ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ବନାଞ୍ଚଳରୁ ପୁରୀ ଗଲା ରଥକାଠ

ଭଞ୍ଜନଗର ୨୪/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ପୁରୀରେ ଶ୍ରୀଜୀଉଙ୍କ ଘୋଷଯାତ୍ରାର ରଥ ନିର୍ମାଣ ପାଇଁ ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ରଥ କାଠ ପଠାଯାଇଛି। ମୁଜାଗଡ ବନାଞ୍ଚଳର ବାଇବାଲି ସେକ୍ସନ ଗୁନାଗିଆରୁ କଟାଯାଇଥିବା ୫୫ ଖଣ୍ଡ କାଠକୁ ସ୍ବତନ୍ତ୍ର ଟ୍ରକ୍‌ ଯୋଗେ ଶୁକ୍ରବାର ପୁରୀ ରଥଖଳାକୁ ପଠାଯାଇଛି। ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଏସିଏଫ୍ ବିବେକ ଦାଶ,ବିମଳ ପ୍ରଧାନ, ମୁଜାଗଡ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ,କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ ପୃଥିରାଜ ପ୍ରଧାନ ସମେତ ବନବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ପୁରୀରୁ ଆସିଥିବା ସ୍ବତନ୍ତ୍ର ଗାଡ଼ି ସାମ୍ନାରେ ପ୍ରଥମେ ହୋମଯଜ୍ଞ ଓ ପୂଜାର୍ଚ୍ଚନା କରାଯାଇଥିଲା।ବାଟରେ ଶତାଧିକ ଶ୍ରଦ୍ଧାଳୁ ରଥକାଠକୁ ସ୍ବାଗତ କରିବା ପରେ ଗାଡ଼ି ପୁରୀ ଅଭିମୁଖେ ଯାଇଥିଲା। କିଛି ଶ୍ରଦ୍ଧାଳୁ ରାସ୍ତାର ଉଭୟ ପାର୍ଶ୍ଵରେ ରହି କପଡ଼ା ବାନ୍ଧିବା ସହ ପୂଜା କରୁଥିବା ଦେଖିବାକୁ ମିଳିଥିଲା। ଏହାପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୨୯ଟି ଢଉରା କାଠ ପଠାଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୧୩ ଖଣ୍ଡ, ତୃତୀୟ ପର୍ଯ୍ୟାୟରେ ୧୬ ଖଣ୍ଡ କାଠ ପଠାଯାଇଥିଲା ବେଳେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ଶୁକ୍ରବାର ୫୫ ଖଣ୍ଡ ରଥକାଠ ପୁରୀ ରଥ ଖଳାକୁ ପଠାଯାଇଛି।