କ୍ଷେତରୁ ଘରକୁ ଫେରିବା ବେଳେ ମହିଳା ଶ୍ରମିକଙ୍କ ମୃତ୍ୟୁ, ଅନ୍ୟ ୨ ଜଣ ଗୁରୁତର

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅଧୀନ ଅନ୍ଧାରୀ ଗ୍ରାମରେ ଆଜି ଅପରାହ୍‌ଣରେ ବଜ୍ରପାତ ହୋଇଛି। କ୍ଷେତରୁ ଘରକୁ ‌ଫେରିବା ପୂର୍ବରୁ ମହିଳା ଶ୍ରମିକମାନେ ବଜ୍ରପାତର ଶିକାର ହୋଇଛନ୍ତି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଲଳିତା ଭୋଇ (୪୦)। ଆହତ ମହିଳାମାନେ ‌ହେଲେ ସାବିତ୍ରୀ ସୁହୁଲା ଓ ପଦ୍ମିନୀ ରଣା। ଗାଁ ଲୋକଙ୍କ କହିବା ଅନୁସାରେ ଲଳିତା, ସାବିତ୍ରୀ ଓ ପଦ୍ମିନୀ ଆଜି ସକାଳ ୮ଟାରେ ଘାସ ବାଛିବାକୁ ଗାଁର ଏକ ଜମିକୁ ଯାଇଥିଲେ। ଅପରାହ୍‌ଣ ୧ଟା ୩୦ରେ ଘଡ଼ଘଡ଼ି ବର୍ଷା ସହିତ ବଜ୍ରପାତ ହୋଇଥିଲା। ଏଥିରେ ଲଳିତା, ସାବିତ୍ରୀ ଓ ପଦ୍ମିନୀ ରଣା ଅଚେତ ‌ହୋଇପଡ଼ିଥିଲେ। ବଜ୍ରପାତ ଶଦ୍ଦ ଶୁଣି ନିକଟ ଜମିରେ ଘାସ ସଫା କରୁଥିବା ଜ୍ୟୋତ୍ସ୍ନା ରଣା ଦୌଡ଼ି ଆସିଥିଲେ। ସେ ବହୁ କଷ୍ଟ କରି ଗୁରୁତର ତିନି ମହିଳାଙ୍କୁ ଖେତ ଭିତରୁ ବାହାରକୁ ଆଣିଥିଲେ। ପରେ ସେ ଦୌଡ଼ିଦୌଡ଼ି ଆସି ଘଟଣା ସଂପର୍କରେ ଗାଁ ଲୋକଙ୍କୁ କହିଲେ।ବଜ୍ରପାତ ନେଇ ଖବର ପାଇଁ ଗାଁ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ତିନି ଗୁରୁତରଙ୍କୁ ଯୁଯୁମୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ।

ସେଠାରେ ଲଳିତା ବେହେରାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ପଦ୍ମିନୀଙ୍କ ଅବସ୍ଥା ସ୍ବାଭାବିକ ଥିବା ବ‌େଳେ ସାବିତ୍ରୀଙ୍କୁ ଅଧିକ ଚିକିତ୍ସା ପାଇଁ ସମ୍ବଲପୁର ସ୍ଥାନାନ୍ତରିତ କରାଯାଇଛି।ସୂଚନାଯୋଗ୍ୟ, ଲଳିତା ବେହେରା ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅଧୀନ ଠାକୁରଗଡ଼ ନିବାସୀ ଦୁଃଶାସନ ଭୋଇଙ୍କୁ ପ୍ରାୟ ୧୨ ବର୍ଷ ତଳେ ବିବାହ କରିଥିଲେ। ତିନି ବର୍ଷ ତଳେ ସ୍ବାମୀଙ୍କ ମୃତ୍ୟୁ ପରେ ଶ୍ବଶୁର ଘର ଲୋକଙ୍କ ଅଣଦେଖା କରିବା ଯୋଗୁଁ ଲଳିତା ମା’ ଘରେ ଆସି ରହୁଥିଲେ। ବାପା ଛେଉଣ୍ଡ ଓ ସ୍ବାମୀହରା ଲଳିତାଙ୍କ ମା’ଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ଦିନ ମଜୁରିଆ ଭାବେ କାମ କରୁଥିଲେ। ତାଙ୍କର ଏକ ୧୦ ବର୍ଷ ବୟସ ଝିଅ (ପ୍ରିୟଙ୍କା ଭୋଇ) ରହିଛି। ବାପା-ମା’ ଛେଉଣ୍ଡ ଝିଅର ଭବିଷ୍ୟତ ଏବେ କ’ଣ ହେବ ସେନେଇ ସମସ୍ତେ ଚର୍ଚ୍ଚା କରୁଛନ୍ତି। ଗାଁରେ ଶୋକାକୂଳ ପରିସ୍ଥିତି ଦେଖାଯାଇଛି ।

Leave a Reply

Your email address will not be published. Required fields are marked *