ସର୍ଭିସ ରୋଡ ନା ଘରୋଇ ଗାଡି ସୋରୁମର ପାର୍କିଂ

ଚୌଦ୍ଵାର (ଶିବବ୍ରତ ଦାସ )): ଜାତୀୟ ରାଜପଥ–୫୫ ଉପରେ ବୃଦ୍ଧି ପାଉଥିବା ଯାତାୟାତ ସମସ୍ୟାକୁ ନେଇ ସାଧାରଣ ଲୋକ ଯେଉଁଠାରେ ଦିନକୁ ଦିନ ଅସନ୍ତୋଷ ପ୍ରକାଶ କରୁଛନ୍ତି, ସେଠାରେ ନିର୍ଦ୍ଧିଷ୍ଟ ବ୍ୟବସାୟୀ ସଂସ୍ଥା (ଦୁର୍ଗା ହୋଣ୍ଡା) ଆଇନକୁ ମନୋରଞ୍ଜନର ବସ୍ତୁ ବୋଲି ଧରିନେଇଛି। ଧୂମାବତୀ ଛକରୁ କଳିଙ୍ଗ ଛକ ପର୍ଯ୍ୟନ୍ତ ସର୍ଭିସ ରୋଡ୍‌ର ଚିତ୍ର ଏବେ ପରିବର୍ତ୍ତିତ—ସାଧାରଣ ଲୋକଙ୍କ ପାଇଁ ଏହା ରାସ୍ତା କମ୍, ବରଂ ଏକ ‘ପ୍ରାଇଭେଟ୍ ପାର୍କିଂ ଜୋନ୍’ ପରି ଦେଖାଯାଉଛି।
ଏହି ଅଭିଯୋଗର କେନ୍ଦ୍ରବିନ୍ଦୁରେ ରହିଛି ଦୁର୍ଗା ହୋଣ୍ଡା। ନିଜସ୍ୱ ପାର୍କିଂ ବ୍ୟବସ୍ଥା ନଥିବା ସତ୍ତ୍ୱେ, ସର୍ଭିସ ରୋଡ୍ ଉପରେ ପୂର୍ଣ୍ଣ ଅଧିକାର ଦେଖାଇବାରେ କୌଣସି ସଂକୋଚ ଦେଖାଯାଉନାହିଁ। ବିଶେଷ କରି ସନ୍ଧ୍ୟା ସମୟରେ ଗାଡ଼ି ରଖି ଏମିତି ଭାବରେ ଜାମ୍ ସୃଷ୍ଟି କରାଯାଉଛି ଯେ, ଯାତ୍ରୀମାନେ ରାସ୍ତାର ସୁବିଧା ନୁହେଁ, ବାଧାର ଅନୁଭୂତି କରୁଛନ୍ତି।
ସବୁଠାରୁ ଆଶ୍ଚର୍ଯ୍ୟକର ଦୃଶ୍ୟ ହେଉଛି—ଏକ କଣ୍ଟେନର (ଏନ.ଏଲ୍-୦୧-ଏଏ-୪୫୯୯) କୁ ସର୍ଭିସ ରୋଡ୍‌ରେ ରଖି ନିର୍ବିଘ୍ନରେ ମୋଟରସାଇକେଲ ଖାଲି କରାଯାଉଛି। ଦେଖିଲେ ମନେ ହୁଏ, ଏହା ଜାତୀୟ ରାଜପଥ ନୁହେଁ, କୌଣସି ବ୍ୟକ୍ତିଗତ ଗୋଦାମ ଘର। ଏହି ମନମାନିର ସିଧା ପ୍ରଭାବ ପଡ଼ୁଛି ପାଖରେ ଥିବା ବ୍ୟବସାୟୀଙ୍କ ଉପରେ। ବିଜୟ କାର ଏବଂ ବାଇକ୍ ୱାସିଙ୍ଗ ସେଣ୍ଟର୍ ଏହାର ପ୍ରମୁଖ ଶିକାର ହେଉଛି। ଗ୍ରାହକମାନେ ଗାଡ଼ି ରଖିବାକୁ ଜାଗା ନପାଇ ଫେରିଯାଉଛନ୍ତି, ଫଳରେ ବ୍ୟବସାୟ ଗୁରୁତର ଭାବରେ ପ୍ରଭାବିତ ହେଉଛି। ସବୁଠାରୁ ଚିନ୍ତାଜନକ କଥା—ବାରମ୍ବାର ଅନୁରୋଧ ସତ୍ତ୍ୱେ ମଧ୍ୟ ଦୁର୍ଗା ହୋଣ୍ଡାର କର୍ତ୍ତୃପକ୍ଷ କିମ୍ବା କର୍ମଚାରୀମାନେ କୌଣସି ପ୍ରତିକ୍ରିୟା ଦେଉନାହାନ୍ତି। ବରଂ ଅଭିଯୋଗକୁ ଅଗ୍ରାହ୍ୟ କରି ‘ଦବଙ୍ଗଗିରି’ର ପ୍ରଦର୍ଶନ କରୁଥିବା ଅଭିଯୋଗ ଉଠିଛି। ଯାହାକୁ ନେଇ ବ୍ୟବସାୟୀଙ୍କ ମନରେ ପ୍ରଶ୍ନ ଉଠୁଛି—ଆଇନ କାହା ପାଇଁ? ସାଧାରଣ ଲୋକଙ୍କ ପାଇଁ ଗୋଟିଏ ନିୟମ ଓ ପ୍ରଭାବଶାଳୀଙ୍କ ପାଇଁ ଅନ୍ୟ ନିୟମ କି? ଚୌଦ୍ୱାର ଭଳି ବ୍ୟସ୍ତ ଅଞ୍ଚଳରେ ଏଭଳି ଅବସ୍ଥା ଦେଖି ସାଧାରଣ ଲୋକମାନେ କଟାକ୍ଷରେ ପଚାରୁଛନ୍ତି— “ରାସ୍ତା ଚାଲିବାକୁ ନା କି ଦାଦାଗିରି ଦେଖିବାକୁ?” ଏବେ ଦେଖିବାକୁ ଅଛି, ପ୍ରଶାସନ କେବେ ଏହି ‘ପ୍ରାଇଭେଟ୍ ପାର୍କିଂ ରାଜ’ ଉପରେ ବ୍ରେକ୍ ଲଗାଇବ।