ପିକଅପ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ଭଞ୍ଜନଗର ୦୭/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଫୁଲବାଣୀ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ରବିବାର ମଧ୍ୟାହ୍ନରେ ଏକ ବୋଲେରୋ ପିକଅପ୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ନିକଟସ୍ଥ ଗଣ୍ଡିଶୁଳା ଗ୍ରାମର ଭାସ୍କର ଦଳେଇ ବୋଲି ଜଣାପଡିଛି। ପୁଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି।

ସୁଚନାନୁସାରେ, ଭାସ୍କର ରବିବାର କୌଣସି ଏକ କାମରେ ଭଞ୍ଜନଗର ଯାଇ ଘରକୁ ଫେରୁଥିଲେ। ଏହି ସମୟରେ ଫୁଲବାଣୀ ପଟୁ ଆସୁଥିବା ଏକ ବୋଲେରୋ ପିକଅପ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଭାସ୍କର ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।