
ପ୍ରବାସୀ ଭାରତୀୟ ଦିବସ ସମାରୋହରେ ଯୋଗଦେଇ ଏହାର ଗରିମା ବଢାଇଛନ୍ତି ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଉତ୍ସବର ଅନ୍ତିମ ଦିବସରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ସମ୍ମନନୀୟା ଦ୍ରୌପଦୀ ମୁର୍ମୁ। ତିନିଦିନିଆ ଉତ୍ସବରେ ସାମିଲ୍ ହୋଇଥିଲେ ଅନେକ କେନ୍ଦ୍ରମନ୍ତ୍ରୀଙ୍କ ସମେତ ହଜାର ହଜାର ପ୍ରବାସୀ ଭାରତୀୟ ଓ ବଂଶୋଦ୍ଭବ। ପ୍ରବାସୀମାନେ ନିଜର ବନ୍ଧୁ ଓ ପରିବାର-ପରିଜନଙ୍କ ସାଥିରେ ବୁଲି ବୁଲିଆମ ରାଜ୍ୟର କଳା, ସଂସ୍କୃତି ଓ ପରମ୍ପରାର ଉତ୍କର୍ଷ ଦେଖିଥିଲେ। ତ୍ରିଦିବସୀୟ ପ୍ରବାସୀ ଉତ୍ସବର ସଫଳତା ପରେ ମୁଁ ସମସ୍ତଙ୍କୁ ଯୋଡ଼ ହସ୍ତରେ ଧନ୍ୟବାଦ ଦେଉଛି ଓ କୃତଜ୍ଞତା ଜ୍ଞାପନ କରୁଛି। ମୁକ୍ତେଶ୍ବର ନୃତ୍ୟ ମହୋତ୍ସବରେ ନୃତ୍ୟ, ରାଜାରାଣୀ ସଙ୍ଗୀତ ମହୋତ୍ସବରେ କଣ୍ଠ ସଙ୍ଗୀତ ଓ ବାଦ୍ୟଯନ୍ତ୍ରର ଯୁଗଳବନ୍ଦୀ, ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଉତ୍ସବରେ ଶାସ୍ତ୍ରୀୟ ନୃତ୍ୟ ଏବଂ ରାଜ୍ୟ ସଂଗ୍ରହାଳୟରେ ଅନୁଷ୍ଠିତ ଲୋକକଳା ମହୋତ୍ସବରେ ବିରଳ ଲୋକନୃତ୍ୟ ତଥା ଆଦିବାସୀମେଳାରେ ଜନଜାତିମାନଙ୍କ ଜୀବନଶୈଳୀ ସହିତ ଓଡିଶାର ବିବିଧତାଭରା ସଂସ୍କୃତିକୁ ପ୍ରତ୍ୟକ୍ଷ କରି ବିମୋହିତ ହୋଇଥିବେ ବୋଲି ମୋର ଦୃଢ ବିଶ୍ବାସ ।
ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ସମାରୋହକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଉଦ୍ଘାଟନ କରି ଏହାର ଗରିମା ବୃଦ୍ଧି କରିଛନ୍ତି। ଏହି ଅବସରରେ ସେ ପ୍ରବାସୀମାନଙ୍କୁ ଯେଭଳି ଆତ୍ମିୟତାର ସହିତ ସ୍ବାଗତ କରି ସମ୍ବୋଧନ କଲେ, ତାହା ସଭାସ୍ଥଳରେ ଉପସ୍ଥିତ ପ୍ରବାସୀ ଭାରତୀୟ ତଥା ଗଣମାଧ୍ୟମ ସହାୟତାରେ ବିଦେଶରେ ରହି କାର୍ଯ୍ୟକ୍ରମ ସହିତ ଯୋଡି ହୋଇ ରହିଥିବା ସମସ୍ତ ଭାରତୀୟ ବଂଶୋଦ୍ଭବଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଭୂମିରେ ଉପସ୍ଥିତ ଥିବାଭଳି ମନେହେଲା ।
ସେ ଯେତେବେଳେ ପବିତ୍ର ଓଡ଼ିଶା ମାଟିକୁ ଭାରତର ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ କହିଲେ ଏବଂ ଖଣ୍ଡଗିରିଉଦୟଗିରିର ଐତିହାସିକ ଗୁମ୍ଫା, କୋଣାର୍କର ସୂର୍ଯ୍ୟ ମନ୍ଦିର, ଶାନ୍ତିର ପ୍ରତୀକ ଧଉଳି ଏବଂ ବିଶ୍ଵ ପ୍ରସିଦ୍ଧ ବାଲିଯାତ୍ରା, ଏସବୁର ନାମ ଉଲ୍ଲେଖ କଲେ ଏବଂ ଏସବୁକୁ ଦେଖିଲେ ଗର୍ବ ଅନୁଭବ ହୁଏ ବୋଲି କହିଲେ, ସେତେବେଳେ ପ୍ରବାସୀ ବନ୍ଧୁମାନେ କରତାଳି ଦେଇ ସମର୍ଥନ କରିବା, ପ୍ରତ୍ୟେକ ଓଡ଼ିଆଙ୍କ ଭଳି ମୋତେ ମଧ୍ୟ ଉଲ୍ଲସିତ ତଥା ଉତ୍ସାହିତ କରିଥିଲା।
ମୋଦୀଜୀ କହିଥିଲେ ଯେ, ଓଡ଼ିଶା କଳା ଓ ସଂସ୍କୃତିର ଗନ୍ତାଘର। ଓଡ଼ିଶାର ପାଦେ ପାଦେ ରହିଛି ଐତିହ୍ୟର ଝଲକ। ଖଣ୍ଡଗିରି, ଉଦୟଗିରି, କୋଣାର୍କକୁ ଦେଖିଲେ ଗର୍ବ ଅନୁଭବ ହୁଏ। କାହିଁ କେତେ ବର୍ଷ ପୂର୍ବରୁ ବେପାର ବାଣିଜ କରିବାକୁ ଓଡ଼ିଶାର ସାଧବପୁଅମାନେ ସମୁଦ୍ର ପଥରେ ବାଲି, ସୁମାତ୍ରା, ଜାଭା ଯାତ୍ରା କରୁଥିଲେ। ତାହାର ସ୍ମୃତିରେ ବାଲିଯାତ୍ରା ଆୟୋଜନ କରାଯାଉଛି। ରାଜ୍ୟର ଧଉଳି ଶାନ୍ତିସ୍ତୁପ ପ୍ରମାଣିତ କରେ ଯେ, ତରବାରୀ ଦ୍ବାରା ହୃଦୟ ଜୟ ଅବା ଶାନ୍ତି ପ୍ରତିଷ୍ଠା କରାଯାଇପାରେ ନାହିଁ। ଦୁନିଆରେ ଯେତେବେଳେ ଅସ୍ତ୍ର ବଳରେ ସାମ୍ରାଜ୍ୟ ବୃଦ୍ଧି କରିବାର ଅହଙ୍କାର ଜୋର ଧରିଥିଲା, ସେତେବେଳେ ସମ୍ରାଟ ଅଶୋକ ଶାନ୍ତିର ରାସ୍ତା ବାଛିଥିଲେ। ସେଥିପାଇଁ ଆଜି ଭାରତ ଦୃପ୍ତ କଣ୍ଠରେ ଘୋଷଣା କରୁଛି ‘ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ ଅଛି ।
ମୋଦିଜୀ କହିଥିଲେ ଯେ, ଭାରତୀୟମାନେ ପୃଥିବୀର ଯେଉଁସ୍ଥାନକୁ ଯାଆନ୍ତି, ସେଠାକାର ଉନ୍ନତି ପାଇଁ ପ୍ରୟାସ କରିଥାନ୍ତି। ତଥାପି, ପୃଥିବୀର ଯେଉଁଠି ରହିଲେ ମଧ୍ୟ ଭାରତୀୟଙ୍କ ହୃଦୟ ସବୁବେଳେ ଭାରତ ପାଇଁ ହିଁ ସ୍ପନ୍ଦିତ ହୋଇଥାଏ। ଏହା କହିଲା ବେଳେ, ଭାବପ୍ରବଣ ହୋଇ ଯାଇଥିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାବାସୀଙ୍କ ଆତ୍ମୀୟତାଭରା ଆତିଥ୍ୟ, ଭୁବନେଶ୍ବରକୁ ସୁନ୍ଦର ଭାବେ ସଜାଇ, ନୃତ୍ୟ, ଗୀତ, ଉତ୍ସବ ପାଳନ ମାଧ୍ୟମରେ ପ୍ରବାସୀଙ୍କୁ ପାରମ୍ପରିକ ରୀତିରେ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ ଦେଖି ଆହ୍ଲାଦିତ ମୋଦୀଜୀ କହିଥିଲେ ଯେ, କିଛି ଦିନ ମଧ୍ୟରେ ପ୍ରୟାଗରାଜରୁ ମହାକୁମ୍ଭ ମେଳା ଆରମ୍ଭ ହେବ। ଆଗକୁ ମକର ସଂକ୍ରାନ୍ତି, ମାଘ ବିହୁର ପର୍ବ ମଧ୍ୟ ଆସୁଛି। ସବୁ ସ୍ଥାନରେ ଆନନ୍ଦମୟ ପରିବେଶ ଅଛି। ଏଭଳିଚମତ୍କାର ଉତ୍ସବମୟ ପରିବେଶରେ ପ୍ରବାସୀ ଭାରତୀୟଙ୍କ ଭବ୍ୟ ଉପସ୍ଥିତି ଭାରତୀୟଙ୍କ ଆତ୍ମା ସହିତ ଯୋଡିହୋଇଯାଏ। ମୋଦୀଜୀ ନିଜର ଖୁସି ବ୍ୟକ୍ତ କରି ନିଜର ଅଭିଭାଷଣରେ କହିଥିଲେ ଯେ, ଆପଣମାନଙ୍କୁ ଭେଟିଲେ ମୁଁ ବହୁତ ଖୁସି ଅନୁଭବ କରେ। ମୁଁ କେବେବି ଆପଣଙ୍କଠାରୁ ପାଇଥିବା ପ୍ରେମ ଏବଂ ଆଶୀର୍ବାଦକୁ ଭୁଲି ନାହିଁ। ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଆଗ୍ରହ ପ୍ରକାଶ କରିବାର ଅନ୍ୟ ଏକ କାରଣ ହେଲା ମୋତେ ଆପଣମାନେ ହିଁ ବିଦେଶରେ ମଥାକୁ ଉଚ୍ଚା ରଖିପାରିବାର ସୁଯୋଗ ଦେଇଛନ୍ତି। ଗତ ୧୦ ବର୍ଷ ମଧ୍ୟରେ, ମୁଁ ଅନେକ ବିଶ୍ୱନେତାଙ୍କୁ ଭେଟିଛି ଏବଂ ସେମାନେ ସମସ୍ତେ ନିଜଦେଶରେ ବାସ କରୁଥିବା ଭାରତବଂଶୀଙ୍କ ପ୍ରଶଂସା କରିଛନ୍ତି। ଆମେ ଆପଣମାନଙ୍କର ସୁବିଧାପ୍ରତି ଯତ୍ନବାନ୍ ତଥା ସୁରକ୍ଷା ଓ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଉ। ସଙ୍କଟ ସମୟରେ ଆମର ଭାରତୀୟ ବଂଶୋଦ୍ଭବ ଓ ପ୍ରବାସୀମାନେ ଯେଉଁଠାରେ ଥାଆନ୍ତୁ ନା କାହିଁକି, ସେମାନଙ୍କୁ ସାହାଯ୍ୟ କରିବା ଆମର ଦାୟିତ୍ବ ଭାବେ ପ୍ରାଥମିକତା ଦେଇଛୁ ।
ଆମେ, ଆପଣମାନଙ୍କ ସୁବିଧା ପାଇଁ ଭାରତର ବୈଦେଶିକ ନୀତିରେ ମଧ୍ୟ ବହୁ ପରିବର୍ତ୍ତନ କରିଛୁ। ମୋଦିଜୀ ଆଶା ପ୍ରକଟ କରି କହିଥିଲେ ଯେ, ଆଗାମୀ ଅନେକ ଦଶନ୍ଧି ଧରି ଭାରତ ବିଶ୍ୱର ସବୁଠାରୁ ଯୁବ ଓ କୁଶଳୀ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇ ରହିବା ସହିତ କୁଶଳୀ ପ୍ରତିଭାମାନଙ୍କ କାରଣରୁ ବୈଶ୍ବିକ ଚାହିଦା ପୂରଣ କରି ଗୁରୁତ୍ବ ବଢାଇ ପାରିବ। ମୋର ମନେହୁଏ, ମୋଦୀଜୀ ଯାହା କହିଛନ୍ତି, ତାହା ଆମ ଓଡ଼ିଶାର କୁଶଳୀ ପ୍ରତିଭାମାନଙ୍କ ପାଇଁ ହିଁ ଅଧିକ ପ୍ରଯୁଜ୍ୟ ।