କେଜ୍ରିୱାଲଙ୍କୁ ଜାମିନ ରାୟ: ଗିରଫ ବୈଧତା ନେଇ ବିଚାରପତିଙ୍କ ଭିନ୍ନମତ

ନୂଆଦିଲ୍ଲୀ:  ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହେବାର ୬ ମାସ ପରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମ୍‌କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତେବେ  କେଜ୍ରିୱାଲଙ୍କୁ ଗିରଫ  ବୈଧତା ଉପରେ ସୁପ୍ରିମକୋର୍ଟର ଦୁଇ ଜଣ ବିଚାରପତି ଭିନ୍ନମତ ରଖିଛନ୍ତି।  ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ମନି ଲଣ୍ଡରିଂ ମାମଲାରେ ଜାମିନ ପାଇଥିବା ଆପ୍ ମୁଖ୍ୟ ଆଜି ସିବିଆଇ ମାମଲାରେ ମଧ୍ୟ ଜାମିନ ପାଇ ଜେଲ୍‌ରୁ ମୁକୁଳିଛନ୍ତି। ଆପ୍ ନେତା ମନୀଷ ସିସୋଦିଆ, ସଞ୍ଜୟ ସିଂହ, ବିଜୟ ନାୟାର ଏବଂ ଭାରତ ରାଷ୍ଟ୍ର ସମିତିର କେ କବିତାଙ୍କ ପରେ କେଜ୍ରିୱାଲ ଏହି ମାମଲାରେ ଜାମିନ ପାଇବାରେ ହେଉଛନ୍ତି ପଞ୍ଚମ ହାଇପ୍ରୋଫାଇଲ ନେତା। ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଲମ୍ବା ତଦନ୍ତ ପ୍ରକ୍ରିୟାରେ ଦୀର୍ଘ ଦିନ ଧରି ଜେଲରେ ରଖାଯିବା ଜଣେ ବ୍ୟକ୍ତିକୁ ତା’ର ସ୍ୱାଧୀନତାରୁ ବଞ୍ଚିତ କରିଥାଏ। କିନ୍ତୁ କେଜ୍ରିୱାଲଙ୍କ ଗିରଫଦାରୀ ଆଇନଗତ ଏବଂ କୌଣସି ପ୍ରକ୍ରିୟାଗତ ଅନିୟମିତତାର ଶିକାର ହୋଇନାହିଁ। ଅନ୍ୟପକ୍ଷରେ ଜଷ୍ଟିସ ଉଜ୍ଜଳ ଭୂୟାଁ ଭିନ୍ନମତ ରଖି କହିଛନ୍ତି ଯେ ସିବିଆଇ ଦ୍ୱାରା ଏଭଳି ଗିରଫଦାରୀ ଆଦୌ ଯୁକ୍ତିଯୁକ୍ତ ନଥିଲା।

କେଜ୍ରିୱାଲଙ୍କ ଗିରଫରେ କୌଣସି ଅନିୟମିତତା ନାହିଁ: ଜଷ୍ଟିସ ସୂର୍ଯ୍ୟକାନ୍ତ
ସିବିଆଇ ଦ୍ବାରା ଗିରଫଦାରୀ ଯୁକ୍ତିଯୁକ୍ତ ନଥିଲା: ଜଷ୍ଟିସ ଉଜ୍ଜଳ ଭୂୟାଁ

ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଶୁଣାଣି ଓ ତଦନ୍ତ ଦୀର୍ଘ ହେବା କ୍ଷେତ୍ରରେ ଜାମିନ ହେଉଛି ନିୟମ ଏବଂ ଜେଲ ଏକ ବ୍ୟତିକ୍ରମ ଏବଂ ଏହା ଏଠାରେ କାର୍ଯ୍ୟକାରୀ ହୋଇଛି। ଆବେଦନକାରୀଙ୍କ ଗିରଫଦାରୀ ବେଆଇନ ନୁହେଁ, କିନ୍ତ  ଏହା ହେଉଛି ବ୍ୟକ୍ତି ସ୍ବାଧୀନତାର ପ୍ରସଙ୍ଗ। ଅନ୍ୟପକ୍ଷରେ ଜଷ୍ଟିସ୍ ଭୂୟାଁ ସିବିଆଇକୁ କଡ଼ା ସମାଲୋଚନା କରି କହିଛ,  ଇଡି ମାମଲାରେ ଜାମିନ ପାଇବା ପରେ କେଜ୍ରିୱାଲଙ୍କୁ ଗିରଫ କରାଯିବା କେବଳ ଆପ୍ ମୁଖ୍ୟଙ୍କ ଜେଲରୁ ମୁକୁଳିବାରେ ବାଧା ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ଥିଲା।  ଇଡି ମାମଲାରେ ମୁକୁଳିବା ପୂର୍ବରୁ ତାଙ୍କୁ ହଠାତ୍‌ ଗିରଫ କରାଯାଇଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି।  ସେ ଆହୁରି ମଧ୍ୟ କହିଛନ୍ତି ଯେ ସିବିଆଇ ଏକ ପିଂଜରା ଭିତରେ ବନ୍ଦୀ ଶୁଆ ଭଳି କାମ କରିବା ଉଚିତ ନୁହେଁ।

Leave a Reply

Your email address will not be published. Required fields are marked *