
ଭଞ୍ଜନଗର (ଓଡ଼ିଶା ଟୁଡେ): ଭଞ୍ଜନଗର ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟର ୧୩ ତମ ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଡ଼. ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅଧ୍ୟକ୍ଷ ଅଜିତ୍ କୁମାର ଶତପଥୀ ସଭାପତିତ୍ଵ କରିଥିବା ବେଳେ ମଞ୍ଚରେ ସଭାପତି ରମାକାନ୍ତ ପାଢ଼ୀ ଏବଂ ଉପଦେଷ୍ଟା ସୂର୍ଯ୍ୟ ନାରାୟଣ ପତି ଉପସ୍ଥିତ ଥିଲେ । ବିଧାୟକ ଶ୍ରୀ ନାୟକ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ଏବଂ ସଂସ୍କାର ଦ୍ଵାରା ସମାଜରେ ପ୍ରତିଷ୍ଠିତ ହୋଇପାରିବ ବୋଲି ଗୁରୁମନ୍ତ୍ର ଦେଇଥିଲେ l ସେହିପରି ଡ଼. ତ୍ରିପାଠୀ ଛାତ୍ରଛାତ୍ରୀ ମାନେ ଉନ୍ନତ ଶିକ୍ଷା ପ୍ରଣାଳୀରେ ନିଶ୍ଚିତ ସଫଳତା ହାସଲ କରିବେ ବୋଲି ଦୃଢୋକ୍ତି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସମେତ ଅଭିଭାବକ ମାନେ ଉପସ୍ଥିତ ଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅଧ୍ୟକ୍ଷ ଶ୍ରୀ ଶତପଥୀଙ୍କ ରଚିତ ଏକ ନାଟକ ମଧ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ସଦସ୍ୟମାନେ ସହଯୋଗ କରିଥିଲେ ।