
ଭଞ୍ଜନଗର (ଓଡ଼ିଶା ଟୁଡେ): ଗତ ୨୯.୧୨.୨୦୨୪ ତାରିଖ ଦିନ ଉତ୍ତରପ୍ରଦେଶ ମୁରଦାବାଦର ବୁଲା ବ୍ୟବସାୟୀ ସମୀର ହୁସେନ ନିଜ ମଟର ସାଇକେଲରେ ଲୁଗା ବିକ୍ରି କରିବାକୁ ଯାଉଥିଲେ । ଭଞ୍ଜନଗର ଥାନା ଅନ୍ତର୍ଗତ ଗୋହିରିବାଡ଼ି ଗ୍ରାମରୁ ଗୁଣ୍ଡୁରିବାଡ଼ି ଆଡ଼କୁ ଯାଉଥିବା ବେଳେ ବାଉଁଶକଟା ଜଙ୍ଗଲ ରାସ୍ତା ନିକଟରେ ୫ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ମୁଥ ଗୋଇଠା ମାରିବା ସହ ତା ଠାରୁ ମୋବାଇଲ, ୬ ହଜାର ଟଙ୍କା ଛଡ଼ାଇ ନେଇ ଗୋହିରିବାଡି ଆଡ଼କୁ ପଳାଇଥିଲେ । ଏହି ସମୟରେ ସମୀର ହୁସେନ ପାଟି କରି ପିଛା କରିଥିଲେ । ତା ପାଟି ଶୁଣି ସେହି ଗ୍ରାମ ଲୋକ ମାନେ ସେଥି ମଧ୍ୟରୁ ୩ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଦୃତଗତିରେ ପଳାଇଥିଲେ । ଦ୍ରୁତ ଗତିରେ ଯିବା ସମୟରେ ଏକ ହମ୍ପସ ନିକଟରେ ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ତଳେ ପଡ଼ିଯାଇଥିଲେ। ସେଠାରୁ ଜଣେ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଗ୍ରାମବାସୀ ଧରିବାରେ ସକ୍ଷମ ହୋଇଥିଲେ। ଏହି ଘଟଣାରେ ସମୀର ହୁସେନ ର ଲିଖିତ ଅଭିଯୋଗରେ କେସ ନମ୍ବର ୧୨୬୨/୨୦୨୪ ମାମଲା ରୁଜୁ କରି ବିଞ୍ଜିଗିରି ଗ୍ରାମର ସମୀର ନାୟକ(୨୨), ଶମ୍ଭୁ ନାୟକ (୨୦) ଏବଂ ବିଷ୍ଣୁ ନାୟକ (୨୭) ସମସ୍ତଙ୍କୁ ଭାରତୀୟ ନ୍ୟାୟ ସଂହିତା ୩୧୦(୨) ରେ କୋର୍ଟ ଚାଲାଣ କରାଯାଇଛି । ଏହି ମାମଲାରେ ୩ ଟି ମଟରସାଇକେଲ ଓ ଦୁଇଟି ମୋବାଇଲ ଜବତ କରାଯାଇଛି।