କୁମ୍ଭମେଳା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଯୋଗୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ନୂଆଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ତାଙ୍କୁ ପ୍ରୟାଗରାଜ କୁମ୍ଭମେଳା ପରିଦର୍ଶନ କରିବାକୁ ନିମନ୍ତ୍ରଣ କରିଛନ୍ତି ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖର, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ୩୦ ଡିସେମ୍ବର ୨୦୨୪ରେ ପ୍ରୟାଗରାଜ କୁମ୍ଭମେଳା ପରିଦର୍ଶନ ପାଇଁ ନିମନ୍ତ୍ରଣ କରିଥିଲେ । ଜାନୁଆରୀ ୧୩ରୁ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ମହାକୁମ୍ଭ ମେଳା ଅନୁଷ୍ଠିତ ହେବାକୁ ଥିବା ବେଳେ ଚଳିତ ବର୍ଷ ଏଥିରେ ୪୦ ରୁ ୪୫ କୋଟି ଶ୍ରଦ୍ଧାଳୁ ଆସିବେ ବୋଲି ଆଶା କରାଯାଉଛି ।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ମହାକୁମ୍ଭ ୨୦୨୫ ସମ୍ବନ୍ଧୀୟ ସୂଚନା ପ୍ରସାରଣ ପାଇଁ ଏଫ୍ଏମ୍ ଚ୍ୟାନେଲ୍ ‘କୁମ୍ଭବାଣୀ’କୁ ଉଦଘାଟନ କରିଛନ୍ତି। ମହାକୁମ୍ଭ ସମ୍ପର୍କରେ ବ୍ୟାପକ ସୂଚନା ପ୍ରସାର କରିବା ପାଇଁ ପ୍ରସାର ଭାରତୀ ଓଟିଟି ଭିତ୍ତିକ କୁମ୍ଭବାଣୀ ଏଫ୍ଏମ୍ ଚ୍ୟାନେଲ୍ ଆରମ୍ଭ କରିଛି। ଏହା ୧୦୩.୫ ମେଗାହାର୍ଟଜରେ ଶୁଣିବାକୁ ମିଳିବ । ଜାନୁଆରୀ ୧୦ରୁ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ପ୍ରତିଦିନ କୁମ୍ଭମେଳା ସମ୍ପର୍କିତ ସକାଳ ୫ଟା ୫୫ରୁ ରାତି ୧୦ଟା ୫ ପର୍ଯ୍ୟନ୍ତ ଏହା ପ୍ରସାରିତ ହେବ ।

Leave a Reply

Your email address will not be published. Required fields are marked *