ଦୁର୍ଘଟଣାରେ ଅଜା ମୃତ, ନାତି ଗୁରୁତର

ଭଞ୍ଜନଗର ୨୦/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଗାଲେରୀ ଗାଁ ନିକଟରେ ସୋମବାର ଏକ ଅଟୋ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଗାଲେରୀର ଚିତ୍ରସେନ ନାଇକ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ନାତି ରାଜା ନାଇକ ଗୁରୁତର ଭାବେ ଆହତ ହୋଇଛନ୍ତି। ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇ ଦେଇଛି। ଏଥିସହ ଗୁରୁତର ଆହତ ରାଜାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

ସୁଚନାନୁସାରେ, ଚିତ୍ରସେନ ଓ ତାଙ୍କ ନାତି ରାଜା ଏକ ବାଇକରେ ଆଜି ମଧ୍ୟାହ୍ନରେ ଭଞ୍ଜନଗର ଅଭିମୁଖେ ଆସୁଥିଲେ। ଏହି ସମୟରେ ଗାଲେରୀ ମଦ ଦୋକାନ ନିକଟରେ ଏକ ଖାଲ ଥିବା ଯୋଗୁ ରାଜା ଗାଡିଟିକୁ ରୋଡ ମଝି ଦେଇ ଯିବାପାଇଁ ଉଦ୍ୟମ କରିଥିଲେ ମଧ୍ୟ ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଅଟୋ ସହ ସେମାନଙ୍କ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକେ ଉଭୟ ଅଜା ନାତିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ଆଣିଥିଲେ। ହେଲେ ମେଡ଼ିକାଲରେ ଡାକ୍ତର ଚିତ୍ରସେନକୁ ମୃତ ଘୋଷଣା କରିଥିଲେ। ରାସ୍ତା ଖରାପ ଯୋଗୁ ଏତେବଡ ବିପଦ ଘଟିଲା ବୋଲି ସାଧାରଣରେ ଆଲୋଚନା ହେଉଛି।ପୁଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି।