ପାଦ ତଳେ ତୁଳସୀ ରଖି ପୂଜା ପ୍ରସଙ୍ଗ: ମାମଲା ରୁଜୁ କଲା ଶିଶୁ ସୁରକ୍ଷା ଆୟୋଗ

ଭୁବନେଶ୍ୱର: ଛୋଟ ଶିଶୁକୁ କଳ୍କୀ ଅବତାର କହି ବାବା କରି ପୂଜା କରିବା ପ୍ରସଙ୍ଗରେ ନିଜଆଡକୁ ମାମଲା ରୁଜୁ କଲା ଶିଶୁ ଅଧିକାର ସୁରକ୍ଷା ଆୟୋଗ | ଘଟଣା ସମ୍ପର୍କରେ କଲେ ରିପୋର୍ଟ ତଲବ | ଶିଶୁ ଅଧିକାର ସୁରକ୍ଷା ଆୟୋଗ ଭରତପୁର ଥାନାକୁ ରିପୋର୍ଟ ତଲବ କଲେ ଓ ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି | ସେପଟେ ଘଟଣାର ତଦନ୍ତ କରିବା ପାଇଁ ସିଡବ୍ଲ୍ୟୁସିକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି | ଉଲ୍ଲେଖ ଥାଉ କି ଜଣେ ନାବାଳକଙ୍କୁ ଭଗବାନ ସଜାଇ ପାଦ ତଳେ ତୁଳସୀ ଆଉ ଗୀତା ଭାଗବତ ରଖି ପୂଜା କରାଯାଉଥିବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା |ଭୁବନେଶ୍ୱର ଭରତପୁର ଥାନା ଅନ୍ତର୍ଗତ ଖଣ୍ଡଗିରିରେ ଆଶ୍ରମ ବୈକୁଣ୍ଠ ଧାମରେ ସଂପୃକ୍ତ ନାବାଳକଙ୍କୁ କଳ୍କୀ ଅବତାର ଭାବେ ପ୍ରଦର୍ଶନ କରାଯାଉଛି ।

ଆଶ୍ରମ ଚଳାଉଛନ୍ତି ମୁଖ୍ୟ ପ୍ରବଚକ କାଶୀନାଥ ମିଶ୍ର । ସେ ନିଜର ୧୭ ବର୍ଷୀୟ ନାବାଳକ ପୁଅକୁ କଳ୍କୀ ଅବତାର ବୋଲି ଦର୍ଶାଉଛନ୍ତି । କାଶୀନାଥ ନିଜ ପୁଅଙ୍କୁ ବିଷ୍ଣୁଙ୍କ ଅବତାର ଭାବେ ଦର୍ଶାଇ ପାଦରେ ତୁଳସୀ ଓ ଗୀତା ରଖିଥିବା ଫଟୋ ଭାଇରାଲ ହେବା ପରେ ବିବାଦ ବଢିଛି ।ଉଲ୍ଲେଖ ଥାଉ କି ଭଗବାନଙ୍କ ଅବତାର ନାଁରେ ଜଣେ ଯୁବ ବାବାଙ୍କ ପାଦ ତଳେ ତୁଳସୀ ଓ ଭାଗବତ ଗୀତା ରଖି ପୂଜା କରାଯାଉଥିବା ଅଭିଯୋଗ ହେବା ପରେ ଗତକାଲି ଭରତପୁର ଥାନା ପୁଲିସ ଖଣ୍ଡଗିରିସ୍ଥିତ ବୈକୁଣ୍ଠଧାମ ଆଶ୍ରମରେ ପହଞ୍ଚିଥିଲା। କିନ୍ତୁ ପୁଲିସ ପହଞ୍ଚିବା ପୂର୍ବରୁ ବାବା ଆଶ୍ରମରୁ ଉଭାନ୍‌ ହୋଇଯାଇଥିଲେ। ତେଣୁ ଅଭିଯୋଗର ସତ୍ୟତା ପରଖିବାକୁ ଯାଇଥିବା ପୁଲିସ ଟିମ୍‌ ବାବାଙ୍କୁ ନ ପାଇ ହାଜିରା ନୋଟିସ୍‌ ଦେଇ ଫେରିଥିଲା। ପୁଲିସ ଉଭୟ ବାବା ଓ ତାଙ୍କ ବାପାଙ୍କୁ ଥାନାକୁ ଆସିବା ପାଇଁ ନୋଟିସ୍‌ କରିଥିବା ସୂଚନା ଦେଇଥିଲା ।

Leave a Reply

Your email address will not be published. Required fields are marked *