
ଭଞ୍ଜନଗର ୨୦/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି ଅମରେନ୍ଦ୍ର କୁମାର ପଟ୍ଟନାୟକଙ୍କ ରିପୋର୍ଟ, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବେଣାକୁନ୍ଦା କୃଷି ବିଜ୍ଞାନ କେନ୍ଦ୍ର-୧ ପରିସରରେ ସୋମବାର ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ବାଣିଜ୍ୟ ଓ ପରିବହନ, ଖଣି ଏବଂ ଇଷ୍ପାତ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଟି ମା କୁ ପୁଜାର୍ଚ୍ଚନା କରିବା ସହ ଜମିରେ ହଲ କରି ଅଖି ମୁଠି ଅନୁକୂଳ କରିଥିଲେ।
ରାଜ୍ୟରେ କୃଷି ଉତ୍ପାଦନ ସହିତ କୃଷକର ରୋଜଗାର ବୃଦ୍ଧି ପାଇଁ ସରକାର ଅନେକଗୁଡ଼ିଏ ବାସ୍ତବବାଦୀ ପଦକ୍ଷେପ କାର୍ଯ୍ୟକାରୀ କରିଛନ୍ତି। ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା, ଫସଲ ବିବିଧିକରଣ ଓ ସମନ୍ବିତ କୃଷି କାର୍ଯ୍ୟକ୍ରମ ଭଳି ଯୋଜନା ଚାଷୀମାନଙ୍କ ଅମଳ ଓ ରୋଜଗାର ବୃଦ୍ଧି ପାଇଁ ସହାୟକ ହୋଇଛି।ଭାଜପା ସରକାର ଦାୟିତ୍ଵ ନେବାପରେ ରାଜ୍ୟର ଚାଷୀମାନଙ୍କୁ ସିଏମ୍ କିଶାନ ଏବଂ ପିଏମ୍ କିଶାନ ଯୋଜନାରେ ଟଙ୍କା ଦେଇ ଆସୁଛନ୍ତି। ସିଏମ୍ କିଶାନ ଯୋଜନାରେ କୃଷକ ପରିବାରକୁ ୨୦୨୬ ଖରିଫ ଫସଲ ଋତୁ ପାଇଁ ସୋମବାର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅବସରରେ ଆର୍ଥିକ ସହାୟତା ଚାଷୀଙ୍କ ଖାତାକୁ ପଠାଯାଇଛି। ଆଗୁଆ ସହାୟତା ପ୍ରଦାନ କରାଯାଇଥିବାରୁ ଏହା ଖରିଫ ଚାଷ ପାଇଁ ସହଯୋଗ କରିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ମତବ୍ୟକ୍ତ କରିଛନ୍ତି।
ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଜୟ କୁମାର କରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ କୃଷକ ଦିବସରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ,ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ନିଳମାଧବ ପାତ୍ର, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ପ୍ରମୁଖ ଯୋଗଦେଇ ଜଳବାୟୁ ଅନୁକୂଳ କୃଷି କାର୍ଯ୍ୟ ଆପଣାଇବା ପାଇଁ ରାଜ୍ୟର ଚାଷୀ ଭାଇ ମାନେ ଆଗେଇ ଆସିବା ଆବଶ୍ୟକ ରହିଛି। ଆମ ସରକାର ଚାଷୀ ମାନଙ୍କର ଆୟ ବୃଦ୍ଧି ପାଇଁ ନିରନ୍ତର ପ୍ରଚେଷ୍ଟା କରୁଛନ୍ତି। ଧାନ କୁଇଣ୍ଟାଲ ପିଛା ଏସ୍ଏସ୍ପି ଓ ବୋନସ ବାବଦକୁ ୩୧୦୦ ଟଙ୍କା ପ୍ରଦାନ କରିଛୁ ବୋଲି ଉପସ୍ଥିତ ଅତିଥି ଗଣ ନିଜ ବକ୍ତବ୍ୟରେ କହିଥିଲେ। କାର୍ଯ୍ୟକ୍ରମରେ ଭଞ୍ଜନଗର ଜିଲ୍ଲା କୃଷି ଅଧିକାରୀ ବ୍ୟମୋକେଶ ମିଶ୍ର, ଭଞ୍ଜନଗର ବିଡ଼ିଓ ଭାରତୀ ଦେବି, ତହସିଲଦାର ଅଭିପ୍ସା ପଟ୍ଟନାୟକ, କୃଷି ବିଜ୍ଞାନ କେନ୍ଦ୍ର -୧ର ମୁଖ୍ୟ ଡ.ସୁତୁନୁ କୁମାର ଶତପଥି, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଇତିଶ୍ରୀ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ଭଞ୍ଜନଗର ବ୍ଲକ କୃଷି ଅଧିକାରୀ ସଂଗ୍ରାମ ସେନାପତି ଙ୍କ ସମେତ କୃଷି ବିଭାଗର ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।