
ଭଞ୍ଜନଗର ୧୩/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ ଖଇରପୁଟି ଗ୍ରାମ ନିକଟରେ ଖୋଲାରେ ଚାଲୁଥିବା ଏକ ବେନିୟମ କରତକଳ ଉପରେ ବନ ବିଭାଗ ପକ୍ଷରୁ ଶନିବାର ଚଢ଼ାଉ କରାଯାଇଥିଲା। ଏନେଇ ଅଭିଯୁକ୍ତ ଜଣଙ୍କ ଜାଣି ସେଠାରୁ ଖସି ପଳାଇଥିଲେ। ଏହାପରେ ସେଠାରେ ଟ୍ରାକ୍ଟରରେ ଲାଗିଥିବା କରତକଳ ମେଶିନ ଜବତ କରାଯାଇଥିଲା। ଏଥିସହ ୨ ସିଫ୍ଟ ଆକାଶିଆ କାଠ ଜବତ କରାଯାଇଛି।
ଘଟଣାରୁ ପ୍ରକାଶ ଯେ, ଅଭିଯୁକ୍ତ ଜଣଙ୍କ ଟ୍ରାକ୍ଟର ଗାଡ଼ିରେ କରତକଳ ମେଶିନ ଲଗାଇ ବିଭିନ୍ନ ଆଡ଼େ ବୁଲିବୁଲି କାଠ କାଟନ୍ତି। ଏଥିସହ ଗ୍ରାମ ନିକଟରେ ମଧ୍ୟ କାଟନ୍ତି। ଅଭିଯୁକ୍ତ ଜଣକ ବେନିୟମ ଭାବେ ଏହିଭଳି କାର୍ଯ୍ୟ କରୁଥିବା ନେଇ ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତିଙ୍କ ପାଖରେ ପହଞ୍ଚିଥିଲା। ଏହାପରେ ରେଞ୍ଜର ପୃଥିବୀରାଜ ପ୍ରଧାନଙ୍କ ନେତୃତ୍ୱରେ ଉତ୍ତର ଘୁମୁସର ବନଖଣ୍ଡ କର୍ମଚାରୀ, ଦକ୍ଷିଣ ଘୁମୁସର ବନଖଣ୍ଡ କର୍ମଚାରୀ ଏବଂ ପୋଲିସ ମିଳିତ ଭାବେ ଅଚାନକ ଚଢ଼ାଉ କରିଥିଲେ। ଏଥିସହ ବନ ବିଭାଗ ପକ୍ଷରୁ ଏନେଇ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ବିଭାଗ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।