
ଚୌଦ୍ଵାର (ଶିବବ୍ରତ ଦାସ )): ଅପରାଧ ଦମନରେ କଡ଼ା ଆଭିମୁଖ୍ୟ ଏବଂ ସାଧାରଣ ଲୋକଙ୍କ ଅଭିଯୋଗ ପ୍ରତି ତ୍ୱରିତ ପ୍ରତିକ୍ରିୟା ଯୋଗୁଁ ଏବେ ଟାଙ୍ଗୀ ପୋଲିସ ଅଞ୍ଚଳବାସୀଙ୍କ ମନରେ ଏକ ସ୍ୱତନ୍ତ୍ର ଆସ୍ଥା ଓ ଭରସାର ପ୍ରତୀକ ପାଲଟିଛି। ଥାନା ଅଧିକାରୀ ବିକାଶ ସେଠୀଙ୍କ ଦକ୍ଷ ନେତୃତ୍ୱ, ଦୃଢ଼ ପ୍ରଶାସନିକ ଦକ୍ଷତା ଏବଂ କର୍ତ୍ତବ୍ୟନିଷ୍ଠ କାର୍ଯ୍ୟଶୈଳୀ ପୋଲିସ ବ୍ୟବସ୍ଥାକୁ ଅଧିକ ସକ୍ରିୟ, ସଚେତନ ଓ ଜନମୁଖୀ କରିବାରେ ସଫଳ ହୋଇଛି। ଅଭିଯୋଗ ପାଇବା ମାତ୍ରେ ପୋଲିସର ତ୍ୱରିତ ପଦକ୍ଷେପ, ଘଟଣାସ୍ଥଳରେ ଶୀଘ୍ର ପହଞ୍ଚି ତଦନ୍ତ ଆରମ୍ଭ କରିବା ଏବଂ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଭଳି କାର୍ଯ୍ୟଶୈଳୀ ଟାଙ୍ଗୀ ପୋଲିସକୁ ଏକ ଦୃଢ଼ ଓ ବିଶ୍ୱସନୀୟ ସଂସ୍ଥା ଭାବେ ପରିଚିତ କରାଇଛି। ଫଳସ୍ୱରୂପ ସାଧାରଣ ଲୋକଙ୍କ ମନରେ ସୁରକ୍ଷାବୋଧ ବୃଦ୍ଧି ପାଇଥିବା ବେଳେ ଅସାମାଜିକ ତତ୍ତ୍ୱ ଏବଂ ବିଭିନ୍ନ ବେଆଇନ କାରବାରରେ ସମ୍ପୃକ୍ତ ମାଫିଆ ଗୋଷ୍ଠୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଭୟର ପରିବେଶ। ଅଞ୍ଚଳରେ ଆଇନଶୃଙ୍ଖଳା ବଜାୟ ରଖିବା ସହ ଅପରାଧମୁକ୍ତ ପରିବେଶ ସୃଷ୍ଟି ପାଇଁ ଟାଙ୍ଗୀ ପୋଲିସ ଲଗାତାର ଭାବେ ସକ୍ରିୟ ରହିଛି। ଆଇନକୁ ହାତକୁ ନେବାକୁ ଚେଷ୍ଟା କରୁଥିବା ଅପରାଧୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଉଥିବାରୁ ଅଞ୍ଚଳରେ ଶାନ୍ତି, ଶୃଙ୍ଖଳା ଏବଂ ସୁରକ୍ଷାର ପରିବେଶ ଆହୁରି ମଜବୁତ ହୋଇଛି।
ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଲୋକଙ୍କ ମତରେ, ଥାନା ଅଧିକାରୀ ବିକାଶ ସେଠୀଙ୍କ ନେତୃତ୍ୱରେ ପୋଲିସର ଏହି ତତ୍ପରତା କେବଳ ଅପରାଧ ନିୟନ୍ତ୍ରଣରେ ସୀମିତ ନୁହେଁ; ବରଂ ଜନସାଧାରଣଙ୍କ ମନରେ ନ୍ୟାୟ ଓ ସୁରକ୍ଷା ପ୍ରତି ଏକ ନୂଆ ଆଶା ଏବଂ ବିଶ୍ୱାସର ସଞ୍ଚାର କରିଛି। ଆଜି ଟାଙ୍ଗୀରେ ଅପରାଧୀଙ୍କ ଛାତିରେ ଛନକା ଖେଳୁଥିବା ବେଳେ ସାଧାରଣ ଲୋକଙ୍କ ମୁହଁରେ ଫୁଟିଉଠିଛି ନିରାପତ୍ତା ଓ ଆଶ୍ୱସ୍ତିର ହସ। ଆଇନର ଶାସନ ପ୍ରତିଷ୍ଠା ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଗ୍ରେ ରଖି କାର୍ଯ୍ୟ କରୁଥିବା ଟାଙ୍ଗୀ ପୋଲିସ ଏବେ ଅପରାଧୀଙ୍କ ପାଇଁ କଡ଼ା ବାର୍ତ୍ତା ଓ ସାଧାରଣ ଲୋକଙ୍କ ପାଇଁ ଭରସାର ଅନ୍ୟ ଏକ ନାମ ପାଲଟିଛି। ଅଭିଯୋଗ ମାତ୍ରେ ଆକ୍ସନ ଏବଂ ଅପରାଧୀଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଏହି ମନ୍ତ୍ରକୁ ନେଇ ଟାଙ୍ଗୀ ପୋଲିସ ଆଗକୁ ବଢ଼ୁଥିବା ବେଳେ ଅଞ୍ଚଳରେ ସୁରକ୍ଷା ଓ ଶୃଙ୍ଖଳାର ଏକ ନୂଆ ଅଧ୍ୟାୟ ରଚନା ହେଉଛି।