ନୀଳାଚଳ ଇସ୍ପାତ ନିଗମ ପକ୍ଷ ରୁ ଫର୍ଣ୍ଣେସ ରୁ ଧୂଆଁ ବାହାରିବା ସମ୍ପର୍କ ରେ ସ୍ପଷ୍ଟିକରଣ

ଯାଜପୁର (ଅଭିମନ୍ୟୁ ମିଶ୍ର, ଯାଜପୁର ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଯାଜପୁର ଜିଲ୍ଲା ର କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଥିବା ନୀଳାଚଳ ଇସ୍ପାତ ନିଗମ ପ୍ଲାଣ୍ଟର ଏକ ବିଭାଗରୁ ନିର୍ଗତ ହେଉଥିବା ଧୂଆଁର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ବିଷୟରେ ଅବଗତ ଥିବା କହିଛନ୍ତି କର୍ତ୍ତୃପକ୍ଷ। ଏଥି ସହ ସ୍ପଷ୍ଟ କରିଛନ୍ତି ଯେ, ଜୁନ ୧, ସୋମବାର ଦିନ ପ୍ରାୟ ୧୨:୧୦ ସମୟରେ ହଠାତ୍ ବିଦ୍ୟୁତ୍ ଗ୍ରୀଡ୍‌ରେ ବ୍ୟାଘାତ ଘଟିବା କାରଣରୁ ଏହି ପରିସ୍ଥିତି ଉପୁଜିଥିଲା।
ପରିସ୍ଥିତିକୁ ସୁରକ୍ଷିତ ଭାବେ ନିୟନ୍ତ୍ରଣ କରିବା ଏବଂ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକଳାପକୁ ବଜାୟ ରଖିବା ପାଇଁ, ସିଷ୍ଟମକୁ ସ୍ଥିର କରିବାକୁ ତୁରନ୍ତ ବ୍ୟାକ୍-ଅପ୍ ଇନ୍ଧନ ଲାଇଟ୍ ଡିଜେଲ୍ ଅଏଲ୍ ବ୍ୟବହାର କରାଯାଇଥିଲା। ଯାହା ଫଳରେ ଏହି ଧୂଆଁ ନିର୍ଗତ ହୋଇଥିଲା। ଏହା ପ୍ରକ୍ରିୟାଗତ ନିୟମାବଳୀର ବା process protocol ଆବଶ୍ୟକତା ଅନୁଯାୟୀ କରାଯାଇଥିଲା। ପାଞ୍ଚ ମିନିଟ୍ ମଧ୍ୟରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ରୂପେ ସ୍ୱାଭାବିକ ହୋଇଯାଇଥିଲା, ପ୍ଲାଣ୍ଟର କାର୍ଯ୍ୟକଳାପ ସ୍ଥିର ହୋଇଥିଲା ଏବଂ ଧୂଆଁ ନିର୍ଗମନ ତୁରନ୍ତ ନିୟାମକ ମାନକ ସ୍ତରକୁ ଫେରିଆସିଥିଲା।
ପରିବେଶ ସୁରକ୍ଷା ଏବଂ ଦାୟିତ୍ୱବାନ ଶିଳ୍ପ ପରିଚାଳନା ପାଇଁ ନୀଳାଚଳ ଇସ୍ପାତ ନିଗମ ସର୍ବଦା ପ୍ରତିବଦ୍ଧ ରହିଥିବା କର୍ତ୍ତୃପକ୍ଷ କହିଛନ୍ତି।