କାମ ହିଁ ତାଙ୍କର ପରିବାରର ଏକମାତ୍ର ଆଧାର। ଘର ଚାଲାଇବା, ଖାଦ୍ୟ ବ୍ୟବସ୍ଥା କରିବା ଓ ଦୈନନ୍ଦିନ ଖର୍ଚ୍ଚ ପୂରଣ କରିବା ପାଇଁ ସେ ପ୍ରତିଦିନ ଯୁଦ୍ଧ କରୁଛନ୍ତି। ଅନେକ ସମୟରେ ଆର୍ଥକ ସଂକଟ ଏତେ ବଢ଼ିଯାଏ
ଯେ ପରିବାରର ଆବଶ୍ୟକ ଦରକାରୀ ଜିନିଷମାନେ ମଧ୍ୟ ପୂରଣ କରିବା କଷ୍ଟକର ହୋଇଯାଏ। ସିନାପାଲି ବ୍ଲକ ଓ ପାଖପାଖ ଅଞ୍ଚଳରେ ସେ ଜଣେ ଭଲ କାରିଗର ଭାବେ ଚିହ୍ନିତ ହେଲେ ମଧ୍ୟ, ସେହି ପରିଚୟ ତାଙ୍କର ଜୀବନକୁ ସୁବିଧାଜନକ କରିପାରିନାହିଁ। ସରକାରୀ ସହାୟତା ବା ଯଥାର୍ଥ ସୁଯୋଗ ନ ମିଳିବାରୁ ତାଙ୍କର ପ୍ରତିଭା ଆଜି ମଧ୍ୟ ଗ୍ରାମରେ ହିଁ ସୀମିତ ହୋଇ ରହିଛି।ଦିବାକର ସୁନାନୀଙ୍କ ଆଖ‌ିରେ ଆଜି ମଧ୍ୟ ଆଶା ଅଛି–ଏକ ଦିନ ତାଙ୍କର କଳାକୁ ଠିକ୍ ମୂଲ୍ୟ ମିଳିବ ଓ ତାଙ୍କର ପରିବାର ଏକ ସୁଖମୟ ଜୀବନ ବ୍ୟତୀତ କରିପାରିବ। କିନ୍ତୁ ସେହି ଦିନ କେବେ ଆସିବ, ସେଥ‌ିପାଇଁ ସେ ଆଜି ମଧ୍ୟ ଅପେକ୍ଷାରେ ଅଛନ୍ତି।ଏହି କାହାଣୀ କେବଳ ଜଣେ କାରିଗରଙ୍କ ନୁହେଁ, ଏହା ଆମ ସମାଜର ସେହି ଅବହେଳିତ ପ୍ରତିଭାମାନଙ୍କର କଥା, ଯେଉଁମାନେ କଷ୍ଟ କରିଥିଲେ ମଧ୍ୟ ଯଥାର୍ଥ ସମ୍ମାନ ଓ ସହଯୋଗ ପାଉନାହାନ୍ତି। ଏମିତି ଲୋକମାନଙ୍କ ପ୍ରତି ଆମେ ସବୁଠାରୁ ସହାନୁଭୂତି ଓ ସହଯୋଗର ହାତ ବଢ଼ାଇବା ଆବଶ୍ୟକ ରହିଛି।