ମହାପ୍ରଭୁଙ୍କ ଅବଢ଼ା ପ୍ରସ୍ତୁତିରେ ବ୍ୟବହୃତ ହେବ ଜୈବିକ ପଦ୍ଧତିରୁ ଉତ୍ପାଦିତ ଚାଉଳ: କୃଷିର ବିଭିନ୍ନ କ୍ଷେତ୍ରରେ ସ୍ବାବଲମ୍ବୀ ହୋଇପାରିଛନ୍ତି ମହିଳା

ଭୁବନେଶ୍ବର: ଦେଶରେ ସୁବାସିତ ଚାଉଳ ଉତ୍ପାଦନରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ରାଜ୍ୟରୁ ଉତ୍ପାଦିତ ସୁଗନ୍ଧିତ ଚାଉଳର ବଜାର ଚାହିଦା ଥିବା କହିଛନ୍ତି କୃଷି ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। କୃଷି ଓଡ଼ିଶା-୨୦୨୫ ଦ୍ୱିତୀୟ ଦିନରେ ଅନୁଷ୍ଠିତ ‘ସୁଗନ୍ଧିତ ଚାଉଳ: ଜୈବିକ କୃଷି ପଦ୍ଧତି ଓ ବିପଣନ’ ଉପରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶ୍ରୀ ସିଂହଦେଓ କହିଥିଲେ, ଜୈବିକ କୃଷି ହିଁ ନିରନ୍ତର ଖାଦ୍ୟ ଯୋଗାଣ ଶୃଙ୍ଖଳର ଆବଶ୍ୟକତା ପୂରଣ କରିପାରିବ। ରାଜ୍ୟ ସରକାର ବିଭିନ୍ନସ୍ତରରେ କୃଷକଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଉଛନ୍ତି। ବିଭାଗୀୟ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ କହିଥିଲେ, ରାଜ୍ୟର ବିଭିନ୍ନ କୃଷି ଉତ୍ପାଦକୁ ବଜାର ସହ ସଂଯୋଗୀକରଣ କରାଯାଉଛି। ଯାହାଦ୍ୱାରା ଜଣେ ଚାଷୀ ଲାଭାନ୍ୱିତ ହୋଇପାରିବ। ରାଜ୍ୟରେ ସୁଗନ୍ଧିତ ଚାଉଳ ଉତ୍ପାଦନକୁ ପ୍ରୋତ୍ସାହିତ କରାଯିବା ସହ ଏହାର କ୍ୱିଣ୍ଟାଲ୍‌ ପିଛା ସର୍ବନିମ୍ନ ସହାୟତା ମୂଲ୍ୟ ବାବଦକୁ ୪୧ଶହ ଟଙ୍କା ପ୍ରଦାନ କରାଯାଉଛି। ଜୈବିକ କୃଷିକୁ ପ୍ରୋତ୍ସାହିତ କରାଯିବା ସହ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ଚାଷୀଙ୍କୁ ସହାୟତା ଦିଆଯାଉଛି ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବଢ଼ା ପ୍ରସ୍ତୁତିରେ ଜୈବିକ ପଦ୍ଧତିରୁ ଉତ୍ପନ୍ନ ଚାଉଳକୁ ବ୍ୟବହାର କରାଯିବାର ଯୋଜନା ରହିଥିବା ସେ ସୂଚନା ଦେଇଛନ୍ତି। କୃଷକଙ୍କ ଆୟ ବୃଦ୍ଧି ସହ ଉତ୍ପାଦ ଓ ବଜାର ସଂଯୋଗୀକରଣ ଉପରେ ଗୁରୁତ୍ବଏହି ଅବସରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଡିନ୍‌ ପ୍ରଫେସର ପ୍ରସନ୍ନଜିତ ମିଶ୍ର, ନେଦରଲ୍ୟାଣ୍ଡସ୍‌ରେ କାର୍ଯ୍ୟରତ ବିଜୟ ଚୌଧୁରୀ, ଡବ୍ଲୁଟିଓର ସଚିନ କୁମାର ଶର୍ମା, ଏକ୍ସଆଇଏମ୍‌ବି ପ୍ରଫେସର ଅମର କୁମର ନାୟକ ପ୍ରମୁଖ ଯୋଗ ଦେଇଥିଲେ। କନକ ବାୟୋସାଇନ୍ସ ରିସର୍ଚ୍ଚ ସହ ସ୍ମାର୍ଟ କଫି ଓ ଇମ୍ପ୍ୟାକ୍ଟ ଏକ୍ସ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। କୃଷି କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପ୍ରମୁଖ କୃଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ ଉପସ୍ଥିତ ଥିଲେ। ରାଜେଶ ଦାସ ଧନ୍ୟବାଦ ଦେଇଥିଲେ। ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦ୍ୱିତୀୟ ଦିବସର ଶେଷ ଅଧିବେଶନରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଲେ, କୃଷି କ୍ଷେତ୍ରରେ ପୂର୍ବରୁ ମହିଳାମାନେ ସହଯୋଗ କରୁଥିଲେ ମଧ୍ୟ ସେମାନଙ୍କ ଭୂମିକାକୁ ଏକପ୍ରକାର ଅଣଦେଖା କରାଯାଉଥିଲା। ବର୍ତ୍ତମାନ ରାଜ୍ୟ ସରକାର ମହିଳାଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଉଛନ୍ତି। କୃଷିର ବିଭିନ୍ନ କ୍ଷେତ୍ରରେ ମହିଳାମାନେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ପାଇଁ ପ୍ରେରଣାଦାୟୀ ହୋଇପାରିଛନ୍ତି ।

ସମ୍ମାନିତ ଅତିଥି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ, ଗୋପାଳନଠାରୁ ଆରମ୍ଭ କରି ରାଜ୍ୟରେ ପ୍ରାଣୀ ସମ୍ପଦର ବିକାଶ ପାଇଁ ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିଛି। ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଲେ, ପ୍ରାକୃତିକ ସମ୍ବଳର ଅଭାବ, ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ଦୁର୍ବିପାକ ଦ୍ୱାରା ଅନେକ ଫସଲ ଉତ୍ପାଦନ ହ୍ରାସ ପାଉଛି। ଜୈବିକ ପଦ୍ଧତିରେ ଚିରନ୍ତନ କୃଷି ସମ୍ଭବ ହୋଇପାରିବ। ଉଦ୍ୟାନ କୃଷି ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ ସ୍ୱାଗତ ଭାଷଣ ଓ କୃଷି ଓ ପ୍ରାଣୀସମ୍ପଦ ନିର୍ଦ୍ଦେଶକ ସିଦ୍ଦିକ ଆଲାମ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *